କୋଷାଗୁମୁଡା ବ୍ଲକର ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତି; ଅସ୍ଥାୟୀ କ୍ୟାମ୍ପରେ ଫସିରହିଥିବା ୧୨ ଶ୍ରମିକଙ୍କୁ ଉଦ୍ଧାର

ଆଡିବନ୍ଧ ଭାଙ୍ଗି ଗାଁରେ ପଶିଲା ପାଣି, ବିଇଓ ଅଫିସରେ ପଶିଲା ବନ୍ୟାଜଳ

ନବରଙ୍ଗପୁର/କୋଷାଗୁମୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗତକାଲି ପାପଡାହାଣ୍ଡିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି କୋଷାଗୁମୁଡା ବ୍ଲକର ତଳୁଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଆଜି ହଳଦିଆ ଜୋନ୍‌ରେ ନବରଙ୍ଗପୁର ଜିଲ୍ଲା ରହିଥିବା ବେଳେ ଆସନ୍ତାକାଲି ନାରଙ୍ଗି ଜୋନ୍‌ରେ ରହିଛି ନବରଙ୍ଗପୁର ଜିଲ୍ଲା। ଆସନ୍ତାକାଲି ବି ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲାରେ ଗତ ୬ ତାରିଖ ଠାରୁ ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀ ଓ ନାଳରେ ଜଳସ୍ତର ବଢ଼ି କୂଳ ଖାଇ ପ୍ରବାହିତ ହେଉଛି ପାଣି। ନଦୀରେ ଯେଉଁ ପରିମାଣର ବନ୍ୟା ପାଣି ବଢ଼ିବାରେ ଲାଗିଛି କୋଷାଗୁମୁଡା ବ୍ଲକର ତଳୁଆ ଅଞ୍ଚଳରେ ସେତେ ପରିମାଣର ବିପଦ ବଢ଼ିବା ଆଶଙ୍କା ରହିଛି।

ନବରଙ୍ଗପୁର ଜିଲ୍ଲାର ୨ ପ୍ରମୁଖ ନଦୀ ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀ କୋଷାଗୁମୁଡା ବ୍ଲକର ଘାଟବାସୁଲି ଠାରେ ସଂଗମ ସ୍ଥଳୀ ହୋଇଛି। ଯାହା ଫଳରେ ୨ ନଦୀର ବନ୍ୟା ପାଣି ତଳମୁଣ୍ଡକୁ ନିଷ୍କାସନ ହୋଇନପାରି ସଂଗମ ସ୍ଥଳୀର ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ନବରଙ୍ଗପୁର ଜିଲ୍ଲାରେ ୧୦୫୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୋଷାଗୁମୁଡା ବ୍ଲକରେ ୧୪୫ ମିମି, ଉପରମୁଣ୍ଡ ରେ ଥିବା ପାପଡାହାଣ୍ଡି ବ୍ଲକରେ ୧୯୦ ମିମି, ଡାବୁଗାଁ ବ୍ଲକରେ ୨୨୫ ମିମି, ନବରଙ୍ଗପୁର ବ୍ଲକରେ ୧୦୪ ମିମି ଓ ନନ୍ଦାହାଣ୍ଡି ବ୍ଲକରେ ୯୩ ମିମି ବର୍ଷା ରେକର୍ଡ ହୋଇଛି। ଉକିଆପଲ୍ଲି ପଞ୍ଚାୟତର ଘାଟବାସୁଲି ଗାଁ ଚାରିପଟେ ବନ୍ୟା ପାଣି ଜମିରହିଥିବାରୁ ଗାଁକୁ ବନ୍ୟା ପାଣି ପଶିବା ଆଶଙ୍କା କରି ଘାଟବାସୁଲି ଗାଁ ଲୋକଙ୍କୁ ଉଦ୍ଧାର କରାଯାଇ ବୋରଗାଁ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଭାବେ ବିଞ୍ଜିଲି ପଞ୍ଚାୟତର ଘାଟଚୁରା ଗାଁ ନିକଟରେ ପହଞ୍ଚିଛି ବନ୍ୟା ପାଣି। ଉକିଆପଲ୍ଲି ପଞ୍ଚାୟତର ହରଦୁଲି ଗ୍ରାମର ଏକ ଚେକ୍ ଡ୍ୟାମ୍ ଭାଙ୍ଗିଯିବାରୁ ଗାଁ ଭିତରେ ପାଣି ପଶିଥିଲା। ଯାହା ଫଳରେ ଗାଁର ୫୦ ଘରେ ପଶିଥିଲା ବନ୍ୟା ପାଣି। ଗତ କାଲି ରାତି ରେ ଇନ୍ଦ୍ରାବତୀ ନଦୀରେ ଜଳସ୍ଥର ବଢ଼ିଯିବାରୁ ଚିରମା ଠାରେ ଇନ୍ଦ୍ରାବତୀ ନଦୀରେ ନିର୍ମାଣାଧିନ ପୋଲ ନିକଟରେ ଥିବା ଅସ୍ଥାୟୀ କ୍ୟାମ୍ପରେ ୧୨ ଜଣ ଶ୍ରମିକ ଫସିରହିଥିଲେ। ଖବର ପାଇ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ, ବିଡିଓ ଓ ତହସିଲଦାର ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନବରଙ୍ଗପୁର ଓ କୋଷାଗୁମୁଡା ଦମକଳ ବାହିନି ପହଞ୍ଚି ବନ୍ୟା ପାଣିରେ ଫସିରହିଥିବା ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା।

ସେହିପରି ଭାବେ ବିଗତ ବର୍ଷ ବି ସେହି ଏକା ଅସ୍ଥାୟୀ କ୍ୟାମ୍ପ ରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା ପ୍ରଶାସନ। ବିଧାୟକ ଶ୍ରୀ ପ୍ରଧାନୀ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହିତ ଆସନ୍ନ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା କରିଥିଲେ। ଉଭୟ ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀରେ ଯେଉଁଭଳି ଭାବେ ଜଳସ୍ଥର ବଢ଼ିବାରେ ଲାଗିଛି କୋଷାଗୁମୁଡା ବ୍ଲକର ବିଞ୍ଜିଲି, ସାନଆମ୍ବଡା, ବାମୁଣି, କେ.ସେମଲା ଓ ଚିରମା ପଞ୍ଚାୟତର ୧୫ ଟି ଗ୍ରାମ ଉପରେ ନଜର ରଖିଛି ପ୍ରଶାସନ। ଯଦି ଆଜି ରାତିରେ ବର୍ଷା ବଢ଼େ ତେବେ ଏହି ୫ ଟି ପଞ୍ଚାୟତର ୧୫ ଟି ଗ୍ରାମର ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁ । ସେହିପରି ଭାବେ କୋଷାଗୁମୁଡା ସଦରମହକୁମାରେ ପ୍ରବଳ ମାତ୍ରାରେ ବର୍ଷା ଯୋଗୁଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପାଣି ପଶିଯାଇଥିବା ବେଳେ କାର୍ଯ୍ୟାଳୟ ଭିତରେ ପ୍ରାୟ ୧ ଫୁଟ ପାଣି ଜମି ରହିଥିଲା। ବ୍ଲକ କାର୍ଯ୍ୟାଳୟ ପରିସର ରେ ବି ପ୍ରାୟ ୨ ଫୁଟ ପାଣି ଜମିରହିଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର