ବାଲିପାଟଣା: ମହାନଦୀ ଜଳ ମୁଣ୍ଡୁଳି ଦେଇ ବିଭିନ୍ନ ଶାଖା ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ କୁଆଖାଇ , ଭାର୍ଗବୀ ଏବଂ କୁଶଭଦ୍ରା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରୁ ଆଜି ପାଣି ଗଡିବା ଫଳରେ ଧନୁଆ ନଈରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପଠାରେ ହୋଇଥିବା ଚାଷ ବନ୍ୟା ପାଣି ବୁଡ଼ି ଯାଇଛି | ତଳିଆ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଲେଣି।
ସୂଚନା ଅନୁସାରେ ଅଚ୍ୟୁତପୁର କାଜରୁ ପାଣି ଗଡ଼ିଲେ ଧନୁଆ ନଈ ରେ ବନ୍ୟା ସୃଷ୍ଟି ହୁଏ। କାରଣ ଏହି ନଦୀର ବହୁ ସ୍ଥାନରେ ବନ୍ଧ ବାଡ଼ ନାହିଁ। ତେଣୁ ବନ୍ୟା ପାଣି ଗାଁ ଗଣ୍ଡା, ଚାଷ ଜମିରେ ମାଡି ଥାଏ। ଗୁରୁବାର ମଧ୍ୟାହ୍ନ ପ୍ରାୟ ୨ ଟାରେ ଅଚ୍ୟୁତପୁର କାଜ ରୁ ପାଣି ଗଡ଼ିବା ଆରମ୍ଭ ହୋଇଥିଲା। ଅପରାହ୍ନ ସୁଦ୍ଧା ୨ ଫୁଟ ଉଚ୍ଚ ରେ ପାଣି ଚାଲିଥିଲା। ଧନୁଆ ନଈ ଫୁଲିଲେ ବାଲିପାଟଣା ବ୍ଲକ , ନିମାପଡା ବ୍ଲକ , ଗୋପ ବ୍ଲକ ଏବଂ ପୁରି ଅଞ୍ଚଳର ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବେ। ଗତ ୩ ଦିନ ଲଗାଣ ବର୍ଷା ରେ ବିଲ ବାଡ଼ି ବୁଡିକି ଅଛି। ବର୍ଷା ପାଣି ଏଯାଏଁ ନିଷ୍କାସନ ହୋଇନାହିଁ। ବନ୍ୟା ଜଳ ମିଶିଲେ ହଜାର ହଜାର ହେକ୍ଟର ଧାନ ଓ ପରିବା ଫସଲ ନଷ୍ଟ ହେବା ସହ ଗାଁରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ବାଲିପାଟଣା ବ୍ଲକର ଆଳିସି, ପମ୍ପାଲୋ , ରାଜସ, କୁରୁଞ୍ଜିପୁର ଏବଂ ତୁରିନ୍ତିରା ପଞ୍ଚାୟତ ର ଲୋକେ ଧନୁଆ ବନ୍ୟାରେ ପ୍ରତ୍ୟେକ ଥର ପ୍ରଭାବିତ ହେଉଥିବା ନଜିର ରହିଛି।୩0 ରୁ ୪0 ଗାଁର ପ୍ରାୟ ୫ ହଜାରରୁ ଉର୍ଦ୍ଧ ଲୋକେ ବନ୍ୟା ଘେର ରେ ହନ୍ତସନ୍ତ ହୁଅନ୍ତି | ତେଣୁ ନଦୀ କୁଳିଆ ଲୋକଙ୍କ ଚିନ୍ତା ବଢ଼ି ଯାଇଛି।
ସେହିପରି ହଜାର ହଜାର ହେକ୍ଟର ଧାନ , ପାନ, ପନିପରିବା ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ଧନୁଆ ଏବଂ କୁଶଭଦ୍ରା ନଦୀ ପଠା ରେ ପନିପରିବା ଚାଷ ପାଣିରେ ବୁଡିବା ଆରମ୍ଭ ହୋଇଛି। ଧନୁଆ ନଈ ବଢ଼ିରେ ରାଜସ ପଞ୍ଚାୟତ ବତିଲ ଗ୍ରାମର ସୁରେନ୍ଦ୍ର ଦଳେଇ ଙ୍କ କହିବା କଥା ପଠାରେ ଭେଣ୍ଡି ଚାଷ କରିଥିଲେ। ବାଡ଼ ବନ୍ଦୀ କରି ଚାଷ ରେ ବହୁ ଟଙ୍କା ଖର୍ଚ୍ଚ କରିଥିଲେ। ଗଛରେ ଫଳ ଧରିଥିଲା। ହେଲେ ସେ ସବୁ ବୁଡ଼ି ଯାଇଛି। ସେହିପରି ଆଳିସି ପଞ୍ଚାୟତ ଭଇରିପୁର ର ଚାଷୀ ସୁକାନ୍ତ ଭୋଇ ୮ ଗୁଣ୍ଠ ଜମିରେ ଛଚିନ୍ଦ୍ରା ଚାଷ କରିଥିଲେ। ପ୍ରାୟ ୩ ଲକ୍ଷ ଟଙ୍କା ପରିବା ବିକ୍ରି କରିବାକୁ ଆଶା କରିଥିଲେ। ଅଳ୍ପ କିଛି ବିକ୍ରି ହୋଇଛି।ବନ୍ୟା ପାଣି ରେ ସବୁ ଫସଲ ବୁଡ଼ି ଗଲା। ସେହି ଗ୍ରାମର ଅନ୍ୟଜଣେ ଚାଷୀ ପ୍ରଦୀପ ଭୋଇ ୧୫ ଗୁଣ୍ଠ ଲଙ୍କା ଏବଂ ବାଇଗଣ ଚାଷ କରିଥିଲେ। ସବୁ ଫସଲ ବୁଡ଼ି ଯାଇଛି। ସେହିପରି ଶହ ଶହ ଚାଷୀଙ୍କ ଫସଲ ହାନି ହୋଇଛି। ହେଲେ ସରକାରୀ ସହାୟତା ସାତ ସପନ ବୋଲି ଚାଷୀ କହିଛନ୍ତି।
ଅପରପକ୍ଷରେ ପ୍ରଥମ ବନ୍ୟା ପାଣି ଦେଖିବାକୁ ହାଉଜାଉ ଭିଡ଼ ହେଉଛି। ଅଚ୍ୟୁତପୁର କାଜ , କୁଶଭଦ୍ରା ନଦୀ ଶିଶୁ ଅନନ୍ତ ବ୍ରିଜ ଏବଂ ବନମାଳୀପୁର ବ୍ରିଜ ଉପରେ ହଜାର ହଜାର ଲୋକ ବୁଲି ବନ୍ୟା ପାଣି ର ମଜା ନେଇଛନ୍ତି।ବାଲିପାଟଣା ଜଳ ସେଚନ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ ଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ କ୍ୟୁଷେକ ବନ୍ୟା ଜଳ ପ୍ରବାହିତ ହେଉଛି ।ରାତି ସୁଦ୍ଧା ୯ ଲକ୍ଷ କ୍ୟୁଷେକ ଜଳ ପ୍ରବାହିତ ହେବ। ତେଣୁ ବଡ଼ ବନ୍ୟା ର ଆଶଙ୍କା ନାହିଁ। ଶିଶୁ ମଠ ନିକଟରେ ପାଣି ପଠା ଛୁଇଁଛି। ୧୨ ଲକ୍ଷ କ୍ୟୁଷେକ ଜଳ ଆସିଲେ ବନ୍ୟା ଭୟ ଅଛି ବୋଲି ଶ୍ରୀ ନାୟକ କହିଛନ୍ତି।