ତଳିଆ ଅଞ୍ଚଳ ଜଳବନ୍ଦୀ

କଟକରେ ଜଣେ ମୃତ, ସଂକ୍ରମଣ ବ୍ୟାପିଲାଣି, କଟକ, ବଲାଙ୍ଗୀର ଓ ସୋନପୁରରେ ୮ଟି ଡାକ୍ତରୀ ଟିମ୍ ନ‌ିୟୋଜିତ, ପୁରୀରେ ୭୯୧ହେକ୍ଟର ଧାନଜମି ଜଳମଗ୍ନ

ଭୁବନେଶ୍ବର : ସରକାର କହୁଛନ୍ତି ବନ୍ୟା ସ୍ଥିତି ଟଳିଯାଇଛି। ରାଜ୍ୟ‌େର ବନ୍ୟା ପରିସ୍ଥିତି ନାହିଁ। ହେଲେ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ପୁରୀର କିଛି ସ୍ଥାନରେ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକ ଘରୁ ବାହାରିପାରୁନାହାନ୍ତି। ଏବେବି ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏପଟେ କଟକ ଜିଲ୍ଲା‌େର ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ବାଙ୍କି ଥାନା ଅନ୍ତର୍ଗତ ବରହମପୁରା ପଞ୍ଚାୟତର ହଳିଆ ସାହିର ବସନ୍ତ ସାମଲଙ୍କର(୫୦) ମୃତ୍ୟୁ ହୋଇଛି। ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ହୋଇଥିବା ରାଜସ୍ବ ବିଭାଗ କହିଛି।

ସରକାର ସ୍ଥିତି ଯେତେ ସ୍ବାଭାବିକ ଅଛି ବୋଲି କହିଛନ୍ତି ପ୍ରକୃତରେ କିନ୍ତୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ନଦୀରେ ସିନା ପାଣି କମିଛି। ହେଲେ ତଳିଆ ଅଞ୍ଚଳରେ ମାଡ଼ିଥିବା ପାଣି ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି। ଧାନ ଜମିରେ ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡ଼ିବା ପରିସ୍ଥିତି ଉପୁଜିଲାଣି।

ବିଲରେ ଫସଲ ଉଜୁଡ଼ୁଥିବାବେଳେ ଲୋକଙ୍କୁ ସଂକ୍ରମଣ ଜନିତ ରୋଗ ଆକ୍ରାନ୍ତ କଲାଣି।

ରାଜସ୍ବ ବିଭାଗର ରିପୋର୍ଟ ଅନୁଯାୟୀ, ଆଜି ସୁଦ୍ଧା ୧୪ଜିଲ୍ଲାରେ ୫୧ଟି ବ୍ଲକରେ ୨୦୯୧ଟି ଗାଁ, ୯ଟି ସହରାଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ୩ଲକ୍ଷ ୩୨ହଜାର ୬୮୨ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା‌ବେଳେ ୯୨,୪୮୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯୮ଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ଅପରପକ୍ଷେ ରାଜସ୍ବ ବିଭାଗ ଶୁକ୍ରବାର ରିପୋର୍ଟ ଦେଇଥିଲା ଯେ, ରାଜ୍ୟର ୧୪ଟି ଜିଲ୍ଲାର ୪୬ଟି ବ୍ଲକର ୨୦୩୧ଟି ଗାଁ ଓ ୯ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ୩,୧୧,୯୩୧ଜଣ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୯୨,୩୧୭ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ଦିନକରେ ଅଧିକ ୫ଟି ବ୍ଲକ, ୬୦ଟି ଗାଁ ଲୋକ ପ୍ରଭାବିତ ହେଲା। ଅଧିକ ୨୦ହଜାର ୭୫୧ ଲୋକ ପ୍ରଭାବିତ ହେଲେ। ଅଧିକ ୧୬୬ ଲୋକ ସ୍ଥାନାନ୍ତର ହେଲେ।

ରାଜ୍ୟ ସରକାର ଶୁକ୍ରବାର ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିଲା ବୋଲି କହିଥିଲେ। ଆଜି ବି ସମାନ କଥା କହିଛନ୍ତି। ଯଦି ସବୁ ସ୍ବାଭାବିକ ଅଛି, ତେବେ ଦିନକରେ ଏତେ ଅଞ୍ଚଳ କିପରି ବନ୍ୟା ଦ୍ବାରା ପ୍ରଭାବିତ ହେଲା ଓ ଏତେ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରିବା ଆବଶ୍ୟକ ପଡ଼ିଲା ବୋଲି ପ୍ରଶ୍ନ ଉଠିଲାଣି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସାଂଘାତିକ ଥିବାବେଳେ ରାଜ୍ୟ ସରକାର କାଗଜପତ୍ରରେ ସବୁ ସ୍ବାଭାବିକ ଦର୍ଶାଇବାରେ ଲାଗିଛନ୍ତି।

ପୁରୀ ଜିଲ୍ଲାରେ ୭୯୧ହେକ୍ଟର ଧାନ ଜମିରେ ପାଣି ମାଡ଼ି ଯାଇଛି। ଆଗକୁ ଆଉ ଦୁଇ ଦିନ ବର୍ଷା ହେବାକୁ ଥିବାରୁ ଧାନ ଗଛ ସଢ଼ିବା ଥୟ। ସୋନପୁରରେ ୪ଟି ବ୍ଲକ ଓ ୪୬ଟି ଗାଁ ପ୍ରଭାବିତ ହୋଇଥିବାବେଳେ ସ୍ବାସ୍ଥ୍ୟ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଲୋକଙ୍କ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ସଂକ୍ରମଣର ଶିକାର ହେଲେଣି। ଏଥିପାଇଁ ୨ଟି ମେଡିକାଲ ଟିମ୍ ଏବଂ ଗୋଟିଏ ପଶୁ ଡାକ୍ତର ଦଳ ନିୟୋଜିତ କରାଯାଇଛି।

କଟକ ଜିଲ୍ଲା‌େର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫୫୦ଜଣ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ସଂକ୍ରମଣ ଜନିତ ରୋଗ ବ୍ୟାପୁଥିବାରୁ ୨ଟି ମେଡିକାଲ ଟିମ୍ ଏବଂ ଗୋଟିଏ ପଶୁ ଡାକ୍ତର ଦଳକୁ ନିୟୋଜିତ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ବି ତିନିଟି ମେଡିକାଲ୍‌ ଟିମ୍ ନିୟୋଜିତ କରାଯାଇଛି।

ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ୧୨ଟି ଜିଲ୍ଲାରେ ୧୬ଟି ଏନ୍‌ଡିଆରଏଫ୍‌ ଓ ଓଡିଆରଏଏଫ୍‌ ଟିମ୍ ନିୟୋଜିତ ହୋଇଛନ୍ତି।

ବନ୍ୟା ସ୍ଥିତି ପୂରା ନିୟନ୍ତ୍ରଣାଧୀନ ହୋଇନଥିବାବେଳେ ପାଣିପାଗ ବିଭାଗର ଦୁଇ ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ବନ୍ୟା ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛି। ବିଶେଷକରି ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଏବେ ବର୍ଷା ହେଲେ ସ୍ଥିତି ସାଂଘାତିକ ହେବାର ସମ୍ଭାବନା ସୃଷ୍ଟି ହେଲାଣି।

ଅପରପକ୍ଷେ ଆଜି ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ। କିନ୍ତୁ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ପୁରୀରେ ୪୦ଜଣ, ଖୋର୍ଦ୍ଧାରେ ୪୮ଜଣ ଓ କଟକରେ ୫୫୦ ଜଣଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ଅତିପ୍ରଭାବିତ ବଲାଙ୍ଗୀର ଜିଲ୍ଲାରେ ୫୬ଟି କ୍ୟାମ୍ପରେ ୧୯ହଜାର ଲୋକଙ୍କୁ, ସୋନପୁରରେ ୨୪ଟି କ୍ୟାମ୍ପରେ ୩୯୦୦ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଉଛି। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ଥଇଥାନ ଏବଂ ଖାଦ୍ୟ ଯୋଗାଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି।

ସମ୍ବନ୍ଧିତ ଖବର