ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବ୍ଲକ୍ ଅଞ୍ଚଳରେ ମୋଟ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ପାଇକସମରା ଓ ଧୂମାପାଲି ଗ୍ରାମ ନିକଟ ଖର୍ଲିଯୋରରେ ଭାସିଯାଇ ଧୂମାପାଲି ଗ୍ରାମର ମନୋଜ ନାଗ (୨୪ବର୍ଷ)ଙ୍କ ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁସାରେ, ରବିବାର ସକାଳୁ ସେ ଯୋରକୁ ଯାଇଥିଲେ। ବନ୍ୟାଜଳରେ ବଡ଼ ବଡ଼ କାଠଗଣ୍ତି ଭାସି ଆସୁଥିବା ଦେଖି ତାକୁ କୂଳକୁ ଆଣିବାକୁ ସେ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍ ସେ ସ୍ରୋତରେ ଭାସିଯାଇଥିଲେ। ନିକଟରେ ଥିବା କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସଇନ୍ତଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ବ୍ଲକ୍ କଲୋନିରେ ରହୁଥିବା ସଇନ୍ତଳା କୋର୍ଟର ବିଚାରପତିଙ୍କ ଘର ସହ ଅନ୍ୟ ଦୁଇଟି କ୍ବାର୍ଟର୍ସକୁ ପାଣି ପଶିଥିଲା। ସଇନ୍ତଳା- ଟିକ୍ରାପଡ଼ା ରାସ୍ତାର ବ୍ରାହ୍ମଣୀଯୋର ପୋଲ ଉପରେ ବଢ଼ିପାଣି ଚାଲିଥିବାରୁ ସେହି ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସକାଳେ ଏହି ରାସ୍ତା ଦେଇ କଣ୍ଟାବାଞ୍ଜି ଯାଉଥିବା ଏକମାତ୍ର ବସ୍ଟି ମଧ୍ୟ ପୋଲରେ ପାଣି ଯାଉଥିବାରୁ ଫେରି ଆସିଥିଲା। ଜାତୀୟ ରାଜପଥ ୨୬ର ବରହାମାଲ ଗ୍ରାମ ନିକଟରେ ରାସ୍ତା କଡ଼ର ଏକ ବଡ଼ ତେନ୍ତୁଳି ଗଛ ଉପୁଡ଼ି ପଡ଼ିବାରୁ ୩ଘଣ୍ଟାରୁ ଅଧିକ ସମୟଧରି ରାସ୍ତା ବନ୍ଦ ହୋଇଥିଲା। ଫଳରେ ଶହ ଶହ ଯାନବାହନ ସହ ଆମ୍ବୁଲାନ୍ସ ଅଟକି ରହିଥିଲା।
/sambad/media/post_attachments/wp-content/uploads/2022/07/18-13.jpg)
ସଇନ୍ତଳା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ରାସ୍ତାରୁ ଗଛ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଲାନ୍ଥନଦୀରେ ବନ୍ୟାଜଳ ଆସିବାରୁ ସଇନ୍ତଳା- ବାଦିପଡ଼ା ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଥିଲା। ଛକୋରବାଞ୍ଜି ଓ ସାନଦାସମୁଣ୍ତା ଗ୍ରାମବାସୀଙ୍କୁ ମୁଖ୍ୟ ରାସ୍ତାକୁ ଆସିବା ପାଇଁ ରେଳ ବିଭାଗ ତରଫରୁ କରାଯାଇଥିବା ଭୂତଳ ପୋଲରେ ଅଣ୍ଟାଏ ପାଣି ଜମି ରହିଥିବାରୁ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି। ଲାନ୍ଥ ନଦୀର ବନ୍ୟାଜଳରେ ଜଗନ୍ନାଥଙ୍କ ଏକ କାଠମୂର୍ତି ଭାସି ଆସୁଥିବା ବେଳେ କେରମେଲି ପଞ୍ଚାୟତ ବନାରସ ଗ୍ରାମବାସୀ ତାକୁ ଉଦ୍ଧାର କରି ମନ୍ଦିରରେ ରଖି ପୂଜାର୍ଚ୍ଚନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-15.jpg)