ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଖରସ୍ରୋତା ଫୁଲିଲା : କମୁଛି ବୈତରଣୀ, ବୁଢାବଳଙ୍ଗ, ଜଳକା

ବର୍ଷା ଓ ବନ୍ୟାରେ ୭ମୃତ, ୨ ନିଖୋଜ, ୩ଟି ଘାଇ
ଶହ ଶହ ଗାଁ ଜଳବନ୍ଦୀ, ଆଶ୍ରୟସ୍ଥଳରେ ୭୦୦୦ ଲୋକ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାର ୪ଜଣ, କେନ୍ଦୁଝରର ଦୁଇଜଣ ଏବଂ ସୁନ୍ଦରଗଡ ଜିଲ୍ଲାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କେଉଁଠି କାନ୍ଥପଡି ଓ ଆଉ କିଏ ନଦୀରେ ବୁଡିଯାଇଛନ୍ତି। ମୟୂରଭଂଜ ଓ ବରଗଡରେ ଜଣେ ଲେଖାଏଁ ନିଖୋଜ ଥିବା ଜଣାପଡ଼ିଛା। ୩ହଜାର ପାଖାପାଖି କଚ୍ଚା ଘର ଭାଙ୍ଗିଛି। ୭ହଜାର ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି। ଯାଜପୁର ଜିଲ୍ଲାର ଦଶରଥପୁରରେ ଦୁଇଟି ଓ ଯାଜପୁର ବ୍ଲକରେ ଗୋଟିଏ ଏହିଭଳି ମୋଟ ୩ଟି ଘାଇ ହୋଇଛି। ଏଥିସହିତ ବନ୍ୟା ପ୍ରଭାବରେ ଏବେ ଶହ ଶହ ଗାଁ ଓ ପଡ଼ା ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ହେକ୍ଟର ଚାଷ ଜମି ଉପରେ ଢେଉଖେଳୁଛି।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଓ ତଦ୍‌ଜନିତ ବନ୍ୟାର ଏଭଳି ସଙ୍ଗିନ୍ ପ୍ରଭାବ ପଡ଼ିଛି ରାଜ୍ୟରେ। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ, ବୈତରଣୀ କମୁଛି ଓ ବୁଢାବଳଙ୍ଗ ସ୍ଥିର ରହିଛି। ଜଳକା କିନ୍ତୁ ଦ୍ରୁତ କମିବା ଆରମ୍ଭ କଲାଣି। ଅନ୍ୟପକ୍ଷରେ ଝାଡଖଣ୍ଡର ଗାଲୁଡି ଡ୍ୟାମ୍‌ ଜଳ ଛାଡିବା ଦ୍ବାରା ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲାଣି। ସେହିଭଳି ଉପରମୁଣ୍ଡରେ ଭୀଷଣ ବର୍ଷା କାରଣରୁ ରେଙ୍ଗାଳି ଡ୍ୟାମ୍‌ରୁ ଜଳ ଛଡ଼ାଯାଉଛି ଓ ଏବେ ବ୍ରାହ୍ମଣୀରେ ମଧ୍ୟ ବନ୍ୟା ଆସୁଛି। ଉଭୟ ନଦୀରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ହେବ। ଖରସ୍ରୋତା ବି ଏହାର ପ୍ରଭାବରେ ଫୁଲିବ। ସୁବର୍ଣ୍ଣରେଖା ବନ୍ୟାର ପ୍ରଭାବ ମୟୂରଭଂଜର ଗୋଟିଏ ଓ ବାଲେଶ୍ବରର ଚାରିଟି ବ୍ଲକରେ ରହିବ। ସେହିଭଳି ବ୍ରାହ୍ମଣୀ ଏବଂ ଖରସ୍ରୋତା ବନ୍ୟାରେ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। ଆସନ୍ତାକାଲି ଠାରୁ ବ୍ରାହ୍ମଣୀ ପାଣି ତଳିଆ ଅଞ୍ଚଳରେ ପ୍ରଭାବ ରଖିବା ଆରମ୍ଭ କରିପାରେ।

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ ବୈତରଣୀ ନଦୀର ଆଖୁଆପଦା ଠାରେ ବନ୍ୟା ଜଳ ୨୦.୨୦ ମିଟର ଯାଏ ପହଞ୍ଚିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ରାତି ୯ଟା ସମୟର ରିପୋର୍ଟ କହୁଛି, ଏଠାରେ ଜଳସ୍ତର ୨୦.୦୬ମିଟରରେ ପହଞ୍ଚିବା ପରେ କମିବା (୨୦.୦୨ମି) ଆରମ୍ଭ କରିଛି। ଜଳକା ନଦୀର ବିପଦ ସଙ୍କେତ ମଥାନି ଠାରେ ୫.୫୦ ମିଟର ରହିଛି। ଏଠାରେ ଜଳସ୍ତର ଆଜି ସକାଳେ ୭.୦୫ ମିଟର ଯାଏ ପହଞ୍ଚିବା ପରେ କମିବା ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ୬.୮୩ ମିଟର ଛୁଇଁଲାଣି। ସେହିଭଳି ବୁଢାବଳଙ୍ଗରେ ଏନ୍‌ଏଚ୍‌-୫ଠାରେ ବିପଦ ସଙ୍କେତ ୮.୧୩ ମିଟର ରହିଛି। ଏଠାରେ ଜଳସ୍ତର ୮.୪୦ମିଟରରେ ପହଞ୍ଚିବା ପରେ ମଧ୍ୟାହ୍ନ ୧୨ଟା ପରଠାରୁ ସ୍ଥିର ରହିଛି।

ହେଲେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସେମାନେ ଗାଲୁଡି ଡ୍ୟାମ୍ ଖୋଲିଛନ୍ତି ଓ ୫୫୦୦ କ୍ୟୁସେକ୍ ଜଳ ଆସୁଛି। ଏହି କାରଣରୁ ସୁବର୍ଣ୍ଣରେଖା ବଢିବା ଆରମ୍ଭ କରିଛି। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ମିଟର ଥିଲେ ହେଁ ସତର୍କ ସଙ୍କେତ (୯.୪୫ମିଟର) ଉପରେ ଅର୍ଥାତ୍ ୯.୮୪ ମିଟର ଉପରେ ଜଳସ୍ତର ରହିିଛି ଓ ବଢୁଛି। ଏହା ଆସନ୍ତାକାଲି ସୁଦ୍ଧା ବିପଦ ସଙ୍କେତ ଟପିଯାଇପାରେ।

ବ୍ରାହ୍ଣଣୀର ଉପରମୁଣ୍ଡରେ ଭୀଷଣ ବର୍ଷା େହାଇଛି। ରେଙ୍ଗାଳିକୁ ଘଣ୍ଟା ପ୍ରତି ୫ଲକ୍ଷ ୪୦୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ଟି ଗେଟ୍‌ ଦେଇ ୪ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଏଣୁ ବ୍ରାହ୍ମଣୀ ବଢିବା ଆରମ୍ଭ କରିଛି ଓ ଖରସ୍ରୋତା ବି। ଆସନ୍ତାକାଲି ସକାଳେ ଯାଜପୁର ପଙ୍କପାଳ ଠାରେ ସେକେଣ୍ଟ ପ୍ରତି ୨ଲକ୍ଷ ୫୦ହଜାର କ୍ୟୁସେକ୍‌ରୁ ୩ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏହାର ପ୍ରଭାବରେ ଯାଜପୁର ଜିଲ୍ଲା ଓ କେ୍ନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାତି ୯ୟା ବେଳକୁ ବ୍ରାହ୍ଣଣୀ ବିପଦ ସଙ୍କେତ (ଜେନାପୁର ଠାରେ ୨୩.୦୦ ମିଟର) ଠାରୁ ସାମାନ୍ୟ ତଳେ (୨୨.୮୧ ମିଟର) ପ୍ରବାହିତ ହେଉଛି। ଏସବୁ ଅଞ୍ଚଳ ପ୍ରତି ପ୍ରଶାସନକୁ ସତର୍କ କରାଯିବା ସହିତ ରାତି ତମାମ ନଦୀ ବନ୍ଧ ପାଟ୍ରୋଲିଂ କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି। ସେହିପରି ପାଣି ଛାଡିବା କ୍ଷଣି କୃଷି ଓ ଭାଙ୍ଗିଯାଇଥିବା ଆକଳନ କରି ରିପୋର୍ଟ ଦେବା ଲାଗି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର