ଭୁବନେଶ୍ବର : ୨୪ଘଣ୍ଟା ଭିତରେ ୫୫୫ମିମି ବର୍ଷା ବଲାଙ୍ଗୀର ସହରକୁ ଛାରଖାର କରି ଦେଇଛି। ନିକଟବର୍ତ୍ତୀ ପୁଇଁତଲାରେ ୩୩୩ ମିମି ଓ ଦେଓଗାଁରେ ବି ୨୩୮ମିମି ବର୍ଷା ହୋଇଛି। ଏଥିସହ ଜିଲ୍ଲାର ଆଉ ୧୪ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି। ତା’ ସାଙ୍ଗକୁ ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବରଗଡ଼ ଓ କନ୍ଧମାଳରେ ଲଗାଣ ବର୍ଷା ହେବା ଦ୍ବାରା ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇଛି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏହି ୭ଟି ଜିଲ୍ଲାର ୩୧ଟି ବ୍ଲକରେ ୨ଲକ୍ଷ ୯୧ହଜାର ୭୧୮ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୬୧୩୩୪ଜଣଙ୍କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିରୁ ୧୯,୪୪୮ଜଣଙ୍କୁ ରିଲିଫ କ୍ୟାମ୍ପକୁ ଅଣାଯାଇଥିବାବେଳେ ୧୬୧ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୧୧ଟି ଜିଲ୍ଲାରେ ୧୮ଟି ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି।
ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଂଘାତିକ ଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ନଦୀରେ ବନ୍ୟା ଆସିଛି। ବିଶେଷକରି ମହାନଦୀ ଓ ଶାଖାନଦୀଗୁଡ଼ିକର ଉଛୁଳା ପାଣି ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆକ୍ରାନ୍ତ କଲାଣି।
ଅନୁଗୁଳ ଜିଲ୍ଲାର ଟିକରପଡ଼ା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ଗାଁରେ ବନ୍ୟାପାଣି ପଶିଥିବା ବେଳେ ଆଠମଲ୍ଲିକ ଅଞ୍ଚଳରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲ୍ଲାର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ମହାନଦୀ ଉଗ୍ରରୂପ ଦେଖାଇଛି। ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିର ଭିତରେ ୬ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଆଜି ଭୋର ପ୍ରାୟ ୪ଟା ସମୟରେ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାମାତ୍ରେ ଠାକୁରାଣୀଙ୍କ ଚଳନ୍ତି ପ୍ରତିମାକୁ ସେବାୟତମାନେ ରୋଷଘର ନିକଟସ୍ଥ ପାହାଡ଼ି ମନ୍ଦିରକୁ ବିଜେ କରାଇଛନ୍ତି। ବାଙ୍କୀର ଅନେକ ଗ୍ରାମରେ ପାଣି ପଶିଯାଇଛି। କଟକ-ବାଙ୍କୀ ମୁଖ୍ୟ ରାସ୍ତା ସହ ଏହିସବୁ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ସଂଧ୍ୟାରେ ବାଙ୍କୀ ବ୍ଲକ ଚନ୍ଦ୍ରପା ମୁହାଣ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ବାଙ୍କୀ ସହ ରଜୀବ, କୁରୁମଚୈନୀ, ବୈଦେଶ୍ବର ପ୍ରଭୃତି ଅଂଚଳକୁ ଯାତାୟାତ ବ୍ୟାହତ ହୋଇଛି। ନରସିଂହପୁର ବ୍ଲକ୍ର ନୟାଗଡ-ନରସିଂହପୁର, ଡିମିରିଆ-ନୂଆପାଟଣାମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚତରା ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବଡମ୍ବା, ବାଙ୍କୀ, ନରସିଂହପୁର ଓ ତିଆରିଆ, ଆଠଗଡ ବ୍ଲକ୍ର ବିଭିନ୍ନ ଅଂଚଳରେ ଚାଷଜମି ଜଳମଗ୍ନ ହୋଇଛି।
ନୟାଗଡ଼ ଜିଲ୍ଲାର ଗଣିଆ, କଣ୍ଟିଲୋ ଓ ଭାପୁର ଅଞ୍ଚଳରେ ବି ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। କଣ୍ଟିଲୋଠାରେ ମହାନଦୀର ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୧.୨୩ ମିଟର ଉପରେ ପ୍ରବାହିତ ହେଉଛି। ଭାପୁର ବ୍ଲକ୍ର କରବର ଏବଂ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦେଶ୍ବରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିବା ବେଳେ କରବର ପଞ୍ଚାୟତର ନୂଆସାହି ଓ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମରେ ବନ୍ୟାପାଣି ପଶିଛି। ନୟାଗଡ଼ ଜିଲ୍ଲାର ଗଣିଆ ବ୍ଳକ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକର ଛାମୁଣ୍ଡିଆ, ରାସଙ୍ଗ ଓ ବେଲପଡ଼ା ପାଣି ଘେରରେ ରହିଛି। ବିପନ୍ନମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲମାନଙ୍କୁ ସ୍ଥାନାନ୍ତର କରାଯାଇଛି।
ବିଭିନ୍ନ ନଦୀରେ ଏବେ ବନ୍ୟାଜଳ ବିପଦ ସଂକେତ ନିକଟରେ ରହିଥିବା ବେଳେ ପାଣିପାଗ ପୂର୍ବାନୁମାନ ଅଧିକ ଖରାପ ସ୍ଥିତିର ସଂକେତ ଦେଉଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ୧୬ତାରିଖରୁ ପୁଣି ବର୍ଷା ହେବ। ତିନିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୬ରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହେବ। ସେହିପରି ୧୭ରେ ଏହି ସବୁ ଜିଲ୍ଲା ସମେତ ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡିରେ, ୧୮ତାରିଖରେ ଉପରୋକ୍ତ ଜିଲ୍ଲାଗୁଡ଼ିକ ସମେତ ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତିନି ଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ ରାଜ୍ୟରେ ବନ୍ୟା ସ୍ଥିତି ସାଂଘାତିକ ହେବାକୁ ଯାଉଛି। ବର୍ତ୍ତମାନର ସ୍ଥିତିକୁ ଦେଖି ଯଦିଓ ଜଳସମ୍ପଦ ବିଭାଗ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି କହୁଛି। କିନ୍ତୁ ପାଣିପାଗର ପୂର୍ବାନୁମାନ ଏବଂ ହୀରାକୁଦରେ ଜଳସ୍ତର ବଢ଼ିବା, ରାଜ୍ୟର ସବୁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ଦେଇ ହେଉନି।
ଅପରପକ୍ଷେ ହୀରାକୁଦର ଗୋଟିଏ ଗେଟ୍ ଆଜି ମାତ୍ର ୨ଘଣ୍ଟା ୩୫ମିନିଟ ପାଇଁ ଖୋଲା ଯାଇଥିଲା। ପାରମ୍ପରିକ ପୂଜାର୍ଚ୍ଚନା ପରେ ଗୋଟିଏ ଗେଟ୍ ୧୧ଟା ୨୪ରେ ଖୋଲା ଯାଇଥିବାବେଳେ ଅପରାହ୍ନ ୨ଟାରେ ବନ୍ଦ କରି ଦିଆଯାଇଥିଲା। ଗୁରୁବାର ପୁଣି ଗେଟ୍ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଆଜି ଖଇରମାଳ ଠାରେ ମହାନଦୀ ଜଳସ୍ତର ୧୦୫.୫ମିଟର ରହିଛି। ଏଠାରେ ବିପଦ ସଂକେତ ୧୦୯ମିଟର। ସେହିଭଳି ନରାଜରେ ବିପଦ ସଂକେତ ୨୬.୪୧ମିଟର ଥିବାବେଳେ ସଂଧ୍ୟା ୬ଟାରେ ପାଣି ସ୍ତର ୨୬.୧୦ମିଟର ଛୁଇଁଛି। ଦେବୀ ନଦୀର ଆଳିପିଙ୍ଗଳରେ ବିପଦ ସଂକେତ ୧୧.୭୬ମିଟର ଥିବାବେଳେ ଜଳସ୍ତର ବଢ଼ିବଢ଼ି ୮.୫୬ମିଟରରେ ପହଞ୍ଚିଛି। ପାନପୋଷରେ ବ୍ରାହ୍ମଣୀର ବିପଦ ସଂକେତ ୧୭୮.୪୨ମିଟର ଥିବାବେଳେ ଏଠାରେ ଜଳସ୍ତର ବଢ଼ୁଛି। ଆଜି ଏହା ୧୭୭.୬୧ ମିଟର ଛୁଇଁଛି। ବୈତରଣୀର ସ୍ବମପାଟଣା ଠାରେ ବିପଦ ସଂକେତ ୩୧୧.୧୦ମିଟର ଥିବାବେଳେ ଏଠାରେ ଏବେ ୩୦୭.୦୭ମିଟର ରହୁଛି। ଜଳସ୍ତର ଏଠାରେ ବି ବଢ଼ୁଛି। ସେହିପରି ଚମ୍ପୁଆ ଓ ଆନନ୍ଦପୁରରେ ବି ବୈତରଣୀ କୂଳ ଲଂଘିଲାଣି। ଏଠାରେ ବିପଦ ସଂକେତ ଯଥାକ୍ରମେ ୩୭୬.୪୧ମିଟର ଏବଂ ୩୮.୩୬ମିଟର ଥିବାବେଳେ ଆଜି ଏହା ୩୭୫.୩୩ମିଟର, ୩୭.୪୫ମିଟର ଛୁଇଁଛି। ବୁଢ଼ାବଳଙ୍ଗ ଚନ୍ଦନପୁର ଓ ବାରିପଦାରେ ବି ବିପଦ ସଂକେତ ପାଖାପାଖି ରହିଛି। ଏଠାରେ ଜଳସ୍ତର ବଢ଼ିବାରେ ଲାଗିଛି। ବାରିପଦାରେ ବିପଦ ସଂକେତ ୩୦.୯୨ମିଟର ଥିବାବେଳେ ଏଠାରେ ଏବେ ୨୪.୨୦ମିଟର ଅଛି। ଗୁଡ଼ାରି,ଗୁଣୁପୁର ଓ କାଶୀନଗରରେ ବଂଶଧାରା ବଢ଼ୁଛି। କାଶୀନଗରରେ ବିପଦ ସଂକେତ ୫୪.୬୦ମିଟର ଥିବାବେଳେ ଏବେ ୫୩.୭୦ମିଟର ରହିଛି। ଗୁଣୁପୁରରେ ବିପଦ ସଂକେତ ୮୪ମିଟର ଥିବାବେଳେ ଏଠାରେ ଏବେ ୮୧.୭୫ମିଟର ରହିଛି। ମାଧବରିଦାରେ ଋଷିକୂଲ୍ୟା ବିପଦସଂକେତ ୬୦.୬୫ମିଟର ଥିବାବେଳେ ଏଠାରେ ଏବେ ୫୮.୯୮ମିଟର ରହିଛି।
ଅପରପକ୍ଷେ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ ମହାନଦୀ ଅବବାହିକାରେ ତଳମୁଣ୍ଡରେ ଖୁବ୍ କମ୍ ବର୍ଷା ହୋଇଛି। ତେଲ ନଦୀ ଅବବାହିକାରେ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ମହାନଦୀରେ ପ୍ରବାହିତ ବନ୍ୟାଜଳ ମଧ୍ୟରୁ ଆଂଶିକ ବନ୍ୟାଜଳ ଇତିମଧ୍ୟରେ ନଦୀର ପାର୍ଶ୍ବବର୍ତ୍ତୀ ଉପନଦୀ ଓ ଖାଲୁଆ ଅଞ୍ଚଳରେ ପ୍ରବେଶ କରିଛି। ଏଥିପାଇଁ ନଦୀରେ ବନ୍ୟାଜଳ ପ୍ରବାହ କମିଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ତେଲନଦୀର ପଥରଲା ଠାରେ ସେକେଣ୍ଡ ପିଛା ୩.୫୩ଲକ୍ଷ ଘନଫୁଟ, ମହାନଦୀର ଖଇରମାଳ ଠାରେ ସେକେଣ୍ଡ ପିଛା ୫.୧୪ଲକ୍ଷ ଘନଫୁଟ, ବରମୂଳ ଠାରେ ୯.୨୦ଲକ୍ଷ ଘନଫୁଟ, ମୁଣ୍ଡଳୀଠାରେ ୮.୩୫ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି। ୧୫ତାରିଖ ସକାଳ ସୁଦ୍ଧା ମୁଣ୍ଡଳି ଠାରେ ୯.୫୦ଲକ୍ଷରୁ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଲୋକ ଆତଙ୍କିତ ନହେବାକୁ କୁହାଯାଇଛି।
ସେହିପରି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଦୁଇ ଦିନ ଧରି ତେଲ ନଦୀରେ ବର୍ଷା ଯୋଗୁଁ ବଲାଙ୍ଗୀର ସମେତ ଅନ୍ୟ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ରାତିଠୁ ବର୍ଷା ନଥିବାରୁ ଜଳସ୍ତର କମିବା ଆରମ୍ଭ ହୋଇଛି। ଏହି ଜଳ ଆଜି ମଧ୍ୟ ରାତ୍ରି ସୁଦ୍ଧା ମୁଣ୍ଡଳି ଠାରେ ପହଞ୍ଚିବ। ଫଳରେ ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ୧୦ଲକ୍ଷ କ୍ୟୁସେକ୍ ମଧ୍ୟରେ ଜଳ ପ୍ରବାହିତ ହେବ। ତେଣୁ ବନ୍ୟା ସ୍ଥିତି ନେଇ ଆତଙ୍କିତ ହେବାର କାରଣ ନାହିଁ। ସ୍ଥିତି ପୂରା ନିୟନ୍ତ୍ରଣରେ ଅଛି। ସବୁ ନଦୀ ବନ୍ଧଗୁଡ଼ିକରେ ବିଭାଗୀୟ ଇଞ୍ଜିନିୟର ଓ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। କାଁ ଭାଁ କେଉଁଠି ନଦୀ ବନ୍ଧରେ ବିଲୁଆ ଗାତ, ମୂଷା ଗାତ ଥିଲେ ତା’ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଆଜି ହୀରାକୁଦର ପ୍ରତୀକାତ୍ମକ ଭାବେ ଗୋଟିଏ ଗେଟ୍ ଖୋଲା ଯାଇ କିଛି ସମୟ ପରେ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ସ୍ଥିତିରେ ତେଲ୍ ନଦୀରେ ପଥରଲା ଠାରେ ଜଳସ୍ତର ୪ଲକ୍ଷ କ୍ୟୁେସକ୍କୁ ଆସିଲେ ହୀରାକୁଦରେ ଗେଟ୍ ଖୋଲିବା ନିଷ୍ପତ୍ତି ଉପରେ ବିଚାର କରାଯିବ।
ମହାନଦୀର ତଳ ମୁଣ୍ଡରେ ଓ ଉପର ମୁଣ୍ଡରେ ବର୍ଷା କମିଲାଣି। ତଥାପି ମହାନଦୀ ପ୍ରବାହିତ ଜିଲ୍ଲା ଓ ଅଞ୍ଚଳଗୁଡ଼ିକରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେବଳ ମହାନଦୀର ଶାଖା ନଦୀ ଚିତ୍ରୋତ୍ପଳାର କରଣ୍ଡିଆ ଠାରେ ବନ୍ୟାର ପ୍ରକୋପ କିଛିଟା ଦେଖାଦେଇପାରେ। ବର୍ତ୍ତମାନ ହୀରାକୁଦର ଜଳସ୍ତର ଦିନ ଦୁଇଟା ସୁଦ୍ଧା ୬୧୯.୦୨ଫୁଟ ରହିଛି। ହୀରାକୁଦକୁ ଲକ୍ଷେ ୭୦ହଜାର କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡ ପିଛା ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ୍ ପାଇଁ ୧୭ହଜାର କ୍ୟୁସେକ୍ ଜଳ ଛଡ଼ାଯାଉଛି।