ଭୁବନେଶ୍ବର : ବର୍ଷା ଓ ବନ୍ୟା ଦୁର୍ଦ୍ଦଶାରୁ ମୁକୁଳିପାରୁନି ଓଡ଼ିଶା। ମହାନଦୀରେ ଜଳପତ୍ତନ କମିଥିଲେ ବି ଉପରମୁଣ୍ଡରେ ସମ୍ବଲପୁର ସହରର ଅଧିକାଂଶ ଅଞ୍ଚଳ ପାଣି ଘେରରେ। ମହାନଦୀର ତଳଅଞ୍ଚଳ କଥା ଦେଖିଲେ କଟକର ବାଙ୍କୀ, ଜଗତସିଂହପୁରର କୁଜଙ୍ଗ, ପୁରୀର କଣାସ ଅଞ୍ଚଳ ଆଦିର ସ୍ଥିତି ଗମ୍ଭୀର ରହିଛି। ଗାଁ, ଗଣ୍ଡା, ବଜାର ଆଦିରେ ପାଣି ଭର୍ତ୍ତି ରହିଛି ଓ ବର୍ଷା ସେମାନଙ୍କ କଷ୍ଟ ବହୁଗୁଣିତ କରିଦେଲାଣି। ଏପଟେ ଉତ୍ତର ଓଡ଼ିଶ‌ାରେ ଗଭୀର ଅବପାତ ପରେ ମୁଷଳଧାରାରେ ବର୍ଷା ଲାଗି ରହିଥିବା ପରିପ୍ରେକ୍ଷୀରେ ବୈତରଣୀ ସ୍ଥିତି ଗମ୍ଭୀର ଆଡ଼କୁ ଯାଇପାରେ। ଏସବୁକୁ ନେଇ ଅଧା ଓଡ଼ିଶାରେ ଲୋକ ନାହିଁ ନଥିବା ଦୁର୍ଦଶାରେ ଅଛନ୍ତି।

Advertisment

ଶେଷ ରିପୋର୍ଟ ଅନୁସାରେ, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଉଛୁଳା ଅବସ୍ଥାରେ ରହିଛି। ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହୁଥିବାରୁ ଲକ୍ଷାଧିକ ଲୋକ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ସ୍ପଳ୍ପ ବର୍ଷା ହେଉଥିବାରୁ ନଦୀବନ୍ଧ ସମେତ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କ ଦୁର୍ଦଶା ଆହୁରି ବଢ଼ିଯାଇଛି। ବନ୍ୟା ପାଣି ଘର ଦ୍ବାର ଉଜାଡ଼ି ଦେଇଥିବା ବେଳେ ଉପର ପାଣି ଏବେ ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି।

publive-image

ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଶ୍ବାସନା ଦେଇଛନ୍ତି ଯେ ଏବେ ଯେଉଁ ଗଭୀର ଅବପାତ ସୃଷ୍ଟି ହୋଇଛି ସେଥିରେ ମହାନଦୀରେ ଆଉ ଜଳପତ୍ତନ ବୃଦ୍ଧି ହେବାର ନାହିଁ। ମୁଣ୍ଡଳୀଠାରେ ଜଳସ୍ତର ଧୀରେ ଧୀରେ କମୁଛି। ହେଲେ ବନ୍ୟା ଜଳ ଜନବସତିରୁ ଖସୁନାହିଁ। ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ଜଳସ୍ତର ଖସି ପ୍ରତି ସେକେଣ୍ଡରେ ୭ରୁ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ହେବ। ସେତେବେ‌ଳ ପର୍ଯ୍ୟନ୍ତ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଦୁଇଦିନ ହେଲା ମହାନଦୀ କିମ୍ବା ଏହାର ଶାଖା ନଦୀ, ଉପନଦୀରେ କୌଣସି ଘାଇ ସୃଷ୍ଟି ହୋଇନାହିଁ। ଶନିବାର ପରେ ମହାନଦୀର ଜଳସ୍ତର ନିୟନ୍ତ୍ରଣକୁ ଆସିଲେ ଯାଇ ଘାଇ ମରାମତି କରାଯିବ। ବର୍ଷର ପ୍ରଥମ ବନ୍ୟା ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଘାଇଗୁଡ଼ିକ ମରାମତି କରିବା ଦିଗରେ ପଦକ୍ଷେପ ନେଉଛୁ। ତଥାପି ତୀବ୍ର ଅବପାତ ଓଡ଼ିଶା ନ ଛାଡ଼ିବା ପର୍ଯ୍ୟନ୍ତ କିଛି ‌କହି ହେବ ନାହିଁ। ଆମେ ଏବେ ତାହା ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି।

ଶ୍ରୀ ଜେନା ଆହୁରି କହିଛନ୍ତି ଯେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ୨୮ଟି ଗେଟ୍‌ ମାଧ୍ୟମରେ ୪ ଲକ୍ଷ ୭୬ ହଜାର ୯୧୩ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଥିଲା। ତେବେ ଦୁଇଟି ପର୍ଯ୍ୟାୟରେ ୪ଟି ଲେଖାଏଁ ଗେଟ୍‌ ବନ୍ଦ କରି ଦିଆଯାଇଛି। ରାତି ୯ଟା ସୁଦ୍ଧ‌ା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୮ ହଜାର ୨୯୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ଏବଂ ୨୦ଟି ଗେଟ୍‌ ମାଧ୍ୟମରେ ପ୍ରତି ସେକେଣ୍ଡ୍‌ରେ ୩ ଲକ୍ଷ ୫୦ ହଜାର ୧୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ହୀରାକୁଦର ଜଳପତ୍ତନ ୬୨୧.୫୪ ଫୁଟ୍‌ ରହିଛି। ଖଇରମାଳଠାରେ ୬ ଲକ୍ଷ ୩୮ ହଜାର, ବଡ଼ମୂଳଠାରେ ୭ ଲକ୍ଷ ୭୦ ହଜାର ଓ ମୁଣ୍ଡଳୀଠାରେ ୯ ଲକ୍ଷ ୩୩ ହଜାର ୫୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଆସନ୍ତା ୨୦ ଓ ୨୧ ତାରିଖରେ ଅବପାତ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ତାହାକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର ଗେଟ୍‌ ପରିଚାଳନା କରାଯାଉଛି।

publive-image

ଉତ୍ତର ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଛି। ବ୍ରାହ୍ମଣୀର ଜଳସ୍ତର ପାନପୋଷଠାରେ ବୃଦ୍ଧି ପାଉଥିବା ବେଳେ ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର, ରାଜଘାଟରେ ସୁବର୍ଣ୍ଣ‌ରେଖାର ଜଳସ୍ତର ବୃଦ୍ଧି ପାଉଛି। ଜଳକାର ଜଳସ୍ତର ମଥାନିଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିପରି ଗୁଣୁପୁରଠାରେ ବଂଶଧାରାର ଜଳସ୍ତର ବଢ଼ୁଥିବା ସୂଚନା ମିଳିଛି।

publive-image

ଶ୍ରୀ ଜେନା କହିଛନ୍ତି ଯେ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ୍‌ କ୍ଷତିଗ୍ରସ୍ତ ହୋଇଛି। ୨୧୪୯ଟି ଗାଁ ଉପରେ ପ୍ରଭାବ ପଡ଼ିଛି। ୬୪୨ଟି ଗାଁ ଜଳଘେରରେ ରହିଛି। ୩ ଲକ୍ଷ ୯୧ ହଜାର ୫୨୮ ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ବନ୍ୟା ଦ୍ବାରା ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକ ପ୍ରଭାବିତ ହୋଇଛନ୍ତି। ଏହିସବୁ ଅଞ୍ଚଳରେ ୨୨୭ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଲକ୍ଷ ୭୭ ହଜାର ବିଦ୍ୟୁତ୍‌ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ପାଣି କମିବାରୁ ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ଗ୍ରାହକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଖରାପ ହୋଇଥିବା ୩୩ କେଭି ୯ଟି ଫିଡର ମଧ୍ୟରୁ ୭ଟିକୁ ଠିକ୍‌ କରାଯାଇଛି। ୩୩/୧୧ କେଭି ସବ୍‌-ଷ୍ଟେସନ୍‌ ୩୩ଟି ଅଚଳ ହୋଇପଡ଼ିଥିବାବେଳେ ୨୯ଟି ମରାମତି ହୋଇଛି। ୧୧ କେଭି ଫିଡର ୧୪୯ଟିରୁ ୧୨୧ଟିକୁ ଚାଲୁ କରାଯାଇଛି। ପ୍ରାଇମେରି ଟ୍ରାନ୍ସଫର୍ମର ୨୦ଟିରୁ ୧୭ଟି ଓ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ୯୩୦୧ରୁ ୭୮୩୩ଟିକୁ ମରାମତି କରାଯାଇଛି। ସମୁଦାୟ କାର୍ଯ୍ୟରେ ୧୮ ହଜାରରୁ ଅଧିକ ମାନବସମ୍ବଳ ନିୟୋଜିତ ଅଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟାଞ୍ଚଳରେ ୧୫୯ଟି ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲାଯାଇଛି। ୧୧୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ଅଛନ୍ତି। ୩୨ ହଜାର ଓଆରଏସ୍‌ ପ୍ୟାକେଟ୍‌ ଓ ୧ ଲକ୍ଷ ୨୧ ହଜାର ହାଲୋଜିନ୍‌ ବଟିକା ବଣ୍ଟାଯାଇଛି। ଏହି ସମୟ ମଧ୍ୟରେ ୫୫୦୦ଟି ସାଧାରଣ ରୋଗ ଚିକିତ୍ସା କରାଯାଇଥିବାବେଳେ ୫ଟି ସାପ କାମୁଡ଼ା ଘଟଣାରେ ଚିକିତ୍ସା କରାଯାଇଛି। ଗୋ-ସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ୨୮୫ଟି କ୍ୟାମ୍ପ ଆୟୋଜିତ ହୋଇଥିବା ବେଳେ ୧୦ ହଜାର ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ୨୩୧.୪୫୩ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି।