ବନ୍ୟା ତାଡ଼ନା ଆଉ ତିନି ଦିନ, ପୂର୍ଣ୍ଣିମା କାରଣକୁ ପାଣି ଟାଣୁନି ସମୁଦ୍ର

ଆଜି ପଶ୍ଚିମଓଡ଼ିଶାରେ ହୋଇପାରେ ବଡ଼ ବର୍ଷା, ୩ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ

ଭୁବନେଶ୍ୱର : ମହାନଦୀ ଉପର ମୁଣ୍ଡରେ ବଢୁନି। କଟକ ନରାଜଠାରେ ବିପଦ ସଙ୍କେତ ଉପରେ ଥିଲେ ବି ଜଳପତ୍ତନ କମିବା ଆରମ୍ଭ କଲାଣି। ହେଲେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅର୍ଥାତ୍ ଦୁର୍ଦଶା କମିବା ବଦଳରେ ବଢିବାରେ ଲାଗିଛି। ଆସନ୍ତାକାଲି ଇନ୍ଦୁ ପୂର୍ଣ୍ଣିମା। ସମୁଦ୍ର ଭୀଷଣ ଜୁଆରିଆ ରହିଛି। ସମୁଦ୍ର ଜୁଆର ପାଣିକୁ ଠେଲିକି ରଖିଛି। ସମୁଦ୍ର ଭିତରକୁ ପାଣି ଯିବାକୁ ୧୦ ପ୍ରତିଶତ ବି ସମୟ ମିଳୁନି। ଏଣୁ ପାଣି ଟାଣୁନି। ଖାସ୍ ଏଥିପାଇଁ ପରିସ୍ଥିତି ସଙ୍ଗିନ୍ ହେବା ଲାଗିଛି। ଆଜି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ କହିଛନ୍ତି, ଜଳ ନିଷ୍କାସନ ପାଇଁ ତିନି ଦିନ ଲାଗିବ।

ସେ ଆହୁରି କହିଛନ୍ତି, ବନ୍ୟା ସମୟରେ ସୃଷ୍ଟି ହୋଇଥିବା ଘଳିଆରୁ ୭୨୯ ଘଳିଆ ମରାମତି ହୋଇଛି। ଘାଇ ମରାମତି କାମ ଆରମ୍ଭ ହୋଇଗଲାଣି। ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି ସ୍ଥିତି ଲାଗି ରହିବ। ତେବେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ବି ହୋଇପାରେ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନ‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ସେହିପରି ଆସନ୍ତାକାଲି ସୋନପୁର, ସମ୍ବଲପୁର, ବଲାଙ୍ଗୀର ଓ ବରଗଡ଼‌ର ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ପୂର୍ବାନୁମାନ କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି ଓ ଅନୁଗୁଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୩ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲା କଳିଙ୍ଗାରେ ୩୦ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୨୧ମିମି ଓ ପୁରୀ ଜିଲ୍ଲା ନିମାପଡ଼ାରେ ୧୫ ମିମି ଲେଖାଏଁ ବର୍ଷା ହୋଇଯାଇଛି।

ଉଲ୍ଲେଖଥାଉକି, ରାତି ୯ଟା ବେଳକୁ ଖଇରମାଳରେ ଏବେ ସେକେଣ୍ଡ ପ୍ରତି ୫ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ଏହାର ପରିମାଣ ୬ଲକ୍ଷ ୨୦ ହଜାର ରହିଛି। ପ୍ରତି ସେକେଣ୍ଡରେ ୨୪ଟି ଗେଟ୍ ଦେଇ ୪ଲକ୍ଷ ୪ ହଜାର ୫୯୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ହୀରାକୁଦକୁ ୩ ଲକ୍ଷ ୪୭ ହଜାର ୪୧୭ କ୍ୟୁସେକ୍ ପାଣି ପ୍ରବେଶ କରୁଛି। ସେହିଭଳି ମୁଣ୍ଡୁଳିରେ ସେକେଣ୍ଡ ପ୍ରତି ୮ ଲକ୍ଷ ୯୫ ହଜାର ୭୦୮ଘନଫୁଟ ଜଳ ଅତିକ୍ରମ କରୁଛି। ଜଳଭଣ୍ଡାର ଜଳସ୍ତର ଏବେ ୬୨୫.୫୬ ଫୁଟ ରହିଛି। ପୂୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଯିବ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର