ଯାଜପୁର/ଦଶରଥପୁର: ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଛି। ଏହି ବ୍ଲକ୍ର ୧୫ରୁ ଅଧିକ ପଞ୍ଚାୟତ ପାଣି ଘେରରେ ଥିବା ବେଳେ ହଜାରହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିଛି। ଯାଜପୁରର ୪୬ଟି ଗାଁ ଓ ୧୪ଟି ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ବନ୍ୟାରେ ଗତକାଲି କଟିକଟା
ଗ୍ରାମର ଭାଗବତ ମାଝୀ (୭୨)ଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ଯୁବକ ଭାସି ଯାଇଛନ୍ତି। ରିଲିଫ୍ କେନ୍ଦ୍ରରେ ୭ ହଜାର ବିପନ୍ନ ଆଶ୍ରୟ ନେଇଛନ୍ତି। ଗତକାଲି ଶାଖା ନଦୀ କାଣୀରେ କସପା ପଞ୍ଚାୟତ ଅହିୟାସ ନିକଟରେ ୧୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଆଜି ନଦୀର ଜଳସ୍ତର ହ୍ରାସ ପାଇଛି, ହେଲେ ଜଳବନ୍ଦି ଥିବା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏବେ ବି ଅନେକ ପରିବାର ଛାତ ଉପରେ, ସ୍କୁଲ ଘରେ ଓ ରାସ୍ତା କଡ଼ରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ଣରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦଶରଥପୁରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟିଛନ୍ତି।
ରାଜସ୍ବ ମନ୍ତ୍ରୀଙ୍କ ସହିତ ଧମର୍ଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ବିଜେପି ନେତା ଗୌତମ ରାୟ, ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ରିଲିଫ କମିସନର ମନୀଷ ଅଗ୍ରୱାଲ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ ପ୍ରମୁଖ ଘାଇ ନିକଟରେ ପହଞ୍ଚି ସ୍ଥିତି ପରଖିଥିଲେ। କାଣୀ ମୁହାଣଠାରେ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣ ସହ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ରାଜସ୍ବ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ସ୍ଥିତି ଅନୁଧ୍ୟାନ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ନଦୀରେ ବଡ଼ ଘାଇ ହୋଇଥିବାରୁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପାଣି ଛାଡ଼ିଲେ ଘାଇ ମରାମତି ସାଙ୍ଗକୁ କ୍ଷୟକ୍ଷତି ଆକଳନ ହେବ। ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ବନ୍ୟା ଯୋଗୁଁ ଆଜି ଏକ ଅଘଟଣ ଘଟିଛି। ମଲ୍ଲିକାପୁର ପଞ୍ଚାୟତର ମନ୍ମଥ ରଣାଙ୍କ ପୁଅ ମଦନମୋହନ (୨୦) ଶଙ୍ଖୁଆ ପୋଲ ନିକଟକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ଼ ଖସିଯିବାରୁ ବନ୍ୟାପାଣିରେ ଭାସି ଯାଇଥିଲେ। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଆଜି ବି ବନ୍ୟାପାଣିର ସ୍ରୋତ ପ୍ରଖର ଅଛି। ଫଳରେ ସେଠାରେ ଫସି ରହିଥିବା ଲୋକଙ୍କ ନିକଟରେ ପ୍ରଶାସନର କୌଣସି ସହାୟତା ପହଞ୍ଚି ପାରିନି। ପ୍ରଭାବିତ ଅଞ୍ଚଳରୁ ଗୃହପାଳିତ ପଶୁପକ୍ଷୀଙ୍କୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଇଛି। ବନ୍ୟା ଯୋଗୁଁ କସପା, ମଲିକାପୁର, ତରପଦା, ଛଞ୍ଚିଣା, କନିକାପଡ଼ା, ମଙ୍ଗଳପୁର, ଦୁଦୁରାଅଣ୍ଟା, ଦତ୍ତପୁର, ନିଜାମପୁର, କୟାଁ, କମାରଡିହି, ଖାନନଗର, ଥାଲକୁଡ଼ି, ପାଲଟପୁର, ଜାଫରପୁର, ବିରିପଟା, କଟିକଟା, ଜୟନ୍ତରା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ବୁଡ଼ିରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/27/sfscccxccx-2025-08-27-05-03-24.jpg)