ସୁବର୍ଣ୍ଣରେଖାର ଘଣ୍ଟାଏ କୋପ: ଭୋକ ଉପାସରେ ଶହଶହ ପରିବାର

ମଣିଷ ଓ ଗୃହପାଳିତ ପଶୁ ଆକ୍ତାମାକ୍ତା, ୨୨ ଘଣ୍ଟା ପରେ ବି ପହଞ୍ଚିନି ପ୍ରଶାସନ

ଜଳେଶ୍ବର, (ସତ୍ୟବ୍ରତ ପ୍ରଧାନ): ସୁବର୍ଣ୍ଣରେଖା କୂଳରେ ସେମାନଙ୍କର ଘର। ବନ୍ୟାବାତ୍ୟା ସେମାନଙ୍କ ପାଇଁ କିଛି ନୂଆ କଥା ନୁହେଁ। କିନ୍ତୁ ଘଣ୍ଟାଏ ମଧ୍ୟରେ ବନ୍ୟା ଯେ ପ୍ରଳୟ ରଚିପାରେ, ତାହା ଏଥର ବନ୍ୟାରୁ ଶିଖିଲୁ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତ ଖଳାବାଡ଼ିଆ ଗାଁର ପଶୁପତି ନାୟକ। ସୁବର୍ଣ୍ଣରେଖାର ଜଳସ୍ତର ସହିତ ବନ୍ୟାର ପ୍ରଭାବ କମିଥିଲେ ବି ପଶୁପତିଙ୍କ ଭଳି ଅନେକ ଏଥର ନୂଆ ଅନୁଭୂତି ସାଉଁଟିଛନ୍ତି। ଏହି ଅନୁଭୂତି ଭିତରେ ବାରି ହୋଇପଡ଼ିଛି ସେମାନଙ୍କର ଦୁଃଖ, ଯାହାକୁ କି ‘ଗ୍ରାଉଣ୍ଡ ଜିରୋ’ରୁ ଜାଣିବାକୁ ପାଇଛି ‘ସମ୍ବାଦ’।

ପଶୁପତିଙ୍କ କହିବା ଅନୁଯାୟୀ, ଗତକାଲି ବନ୍ୟା ଆସିବ ବୋଲି ଆମେ ଟିଭିରେ ଦେଖିଥିଲୁ। ସେହି ଅନୁସାରେ ବନ୍ୟା ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରୁଥିଲୁ। ହେଲେ କେହି କିଛି ବୁଝିବା ଆଗରୁ ସୁବର୍ଣ୍ଣରେଖା ନଦୀ ହଠାତ ଉଛୁଳିଲା। ମାତ୍ର ଘଣ୍ଟାଏ ମଧ୍ୟରେ ଗାଁ ଦାଣ୍ଡ, ଘରଦ୍ୱାର, ଗୁହାଳଘର, ଚୁଲି, ପାଇଖାନା, ନଳକୂପ ସବୁକିଛି ପାଣିରେ ବୁଡ଼ିଗଲା। ଘରୁ ପଦାକୁ ବାହାରିବା ବେଳକୁ କେଉଁଠି ଅଣ୍ଟେ ତ ଆଉ କେଉଁଠି ଛାତିଏ ପାଣି। ଗତକାଲି ଦ୍ବିପ୍ରହରରୁ ଅଦ୍ୟାବଧି ୨୨ ଘଣ୍ଟାରୁ ଅଧିକ ସମୟ ଧରି ଖଳାବାଡ଼ିଆ ଗାଁର ଶତାଧିକ ପରିବାର ପିଲାଛୁଆ ସହ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଭୋକଉପାସରେ ରହିଥିବା ଏସବୁ ପରିବାର ନିକଟରେ ଏଯାବତ୍‌ ପହଞ୍ଚିନି ପାଣି, ଖାଦ୍ୟ। ଘରେ ଯାହା କିଛି ଶୁଖିଲା ଖାଦ୍ୟ ଥିଲା, ସେସବୁ ପିଲାଛୁଆଙ୍କ ପେଟରେ ଯାଇଛି। ପାଣିଘେରରେ ଥିବା ପରିବାରର ବୟସ୍କମାନଙ୍କ ଅବସ୍ଥା ଆହୁରି ଦୟନୀୟ। ଭୋକଉପାସରେ ଆଉ କେତେ ଘଣ୍ଟା ରହିବାକୁ ପଡ଼ିବ, କାହାକୁ ଜଣାନାହିଁ ବୋଲି କହିଛନ୍ତି ଗ୍ରାମର ଅଶ୍ବିନୀ ନାୟକ ଓ ପଦ୍ମିନୀ ରାଉଳ। ତଥାପି ବୁଡ଼ିଯାଉଥିବା ଲୋକକୁ କୁଟାଖିଅ ଆଶ୍ରା ଭଳି ସମସ୍ତେ ଚାହିଁ ବସିଛନ୍ତି କେତେବେଳେ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ଖାଦ୍ୟ ଓ ପାଣି ଯୋଗାଇବ।

କେବଳ ମଣିଷ ନୁହେଁ, ଗୋରୁଗାଈ, ଛେଳିଙ୍କର ବି ସମଦଶା। ପାଣି ଭିତରେ ଗତକାଲିଠାରୁ ସେମିତି ଭୋକଉପାସ ଓ ଶୋଷରେ ଛିଡ଼ା ହୋଇ ରହିଛନ୍ତି ଶତାଧିକ ପଶୁଧନ। ବନ୍ୟାସ୍ରୋତରେ ନଡ଼ାଗଦା ସବୁ ଭାସିଯାଇଛି। ଏଭଳି ଅବସ୍ଥାରେ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରି ପାରୁନଥିବା ମାଲିକମାନେ ସେମାନଙ୍କ ପାଇଁ ବା କିପରି ଖାଦ୍ୟ ଯୋଗାଡ଼ କରିପାରିବେ? ଅନ୍ୟପକ୍ଷରେ ଖଳାବାଡ଼ିଆ ଗାଁର ଅନେକ ଲୋକଙ୍କ ଘର ଭିତରେ ୪ ଫୁଟ୍‌ ପାଣି। ବନ୍ୟାଜଳରେ ଧାନଚାଉଳ ସହିତ ବିଭିନ୍ନ ଜିନିଷ ଭାସିଯାଇଛି। ପାଣିରେ ବତୁରି ଯାଇଥିବା ମାଟିଘର କାନ୍ଥ ଠାଏ ଠାଏ ଧସିଗଲାଣି। ବନ୍ୟାଦାଉରୁ ସୁରକ୍ଷା ପାଇଁ ଗାଁରେ ଯେଉଁ ସ୍କୁଲଘରକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଥିଲା, ତାହା ମଧ୍ୟ ପାଣିରେ ‌ବୁଡ଼ିଯାଇଛି। ଫଳରେ ବିପନ୍ନ ପରିବାରଗୁଡ଼ିକ ଘରଦ୍ୱାର ଛାଡ଼ି ଏବେ ଭୂୟାଁବନ୍ଧ ଉପରେ ଜରିପାଲ ପକାଇ ଆଶ୍ରୟ ନେଇଛନ୍ତି। ଖାଦ୍ୟ କିମ୍ବା ପିଇବା ପାଣି ନଥିବାରୁ ସମସ୍ତେ କଲବଲ ହେଉଛନ୍ତି ବୋଲି ଗାଁର ପ୍ରଦୀପ ପିଳା, ସନାତନ ପରିଡ଼ା, ପ୍ରଦୀପ ଘଡ଼ାଇ, ଦେବାଶିଷ ପ୍ରଧାନ କହିଛନ୍ତି। ନଳକୂପଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ଅନ୍ତତପକ୍ଷେ ପିଇବା ପାଣିର ଆଗ ବ୍ୟବସ୍ଥା କରିବାକୁ ସେମାନେ ବିନତି କରିଛନ୍ତି।

ଖଳାବାଡ଼ିଆ ଗାଁକୁ ଲାଗିରହିଥିବା କୋହ୍ଲା ଗାଁରେ ମଧ୍ୟ ସମାନ ଅବସ୍ଥା। ଗାଁର ୫୦ରୁ ଊର୍ଦ୍ଧ୍ବ ପରିବାର ଭୂଆବନ୍ଧ ଉପରେ ପିଲାଛୁଆ, ଗୋରୁଗାଈ, ଛେଳି ସହ ପଲିଥିନ୍‌ ତଳେ ଅତି ଦୟନୀୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିଛନ୍ତି। ଏହି ପରିବାରଗୁଡ଼ିକୁ ଗତକାଲି ସନ୍ଧ୍ୟାରେ ପ୍ରଶାସନ କିଲେ ଲେଖା ଚୁଡ଼ା ଦେଇ କାମ ସାରିଦେଇଛି ବୋଲି ଅଭିଯୋଗ କରିଛନ୍ତି ବନ୍ୟା ପ୍ରପୀଡ଼ିତ ପର୍ଶୁରାମ ଦଳାଇ, ନକୁଳ ଦଳାଇ, ବସନ୍ତ ଦଳାଇ, ସୁବଲ, ଲକ୍ଷ୍ମୀକାନ୍ତ ବାରିକ, ଗଙ୍ଗାଧର ବାରିକ, ବିମଳା ବେହେରା, ମାଖନ ବାରିକ ପ୍ରମୁଖ। ବନ୍ୟାଦାଉ ସାଙ୍ଗକୁ ଭୋକଜ୍ବାଳାରେ ଏବେ ମଣିଷ ଓ ଗୃହପାଳିତ ପଶୁପକ୍ଷୀ.., ସଭିଁଏ ଆକ୍ତାମାକ୍ତା।

ସମ୍ବନ୍ଧିତ ଖବର