ରାଜଧାନୀକୁ ବୁଡ଼େଇଦେଲେ : ଧରାପଡ଼ିଲା ମନ୍ତ୍ରୀ, ମେୟର, ବାବୁଙ୍କ ଅପାରଗତା, ୧୨୩ ମିମି ବର୍ଷାରେ ଲୋକେ ୮ଘଣ୍ଟା ଜଳବନ୍ଦୀ

୩ ବର୍ଷରେ ୫୦ କୋଟି ଖର୍ଚ୍ଚ, ଗଲା କୁଆ଼ଡ଼େ?

ଭୁବନେଶ୍ୱର : ମାତ୍ର ୧୨୩.୫ ମିଲିମିଟର ବର୍ଷା। ଏତିକିରେ ଆଜି ରାଜଧାନୀ ଭୁବନେଶ୍ୱରକୁ ପାଖାପାଖି ୮ ଘଣ୍ଟା ଧରି ଜଳାର୍ଣ୍ଣବ ହୋଇଯାଇଛି। ବର୍ଷା, ଡ୍ରେନ୍‌ ପାଣିରେ ଉବୁଟୁବୁ ହୋଇଛନ୍ତି ରାଜଧାନୀବାସୀ। ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ସିଆର୍‌ପି ଛକ ନିକଟସ୍ଥ ଇସ୍କନ୍‌ ମନ୍ଦିର ସାମ୍ନାରେ କାର୍‌ ବୁଡ଼ିଗଲା, ବସ୍‌ ଫସିଗଲା ବର୍ଷା ପାଣିରେ। ମହାପ୍ରଭୁ ମେଘେଶ୍ୱର ହଜିଗଲେ ଡ୍ରେନ୍‌ ଜଳ ମିଶା ବର୍ଷା ପାଣିରେ। ପୁରୁଣା ଭୁବନେଶ୍ୱର ସ୍ଥିତି ବେହାଲ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ଚନ୍ଦ୍ରଶେଖରପୁର, ନନ୍ଦନବିହାର ଆଦି ସ୍ଥିତି ତା’ ଚାହିଁ ସଙ୍ଗିନ୍‌।

ଆଜିର ଚିତ୍ର ସୂଚାଇ ଦେଇଛି, ମୁଖ୍ୟମନ୍ତ୍ରୀ ନଗର ଉନ୍ନୟନ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ, ନଗର ଉନ୍ନୟନ ସଚିବ, ମେୟର ଆଉ ବିଏମ୍‌ସି ବାବୁମାନେ ରହୁଥିବା ଭୁବନେଶ୍ୱରରେ ଗତବର୍ଷ ବର୍ଷାଦିନେ ସ୍ଥିତି ଯାହା ଥିଲା, ଏଥର ସେଥିରେ ସୁଧାର ଆସିନି, ବରଂ ବିଗିଡ଼ି ଯାଇଛି। ଯେଉଁ ଭୁବନେଶ୍ୱରର ବିକାଶର ଚିତ୍ରକୁ ସାମ୍ନାରେ ରଖି ସରକାର ପ୍ରଶଂସା ଗୋଟାଉଛନ୍ତି, ସ୍ମାର୍ଟ ସିଟିର ସ୍ମାର୍ଟ କାମ ନେଇ ପ୍ରତିଦିନ ତମ୍ବିତୋଫାନ କରୁଛନ୍ତି, ପୁରସ୍କାର ପାଉଛନ୍ତି, ସେହି ସହରର ଏଭଳି ବିକଳ ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେଲାଣି।

ରାଜଧାନୀବାସୀଙ୍କ ମଧ୍ୟରେ ଆଜିର ସ୍ଥିତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀ ସ୍ଥିତିକୁ ସାମ୍ନାରେ ରଖି ଲୋକେ ସରକାରଙ୍କ ବିକାଶର ଚିତ୍ର କେତେ ତଳକୁ ଭେଦିଛି, ତାହା ଉପରେ ବି ତର୍ଜମା ଆରମ୍ଭ କଲେଣି। ନିର୍ବାଚନ ବର୍ଷରେ ସରକାରଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ।

ଲୋକଙ୍କର ସବୁଠାରୁ ଅଧିକ ଅସନ୍ତୋଷ ଭୁବନେଶ୍ୱର ମହାନଗର ନିଗମର ଲଗାତର ଦୁଇ ଦୁଇ ଥର ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ। ଭୁବନେଶ୍ୱରକୁ ନେଇ ବିଭିନ୍ନ ସମୟରେ ନୂଆ ନୂଆ କଳ୍ପନାର ଚିତ୍ର ସେ ଆଙ୍କିଛନ୍ତି। ଗତବର୍ଷ ବର୍ଷା ଦିନର ଗଣମାଧ୍ୟମ ସାମ୍ନାରେ କହିଥିଲେ, ଆରବର୍ଷ ସ୍ଥିତି ସୁଧୁରିଯିବ। ଆଜି କିନ୍ତୁ ଗୋଟିଏ ଦିନର ବର୍ଷା ପରେ ରାଜଧାନୀବାସୀଙ୍କ ପାଟିରୁ ତାଙ୍କ ବିରୋଧରେ କେବଳ କ୍ଷୋଭ ହିଁ କ୍ଷୋଭ। ସିଧା ସିଧା କହିଛନ୍ତି, ମେୟର ପ୍ରତିଶ୍ରୁତି ଆଳରେ ଆମ ସହିତ ପ୍ରତାରଣା କରିଛନ୍ତି। ଡ୍ରେନ୍‌ ସଫା ନାହିଁ, ପାଣି ଯିବା ପାଇଁ ବାଟ ନାହିଁ, ରାଜଧାନୀ ସାରା ମାଳ ମାଳ ଖାଲ, ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌। ରାଜଧାନୀବାସୀଙ୍କ ଅସନ୍ତୋଷ କାରଣ ହେଉଛି, ଖୋଦ୍‌ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଚିବ ଜି. ମାଥିଭାତନନ୍‌ ବି ଭୁବନେଶ୍ୱର ରହୁଛନ୍ତି। ବର୍ଷା ଦିନର ଏଭଳି ଦୁଃସ୍ଥିତି ଦେଖିବା ପରେ ଥରୁଟିଏ ସମୀକ୍ଷା ବୈଠକ ଡାକି ତନାଘନା କରିନାହାନ୍ତି କି ଲୋକଙ୍କ ଦୁର୍ଦଶା ପରିଖିବା ଲାଗି ଆଗ୍ରହ ଦେଖାଉନାହାନ୍ତି।

ସେହିଭଳି ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ ଆଇଏଏସ୍‌ ଅଫିସର ଏବେ ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟାଳୟରେ ବସୁଛନ୍ତି। ଆଇଏଏସ୍‌ ଅଫିସର ଡ. କ୍ରିଷନ୍‌ କୁମାର ଗତ ଚାରିବର୍ଷ ଧରି ବିଏମ୍‌ସି କମିସନର ଦାୟିତ୍ୱରେ ଅଛନ୍ତି। ସ୍ମାର୍ଟ ସିଟିର ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ବହୁଚର୍ଚ୍ଚିତ ଆଇଏଏସ୍‌ ଅଫିସର ଭିନିଲ୍‌ କ୍ରିଷ୍ଣା। ଅତିରିକ୍ତ ବିଏମ୍‌ସି କମିସନର ଶୁଭମ୍‌ ସାକ୍‌ସେନା ବି ଜଣେ ଆଇଏଏସ୍‌ ଅଫିସର। ଏତେ ଟାଣୁଆ ଅଫିସରଙ୍କୁ ନେଇ ବିଏମ୍‌ସି ବେଶ୍‌ ଓଜନିଆ ହୋଇଛି ସିନା, ରାଜଧାନୀବାସୀଙ୍କ ଦୁର୍ଦଶା କିନ୍ତୁ ଦିନକୁ ଦିନ ଗମ୍ଭୀର ରୂପ ଧାରଣ କଲାଣି। ଏମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ଖୋଲାଖୋଲି ଅସନ୍ତୋଷ ଦେଖାଦେଲାଣି।

ପୂର୍ତ ବିଭାଗ ସଚିବ, ଯନ୍ତ୍ରୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି ବି କିଛି କମ୍‌ ନୁହେଁ। ଫି ବର୍ଷ ଇସ୍କନ ସାମ୍ନାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ ସମାଧାନର ରାସ୍ତା ବାହାର କରାଯାଉଛି ବୋଲି କହି ଅଧିକାରୀମାନେ ତମ୍ବିତୋଫାନ କଲେ। ମାତ୍ର ସ୍ଥିତିରେ କିଛି ବି ଉନ୍ନତି ଘଟିନି। ରାଜ୍ୟ ସରକାର ବେଫିକର, ଜାତୀୟ ରାଜପଥ କର୍ତ୍ତୃପକ୍ଷ ବି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ବୁଢିନାଳ ଓ ଗଙ୍ଗୁଆକୁ ମିଶାଇ ମୋଟ ୧୨ଟି ଡ୍ରେନ୍‌ର ବିକାଶ ଦାୟିତ୍ୱ ବିଏମ୍‌ସି ହାତରେ। ରାଜଧାନୀରେ ଜାତୀୟ ରାଜପଥ, ପୂର୍ତ୍ତ ଓ ବିଏମ୍‌ସିର ୧୬୫୭କିମି ରାସ୍ତା ଥିବାବେଳେ ପ୍ରାୟ ୪୧୦କିମି ଡ୍ରେନ୍‌ ରହିଛି। ରାଜଧାନୀରେ ପୂର୍ତ୍ତ ବିଭାଗର ମୋଟ୍‌ ୫୧୮.୧୮୩ କିମି ରାସ୍ତା ଥିବାବେଳେ ସବୁ ରାସ୍ତା କଡ଼ରେ ଡ୍ରେନ୍‌ କରିବାର ନିୟମ ଅଛି। କର୍ତ୍ତୃପକ୍ଷ ପାଖାପାଖି ୨୨୮.୮୩ କିମି ଡ୍ରେନ୍‌ ନିର୍ମାଣ କରିଛନ୍ତି। ହେଲେ ଏତିକି ଡ୍ରେନର ସଫା, ନିର୍ମାଣ ବା ମରାମତିକୁ କର୍ତ୍ତୃପକ୍ଷ ନିଶ୍ଚିତ କରିପାରିନାହାନ୍ତି କି ଏହାକୁ ଜବରଦଖଲ ମୁକ୍ତ କରାଯାଇପାରିନାହିଁ।

ଗତ ତିନିବର୍ଷର ପରିସଂଖ୍ୟାନ କହୁଛି, ଖାସ୍‌ ଡ୍ରେନ୍‌ ପାଇଁ ଗତ ତିନି ବର୍ଷରେ ପାଖାପାଖି ୪୫ କୋଟି ଖର୍ଚ୍ଚ ହୋଇଛି। ଏ ଟଙ୍କା ଗଲା କୁଆଡେ? କେତେ କିଲୋମିଟର ଡ୍ରେନ୍‌ ନିର୍ମାଣ ହୋଇଛି, କେତେ ସ୍ଲାବ୍‌ ପଡ଼ିଛି ତା’ର ଉତ୍ତର କିଏ ଦେବ?

ସମ୍ବନ୍ଧିତ ଖବର