ବନ୍ୟାରେ ୨୦ଟି ଜିଲ୍ଲାର ୧୪ଲକ୍ଷ ଲୋକ ପ୍ରଭାବିତ, ୧୭ ମୃତ, ୨.୬୫ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ୨୦ଟି ଜିଲ୍ଲାର ୧୪ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଦିନର ଚିତ୍ର ହେଉଛି ବନ୍ୟାରେ ୩୪୦ଟି ଗାଁର ପାଖାପାଖି ୨ଲକ୍ଷ ୬୫ ହଜାର ୭୨୩ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ରାଜ୍ୟରେ ବର୍ଷା ଓ ପରବର୍ତୀ ବନ୍ୟା ସଂପର୍କରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏଭଳି ରିପୋର୍ଟ ରାଜ୍ୟ ସାମ୍ନାରେ ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟାରେ ଏଯାଏ ୧୭ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ଶ୍ରୀ ଜେନା କହିଛନ୍ତି, ବର୍ଷା ଓ ବନ୍ୟା କାରଣରୁ ରାଜ୍ୟରେ ୧୦ ହଜାର ୩୮୨ଟି ଘର ଭାଙ୍ଗିଥିବା ବେଳେ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ପ୍ରାଥମିକ ରିପୋର୍ଟ ଆଧାରରେ ଏହି ତଥ୍ୟ ମିଳିଛି। ଉଭୟ କୃଷି ଓ ରାଜସ୍ବ ବିଭାଗ ଅନୁଧ୍ୟାନ କରିବା ପରେ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ।

ରାଜ୍ୟରେ ବର୍ଷା ଓ ବନ୍ୟା କାରଣରୁ େମାଟ ୩୨୫୬ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୨୧ଟି ପୌରାଞ୍ଚଳର ୭୫ଟି ଵାର୍ଡରେ ବି ଜବରଦସ୍ତ ପ୍ରଭାବ ରହିଛି। ସରକାର ବନ୍ୟା ମୁକାବିଲା କାର୍ଯ୍ୟରେ ୨୫୪ଟି ବୋଟ୍ ମୁତୟନ କରିଛନ୍ତି ଓ ୨୨ଟି ଅଗ୍ନିଶମ ସେବା ସଂସ୍ଥା ୟୁନିଟ୍ ସହିତ ୧୪ଟି ଏନ୍‌ଡିଆର୍‌ଏଫ୍ ଓ ୧୭ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି।

୪୫ଟି ଡାକ୍ତରୀ ଦଳ ଓ ପଶୁ ଚିକିତ୍ସା ପାଇଁ ୪୨ଟି ଟିମ୍ ଏବେ କାର୍ଯ୍ୟରେ ଲାଗିଛନ୍ତି। ୩୫୬ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି, ଯାହାଦ୍ବାରା ୫୭ ହଜାର ୮୨୪ଜଣ ଲୋକ ଉପକୃତ ହେଉଛନ୍ତି। ବନ୍ୟା କାରଣରୁ ୫ଟି ଜିଲ୍ଲାରେ ୩୨ଟି ଘାଇ ସୃଷ୍ଟି ହୋଇଛି। ୧୧ଟି ଜିଲ୍ଲାର ୧୦୭ଟି ରାସ୍ତାରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ େହାଇଯାଇଥିବା ସରକାର ରିପୋର୍ଟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ଷା ଓ ବନ୍ୟାରେ ରାଜ୍ୟର ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, ମୟୂରଭଂଜ, ନୟାଗଡ଼, ନୂଆପଡା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲା ରହିଛି।

ସମ୍ବନ୍ଧିତ ଖବର