କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ଟଳମଳ: ଜଳଘେରରେ ୫୦ ଗାଁ, ଆଶ୍ରୟସ୍ଥଳୀରେ ୩ ଶହ

ବାଲିଅନ୍ତା/ବାଲିପାଟଣା: ମଙ୍ଗଳବାର ସଂଧ୍ୟା ସୁଦ୍ଧା କୁଶଭଦ୍ରା, କୁଆଖାଇ ଓ ଭାର୍ଗବୀ ନଦୀ ଟଳମଳ ଅବସ୍ଥାରେ ରହିଛି। କୁଶଭଦ୍ରାରେ ବିପଦ ସଙ୍କେତ ୧୮.୨୫ ମିଟର ଥିବା ବେଳେ ବନ୍ୟା ଜଳ ୧୭.୯୦ ମିଟରରେ ପ୍ରବାହିତ ହେଉଛି। ତେଣୁ ବିପଦ ସଂକେତ ଛୁଇଁବାକୁ ଆଉ ମାତ୍ର ୦.୩୫ ମିଟର ବାକି ରହିଛି। ହୀରାକୁଦରୁ ଅଧିକ ଜଳ ଆସୁଥିବାରୁ ମଙ୍ଗଳବାର ରାତିରେ କାଠଯୋଡ଼ି ଫୁଲିବ। ତେଣୁ ରାତି ସୁଦ୍ଧା କୁଶଭଦ୍ରା ବିପଦସଙ୍କେତ ଛୁଇଁବାର ସମ୍ଭାବନା ରହିଛି। ଆଜି ଦିନରୁ ହିଁ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୫୦ରୁ ଅଧିକ ଗାଁ ଜଳବନ୍ଦି ହୋଇସାରିଛି। କିଛି କିଛି ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ଛୁଟିଛି। ପ୍ରାୟ ୩ ଶହ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ତେଣୁ ଏଭଳି ସ୍ଥିତିରେ ଆଜି ରାତିରେ ଯଦି ନଦୀମାନେ ବିପଦସଂକେତ ଛୁଅନ୍ତି, ବଡ଼ ଭୟଙ୍କର ଅବସ୍ଥା ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମ୍ଭାବ୍ୟ ସ୍ଥାନରେ ନଦୀବନ୍ଧକୁ ଜଗି ରହିଛନ୍ତି। ଆବଶ୍ୟକ ପଡ଼ିଲେ, ରାତିରେ କିଛି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି।

ସୂଚନାନୁସାରେ ଦନାପଡ଼ା, ଆଳିସିଶାସନ, ପୁରୋହିତପୁର, ନଅବାଟି ଓ ତେରବାଟି ଆଦି ଗାଁ ଦାଣ୍ଡରେ ବନ୍ୟା ପାଣିର ସୁଅ ଚାଲୁଛି। କୁଶଭଦ୍ରା ନଦୀରେ ଥିବା ବଇଁଚୁଆସ୍ଥିତ କାଜ ବୁଡ଼ି ଧନୁଆ ନଈରେ ପାଣି ପଶିବା ଫଳରେ କିଛି ତଳିଆ ଗାଁ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି ଭାର୍ଗବୀ ନଦୀ ଅଚ୍ୟୁତପୁର କାଜ ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳ ବାଲିପାଟଣାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏହି ବ୍ଲକର ରାଜସ, ଆଳିସି, ପମ୍ପାଲୋ, କୁରୁଞ୍ଜିପୁର, ତୁରିନ୍ତିରା, ସୋମଣା ପଞ୍ଚାୟତର ବହୁ ଗାଁରେ ବନ୍ୟା ପାଣି ମାଡ଼ିଛି। ବାଲିପାଟଣା ରାଜସ ରାସ୍ତାର କୃଷ୍ଣପୁର ବ୍ରିଜ ଉପରେ ୪ ଫୁଟ୍‌ ଉଚ୍ଚର ପାଣି ଚାଲୁଛି। ସେହିପରି ମଧୁବନ ଆଳିସି ରାସ୍ତା ଦନାପଡା ରାସ୍ତାର କିଛି ଅଂଶ ବୁଡ଼ିଯାଇଛି। ଫଳରେ ସେହିସବୁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ଏହା ବାଦ୍‌ ବେଲମରା, ବିନ୍ଧା, ଦେଉଳ ପୋଖରୀ, ଡ଼ିହସାହି, କଙ୍କଡା ହୁଡ଼ା, କୁରୁଞ୍ଜିପୁର, ଘାସି ଅନ୍ଧୁଟି, ଦଳ କଷଟି, ମାଛପୁର, ଇନ୍ଦୋଳ କୁସିଆରି, ନିଶ୍ଚିନ୍ତପୁର, ବିଲସାହି, ଆରପଦା, ଜୈନାବାଦ, ଟିଙ୍କିପଡ଼ା, ଦରଡ଼ା, ଡେଙ୍ଗ, ନୂଆପଡ଼ା, ପମ୍ପାଲୋ, କୁଳନ୍ତିରା, କୃଷ୍ଣପୁର, ଗରିଆ, ଅଙ୍ଗାରପଡ଼ା, ଦୋରବାଙ୍ଗ ହରିଜନ ସାହି, ଜେନାସାହି, ଓଡ଼ଖଣ୍ଡ, ଜିତେନା, ବରଡ଼ିହ ସାହି, ତେଲିଚୌକା ପ୍ରଭୃତି ଗାଁ ଚାରିପଟେ ଜଳ ଘେରି ରହିଛି। ସେସବୁ ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପାଣି ଘେରରେ ଫସି ରହିଥିବା ଜଣାପଡ଼ିଛି। ବହୁ ଲୋକଙ୍କ ଅନେକ ଘରେ ପାଣି ପଶିଛି।

ଦନାପଡ଼ା ଗ୍ରାମର ଦଳିତସାହି ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ରୋଷେଇବାସ ବନ୍ଦ ହୋଇଯାଇଛି। ଆଜି ସନ୍ଧ୍ୟାରେ ହଠାତ୍ କୁରୁଞ୍ଜିପୁର ପଞ୍ଚାୟତ ବିଲସାହି ଗ୍ରାମରେ ବନ୍ୟାଜଳ ପଶିଯିବାରୁ ୧୦ ଛୋଟ ପିଲାଙ୍କ ସମେତ କିଛି ମହିଳା ଓ ପୁରୁଷଙ୍କୁ ବାଲିପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। କୁଆଖାଇ ନଦୀ କୂଳବର୍ତ୍ତୀ ରଥିଜେମାସ୍ଥିତ ଅଜାଣେଶ୍ବର ମନ୍ଦିର ଓ ଭଗବତୀ ମନ୍ଦିର ଓ ଚଢ଼େଇବର ସ୍ଥିତି ବ୍ରାହ୍ମଣୀ ବୁଢ଼ୀ ଠାକୁରାଣୀ ମନ୍ଦିର ବୁଡ଼ିଯାଇଛି। ତେଣୁ ହୀରାକୁଦରୁ ଅଧିକ ପାଣି ଆସିଲେ ପରିସ୍ଥିତି ସଙ୍ଗିନ ହୋଇଯିବ ବୋଲି ଏବେ ବନ୍ୟା ଘେରରେ ଥିବା ଲୋକେ କହିଛନ୍ତି। ଅଚ୍ୟୁତପୁର କାଜ ନିକଟରେ ଧନୁଆ ନଈବନ୍ଧ ବୁଡ଼ି ଆଖପାଖ ଗ୍ରାମ ଭିତରକୁ ବନ୍ୟା ପାଣି ପଶିବା ଭଳି ପରିସ୍ଥିତି ଉପୁଜିଥିଲା। ତୁରନ୍ତ ସେଠାରେ ବାଲିବସ୍ତା ପକାଇ ପାଣି ରୋକାଯାଇଥିଲା। ଭାର୍ଗବୀ କୂଳ ସିଙ୍ଗିରିଶାସନଠାରେ ବାଲିବସ୍ତା ପକାଇ ନଦୀବନ୍ଧରେ ହେବାକୁ ଯାଉଥିବା ଏକ ଘଳିଆ ମରାମତି କରାଯାଇଥିଲା। ସେହିପରି ବାଳକାଟି ସାଇଫନ୍‌ ନିକଟରେ ଭାର୍ଗବୀ ନଦୀ ବନ୍ଧର ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା।

ସମ୍ବନ୍ଧିତ ଖବର