ଉତ୍ତର ଓଡ଼ିଶାରେ ବର୍ଷା ବିତ୍ପାତ

ବାଲେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ପ୍ରବଳ ବାତ୍ୟା ‘ତିତ୍‌ଲି’ ଓଡ଼ିଶା ଛୁଇଁବାର ଦିନକ ପରେ ଉତ୍ତର ଓଡ଼ିଶାରେ ବର୍ଷା ବିତ୍ପାତ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରୁ ଅବିରାମ ଭାବେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି। ବର୍ଷା ଯୋଗୁଁ ଏହି ୩ଟି ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତେବେ ଉପରମୁଣ୍ଡରେ ପର୍ଯ୍ୟାପ୍ତ ବର୍ଷା ହୋଇ ନ ଥିବାରୁ ଏଯାଏ ଉତ୍ତର ଓଡ଼ିଶାର ୩ଟି ବଡ଼ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ସମେତ ଅନ୍ୟ ସମସ୍ତ ଛୋଟ ଛୋଟ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କେବଳ ବାଲେଶ୍ବରର ବସ୍ତା ବ୍ଲକ୍‌ରେ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଂକେତ ଟପିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗୁରୁବାର ଦିନତମାମ କାଁ ଭାଁ ବର୍ଷା ସାଙ୍ଗକୁ ପାଗ ପ୍ରାୟତଃ ଶୁଖିଲା ରହିବାରୁ ତିତ୍‌ଲି ଭୟ ଟଳିଗଲା ବୋଲି ସମସ୍ତେ ଭାବିଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତିରୁ ପୁଣିଥରେ ମୁଷଳଧାରାରେ ଲଗାଣ ବର୍ଷା ଆରମ୍ଭ ହୋଇଥିଲା। ଆଜି ଦିନ ତମାମ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିବାରୁ ଲେ‌ାକେ ଘରୁ ପଦାକୁ ଗୋଡ଼ କାଢ଼ି ପାରି ନ ଥିଲେ। ବର୍ଷାର ପରିମାଣ ‌ଏତେ ଥିଲା ଯେ ରାସ୍ତାଘାଟରେ ଆଣ୍ଠୁଏ ପାଣିର ସୁଅ ଛୁଟିଥିବାବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ହାରାହାରି ୭୧.୫୬ମିମି ବର୍ଷା ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ହାରହାରି ୯୮.୨୦ ମିମି ଓ ଭଦ୍ରକ ଜିଲ୍ଲାରେ ହାରାହାରି ୮୨.୧୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆଜି ରାତି‌େର ମଧ୍ୟ ୩ଟି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଉ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ସ୍ଥିତି ‌େବହାଲ ହୋଇଯାଇଛି। କେଉଁଠି ନାଳ ନର୍ଦ୍ଦମା ଉଛୁଳି ଲୋକଙ୍କ ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ଚାଲିବାରୁ ବିଭିନ୍ନ ଅଞ୍ଚଳ‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। କେଉଁଠି ପାଣି ସୁଅରେ କାର୍ ଭାସି ଯାଇଛି ତ ଆଉ କେଉଁଠି ଘରର କାନ୍ଥ ଭୁଶୁଡ଼ି ଲୋକଙ୍କ ଜୀବନ ଯାଇଛି। ପ୍ରବଳ ବର୍ଷାରେ ଚାଷଜମି ସବୁ ବୁଡ଼ି ଯାଇଥିବାବେଳେ ପରିବା କ୍ଷେତ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି। ଏହାଛଡ଼ା ପାଣି ଲାଗି ବହୁ କଚ୍ଚା ଘର ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର