ବ୍ରହ୍ମପୁର/କାଶୀନଗର : ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଗଞ୍ଜାମର ଋଷିକୁଲ୍ୟା ଓ ଗଜପତିର ବଂଶଧାରା ନଦୀର ଜଳସ୍ତର ବଢ଼ୁଛି। ବଂଶଧାରା ବିପଦ ସଂକେତ ଡେଇଁସାରିଲାଣି। କାଶୀନଗର ଠାରେ ନଦୀର ବିପଦ ସଂକେତ ୫୪.୬୦ ମିଟର୍ ରହିଛି। ଏଠାରେ ସନ୍ଧ୍ୟା ୬ଟା ସମୟରେ ଜଳସ୍ତର ୫୪.୯୫ ମିଟର ଛୁଇଁଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ ରିପୋର୍ଟରୁ ପ୍ରକାଶ।
ଏପଟେ କନ୍ଧମାଳ ଜିଲ୍ଲାରୁ ସୃଷ୍ଟି ହୋଇଥିବା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି। କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ରହିଥିବା କାରଣରୁ ଏସବୁ ବିଭିନ୍ନ ଶାଖା ନଦୀ ହୋଇ ଋଷିକୁଲ୍ୟାରେ ମିଶୁଛି। ଫଳରେ ନଦୀର ଜଳସ୍ତର ବୃଦ୍ଧି ଘଟିଛି। ସୋରଡ଼ା ଠାରେ ଋଷିକୁଲ୍ୟାର ବିପଦ ସଂକେତ ୮୧.୯୯ ମିଟର୍ ରହିଛି। ରିପୋର୍ଟ ଲେଖା ହେବା ବେଳକୁ ଏଠାରେ ୮୦.୧୫ ମିଟର୍ ଜଳସ୍ତର ରହିଥିବା ସୂଚନା ମିଳିଛି। ଜାନିବିଲି ନିକଟରେ ବିପଦ ସଂକେତ ୫୩.୧୮ ମିଟର୍ ରହିଥିବା ବେଳେ ଆଜିର ଜଳସ୍ତର ୫୨.୪୮ ମିଟର୍ ରହିଥିବା ରେକର୍ଡ଼ କରାଯାଇଛି।