ପୁରୀ : ପୁରୀ ପୌରାଞ୍ଚଳର ୧ ନମ୍ବର ୱାର୍ଡରେ ଦିନକୁ ଦିନ ବନ୍ୟା ଦୁର୍ଦ୍ଦଶା ବଢ଼ିଚାଲିଛି। ମୂଷା, କାଞ୍ଚି ଓ ମଙ୍ଗଳା ନଈ ଦେଇ ଭାର୍ଗବୀର ଜଳ ପୁରୀ ପୌରାଞ୍ଚଳର ୧ ନମ୍ବର ୱାର୍ଡର ଥିବା ମାଟିତୋଟାରେ ପଶିବା ପରେ ସାହି ଗଳିକନ୍ଦି ଉବୁଟୁବୁ ହୋଇଛି। ବିଶେଷ କରି ସୁଜାତାନଗର ଓ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା କଲବଲ ହୋଇଛନ୍ତି। ପ୍ରତି ଘରେ ପାଣି ପଶିବା ସହ ଲୋକେ ଛାତ, ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ଘରେ ପାଣି ପଶିବା ପରେ ରୋଷେଇବାସ ବି ବନ୍ଦ ହୋଇଯାଇଛି। କେହି କେହି ଛାତ ଉପରେ ଆଶ୍ରୟ ନେବା ସହ ରୋଷେଇବାସ କରି ରହୁଥିବାବେଳେ କିଛି ପର ଘରେ ବି ଆଶ୍ରୟ ନେଇଛନ୍ତି। କିନ୍ତୁ ଏମାନଙ୍କ ପାଖରେ ନା ପ୍ରଶାସନ ପହଞ୍ଚିଛି ନା ରାଜନେତା ପହଞ୍ଚି ଦୁଃଖ ବୁଝିଛନ୍ତି।
ପାଣି ଜମା ହୋଇ ରହିବା ପରେ ପଚା ଦୁର୍ଗନ୍ଧ ବି ବାହାରିଲାଣି। ଶୁଖିଲା ଜାଗା ବୁଡ଼ିଯିବାରୁ ସାପ ଘରେ ପଶୁଛନ୍ତି। ଫଳରେ ଜୀବନମରଣ ଭିତରେ ଦିନ ବିତାଉଛନ୍ତି ସୁଜାତାନଗରବାସୀ। ସମାନ ଅବସ୍ଥା ଆଖପାଖ ଅଞ୍ଚଳବାସୀଙ୍କର। ଘରୁ ବାହାରିବାକୁ ହେଲେ ଟାୟାର ଅବା କଦଳି ଭାରା ସାହା ଭରସା ପାଲଟିଛି। ନଚେତ୍ ଛାତିଏ ଉଚ୍ଚର ପାଣି ଭିତରେ ଯା’ଆସ କରିବାକୁ ପଡ଼ୁଛି।
ସେପଟେ ଛାତ୍ରଛାତ୍ରୀମାନେ ବି ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଆଗକୁ ପରୀକ୍ଷା ଥିବାବେଳେ ଛାତ୍ରଛାତ୍ରୀମାନେ କିଭଳି ପାଣିରେ ଯିବେ ଓ ପରୀକ୍ଷା ଦେବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ରାସ୍ତା ଉପରେ ଛାତିଏ ଅବା ବେକେ ଉଚ୍ଚରେ ପାଣି ଚାଲୁଛି। ଘରେ ପାଣି ପଶିଥିବାରୁ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି ବୋଲି ସାହି ବାସିନ୍ଦା କହିଛନ୍ତି।। ଅନ୍ୟପଟେ ସୁଜାତାନଗରରେ ଯେଉଁମାନଙ୍କ ଘରଦ୍ବାରା ପାଣିରେ ବୁଡ଼ିଯାଇଛି, ସେମାନେ ରାସ୍ତା ଉପରେ ଗାଡ଼ିମୋଟର ଆଦି ରଖୁଛନ୍ତି। କିନ୍ତୁ ଏହାର ସୁଯୋଗ ନେଇ ଚୋରମାନେ ସେମାନଙ୍କ ଦୌରାତ୍ମ୍ୟ ଆରମ୍ଭ କରି ଦେଇଛନ୍ତି। ଗାଡ଼ିରୁ ପେଟ୍ରୋଲ, ପାର୍ଟସ ଆଦି ଚୋରି କରି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।