‘ଦୟା’ରେ ଶହେ ଫୁଟ୍‌ର ଘାଇ, ୪ ପଞ୍ଚାୟତ ଉବୁଟୁବୁ; ଘରେ ଘରେ ବେକେ ପାଣି

ପୁରୀ/କଣାସ : ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଆଜି ସନ୍ଧ୍ୟାରେ ଦୟା ନଦୀ କୂଳ ଲଂଘିବା ଯୋଗୁଁ କଣାସ ବ୍ଲକ୍‌ର ଗଡ଼ମାଟିଆପଡ଼ା, ନୂଆସାହି ନିକଟରେ ଦୟା ନଦୀର ଡାହାଣ ପାର୍ଶ୍ବରେ ଏକ ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ରାତି ପ୍ରାୟ ୮ଟା ବେ‌ଳକୁ ବନ୍ଧ ଭାଙ୍ଗି ଘାଇ ହୋଇଯିବାରୁ ଆଖାପାଖ ଗାଁ’ ବୁଡ଼ିଯାଇଛି। ଜଳସ୍ତର ଯେତିକି ବଢୁଛି, ଘାଇ ସେତିକି ମେଲୁଛି। ଘାଇର ଆକାର ଏମିତି ମେଲିଛି ଯେ ଏହାକୁ ବନ୍ଧାଇବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ପ୍ରଶାସନ ଘାଇ ବନ୍ଧାଇବାକୁ ଉଦ୍ୟମ ଚଳାଇଥିଲେ ବି ସଫଳ ହୋଇ ପାରିନାହିଁ। ସେପଟେ ଘାଇ ଭାଙ୍ଗିବା ଯୋଗୁଁ କଣାସ ବ୍ଲକ୍‌ର ପାଣ୍ଡିଆକେରା, ଗଡ଼ସାନପୁଟ, ବଡ଼ାଶ, ‌ଦୋକଣ୍ଡା ପଞ୍ଚାୟତରେ ଜଳ ପ୍ରଳୟ ଦେଖାଦେଇଛି। ଗାଁ’ରେ ଘରେ ଘରେ ବେକେ ପର୍ଯ୍ୟନ୍ତ ପାଣି ହୋଇଯାଇଛି। ଜନବସତି, ଗାଁ, ଜଙ୍ଗଲ, ପୋଖରୀ ସବୁ ଏକ‌ାକାର ହୋଇଯାଇଛି। ରାତି ବଢିବା ସାଙ୍ଗକୁ ପାଣି ବଢୁଥିବାରୁ ଲୋକଙ୍କୁ ଉଚ୍ଚସ୍ଥାନକୁ ଯିବାକୁ କୁହାଯାଇଛି। କିଛି ଲୋକଙ୍କ ଘର ପାଣି ପଶିଯିବାରୁ ସମାନଙ୍କ ଘରର ଆସବାବପତ୍ର ଭାସିଯାଇଛି।

ଆଜିରାତି ଭିତରେ ଘାଇ ମରାମତି ନ କଲେ ଏହି ୪ ପଞ୍ଚାୟତରେ ବ୍ୟାପକ ଧନଜୀବନ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। କଣାସ ବ୍ଲକ୍‌ର ଏହି ୪ ପଞ୍ଚାୟତ ପୂର୍ବରୁ ପଛୁଆ ପାଣିରେ ବୁଡ଼ି ରହିଥିବା ବେଳେ ଆଜି ଘାଇ ଯୋଗୁଁ ସ୍ଥିତି ଗମ୍ଭୀର ହୋଇଛି। ଘାଇ ଯୋଗୁଁ ୪ ପଞ୍ଚାୟତ ସମେତ ଆଖାପାଖ ଗ୍ରାମର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହେବେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ପୁରୀ ଜିଲ୍ଲାପାଲ ବଲୱନ୍ତ ସିଂହ, ଏସ୍‌ପି ଅଖିଳେଶ୍ବର ସିଂହଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଜିଳ୍ଲାପାଳ ଓ ଏସ୍‌ପି ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର