ଭୟଙ୍କର ହେଉଛି ସୁବର୍ଣ୍ଣରେଖା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ଧରଣର ବନ୍ୟା ଭୟ

ବାଲେଶ୍ବର/ଜଳେଶ୍ବର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା। ଡ୍ୟାମ୍‌ରେ ଉଛୁଳା ପାଣି ପଶିବାରୁ ଝାଡ଼ଖଣ୍ଡ ଗାଲୁଡ଼ିହ ବ୍ୟାରେଜ୍ କର୍ତ୍ତୃପକ୍ଷ ଶନିବାର ଦିନ ୧୬ଟି ଗେଟ୍‌ ଖୋଲିଥିବା ବେଳେ ରବିବାର ଆଉ ଦୁଇଟି ଗେଟ୍‌ ଖୋଲିଛନ୍ତି। ମୋଟ୍‌ ୧୮ଟି ଗେଟ୍‌ ଯୋଗେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣା, ରାସଗୋବିନ୍ଦପୁର ବ୍ଳକ ସହିତ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି) କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ହେଲିକେପ୍‌ଟର ମଧ୍ୟ ମୁତୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକତା ଅନୁସାରେ ଜିଲ୍ଲାପାଳ ଏହି ହେଲିକେପ୍‌ଟରକୁ ଉଦ୍ଧାର ଓ ରିଲଫ୍‌ କାମରେ ବ୍ୟବହାର କରିପାରିବେ। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକରୁ ୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଭୋର୍‌ ସୁଦ୍ଧା ବନ୍ୟାପ୍ରବଣ ୩୩୬ଟି ଗାଁରୁ ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି।

୩୩୬ଟି ଗାଁରୁ ଦେଢ଼ ଲକ୍ଷ ଲୋକ ସ୍ଥାନାନ୍ତର
ଦୁର୍ବଳ ନଦୀବନ୍ଧ ଚିନ୍ତା, ହେଲିକପ୍ଟର ମୁତୟନ
ଝାଡ଼ଖଣ୍ଡ ଡ୍ୟାମ୍‌ର ୧୮ ଗେଟ୍‌ ଖୋଲା

ବାଲେଶ୍ବର ତଳିଆ ଅଞ୍ଚଳରେ ଓଡ୍ରାଫ୍‌ ଟିମ୍‌ର ରେସ୍କ୍ୟୁ ଅପରେସନ୍‌ ଜାରୀ

ବନ୍ୟା ମୁକାବିଲା ଲାଗି ୫ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଜଳେଶ୍ବର ବ୍ଲକ ପାଇଁ ଏଡିଏମ୍ ନିଲୁ ମହାପାତ୍ର, ଭୋଗରାଇ ବ୍ଲକ ପାଇଁ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ବାଲିଆପାଳ ବ୍ଲକ ପାଇଁ ପିଡି ରବୀନ୍ଦ୍ର କୁମାର ସାହୁ, ବସ୍ତା ବ୍ଲକ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ଏପିଡି ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ଅଧିକାରୀମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ତହସିଲଦାର, ବିଡିଓ ଓ ଅନ୍ୟ ପଦାଧିକାରୀଙ୍କୁ ସହଯୋଗ କରିବେ। ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଞ୍ଚଳରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରଖାଯାଇଛି। ଆରୁହାବୃତ୍ତି, ଖରିଦପିପଳ, ନାଚିନ୍ଦା, କୁମ୍ଭୀରଗଡ଼ି ଓ ଗବଗାଁରେ ଥିବା ସିଏଚସି ଓ ପିଏଚ୍‌ସିଗୁଡ଼ିକରେ ୨୦ ଜଣ ଡାକ୍ତର ଓ ଏକାଧିକ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି ବାଲିଆପାଳ ଓ ବସ୍ତା ବ୍ଲକରେ ୨ଟି ଲେଖା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌କୁ ମୁତୟନ କରାଯାଇଛି।

ରବିବାର ସଂଧ୍ୟା ୬ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଡେଇଁ ୧୧.୦୧ ମିଟରରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳେ ୭.୩୬ ମିଟରରେ ପ୍ରବାହିତ ହେଉଥିଲା। ଜଳକା ନଦୀରେ ପାଣି କମୁଥିଲେ ମଧ୍ୟ ବିପଦ ସଙ୍କେତ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସଂଧ୍ୟା ୬ଟା ସୁଦ୍ଧା ୬.୭୦ ମିଟର ରହିଥିଲା।

୨୦୦୭ ମସିହାରେ ସୁବର୍ଣ୍ଣରେଖାରେ ବଡ଼ଧରଣର ବନ୍ୟା ଆସିଥିଲା। ଏଥର ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଜଳେଶ୍ବର ବ୍ଲକର ୨୮ଟି ପଞ୍ଚାୟତର ୧୬୯ଟି ଗାଁ, ଭୋଗରାଇ ବ୍ଲକର ୨୩ଟି ପଞ୍ଚାୟତର ୧୨୫ଟି ଗାଁ, ବାଲିଆପାଳ ବ୍ଲକର ୧୨ଟି ପଞ୍ଚାୟତର ୨୫ଟି ଗାଁ ଓ ବସ୍ତା ବ୍ଲକର ୭ଟି ପଞ୍ଚାୟତର ୧୭ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ବିଶେଷ କରି ସୁବର୍ଣ୍ଣରେଖାର ଦୁର୍ବଳ ନଦୀବନ୍ଧ ଲୋକଙ୍କ ଚିନ୍ତା ବଢ଼ାଇଛି। ଆଜି ଜିଲ୍ଲାପାଳ ଶ୍ରୀ ସିନ୍ଦେ ଜଳେଶ୍ବର, ଭୋଗରାଇ, ବାଲିଆପାଳ ବ୍ଲକର ଦୁର୍ବଳ ନଦୀବନ୍ଧ ପରିଦର୍ଶନ କରି ସରକାରୀ ପଦାଧିକାରୀଙ୍କ ସହ ବନ୍ୟା ମୁକାବିଲା ଓ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବନ୍ୟା ସମୟରେ ଜଳେଶ୍ବରର ଗୋବରଘାଟା, ଲକ୍ଷ୍ମଣନାଥ, ରାଜପୁର, ବାଇଗଣବାଡ଼ିଆ, ଝାଡ଼ପିପଳ, ଆରଆରପୁର, ପଶ୍ଚିମବାଡ଼, ଭୋଗରାଇର କୁମ୍ଭୀରଗଡ଼ି, ଖରିଦପିପଳ, ଆରୁହାବୃତ୍ତି, ଗବଗାଁ, ନାଚିନ୍ଦା, ବାଲିଆପାଳ ବ୍ଲକର ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା, ଅସ୍ତି, ବସ୍ତା ବ୍ଲକର ଚୋରମରା, ରଘୁନାଥପୁର ଓ କାଦରାୟାଁ ପଞ୍ଚାୟତଗୁଡ଼ିକ ସବୁଠୁ ଅଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏସବୁ ପଞ୍ଚାୟତରେ ନଦୀବନ୍ଧଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବାଲେଶ୍ବରରେ ପହଞ୍ଚି ବନ୍ୟା ମୁକାବିଲା ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ସହିତ ଏକ ଟିମ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ବୋଲି ସୂଚନା ମିଳିଛି। ଏପଟେ ଜଳକା ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ବସ୍ତା ଓ ବାଲେଶ୍ବର ସଦର ବ୍ଲକର ୬୦ରୁ ଅଧିକ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷଜମି ସହିତ ଗାଁ ଗାଁରେ ଲୋକଙ୍କ ଘର ଓ ରାସ୍ତା ବୁଡ଼ି ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ବୁଢ଼ା‌ବଳଙ୍ଗ ନଦୀରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିନାହିଁ। କିଛି ସ୍ଥାନରେ ଜଳକା ଓ ବୁଢ଼ାବଳଙ୍ଗ ନଦୀରୁ ଜଳସ୍ତର କମିବା ଆରମ୍ଭ ହୋଇଛି। ତେଣୁ ବୁଢ଼ାବଳଙ୍ଗରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ନଥିଲେ ବି ଦୁର୍ବଳ ନଦୀବନ୍ଧ ଓ ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଘରଦ୍ବାର, ଚାଷଜମି ଓ ରାସ୍ତାଘାଟ ବୁଡ଼ିଯାଇଛି। ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର ନଦୀଜଳରେ ରେମୁଣା ଓ ବାଲେଶ୍ବର ସଦର ବ୍ଲକର ୧୫ ହଜାରରୁ ଅଧିକ ହେକ୍ଟର ଜମିରେ ଧାନଫସଲ ସମ୍ପୂର୍ଣ୍ଣ ‌ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର