୧୫ ଦିନ ବିତିଲା, ପୂର୍ଣ୍ଣାଙ୍ଗ ବନ୍ୟାକ୍ଷତି ରିପୋର୍ଟ ପ୍ରସ୍ତୁତ ହୋଇପାରିଲାନି

ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ଷତି ୩କୋଟି ୨୦ଲକ୍ଷ

ଖୋର୍ଦ୍ଧା: ଅଗଷ୍ଟ ୨୨ ତାରିଖରେ ଜିଲ୍ଳା ପ୍ରଶାସନର ବନ୍ୟା ସମୀକ୍ଷା ବୈଠକରେ ଜିଲ୍ଲାପାଳ ୭ ଦିନ ମଧ୍ୟରେ ସରଜମିନ ତଦନ୍ତ କରି ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ । ଅପରପକ୍ଷ ପକ୍ଷରେ ମଧ୍ୟ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହୋଇ ୧୫ରୁ ୧ ମାସ ମଧ୍ୟରେ କ୍ଷତିପୂରଣ ବ୍ୟବସ୍ଥା କରାଯିବ । କିନ୍ତୁ ବିଡ଼ମ୍ବନା, ରାଜ୍ୟ ରାଜଧାନୀ ଜିଲ୍ଲା ଖୋର୍ଦ୍ଧାର ବର୍ତମାନ ସୁଦ୍ଧା ବନ୍ୟା କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ହୋଇପାରିଲା ନାହିଁ ।

ପ୍ରାକ ଆକଳନରେ ୨୭୫୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ କୃଷି ବିଭାଗ ଦର୍ଶାଇଥିଲେ । ତେବେ ବଢ଼ି ପାଣି ଛାଡ଼ିବା ପରେ ଯାଇ ପ୍ରକୃତ ରିପୋର୍ଟ ପ୍ରସ୍ତୁତ ହୋଇପାରିବ ବୋଲି ଅଗଷ୍ଟ ମାସ ଶେଷ ସପ୍ତାହରେ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା । ଏହାଯାଏଁ ଜିଲ୍ଲାର କେତେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେହି ତଥ୍ୟକୁ କୃଷି ବିଭାଗ ସାର୍ବଜନୀନ କରିନାହିଁ ।

ସେହିଭଳି ୧୮ହଜାରରୁ ଅଧିକ ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ଓ ୧୫୦୦ଟିର ମୃତ୍ୟୁ ଘଟିଥିବା ପ୍ରାକ୍ ଆକଳନରେ ଜଣାପଡ଼ିଥିଲେ । ମଧ୍ୟ ସ୍ଥଳବିଶେଷରେ, ଏହାଠାରୁ ଅଧିକ ସଂଖ୍ୟାରେ ସାପ କାମୁଡ଼ା, ବନ୍ୟାଜଳରେ ଭାସିଯିବା ଫଳରେ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀ ମତ ଦେଇଛନ୍ତି । ଏଯାଏଁ ପଶୁପକ୍ଷୀଙ୍କ କ୍ଷୟକ୍ଷତିର ସଂପୂର୍ଣ୍ଣ ରିପୋର୍ଟ ଜିଲ୍ଲା ପ୍ରାଣୀଧନ ବିଭାଗ ପ୍ରସ୍ତୁତ କରିପାରିନାହିଁ ।

ପ୍ରାଥମିକ ଆକଳନରେ ଜଟଣୀର ତିରିମଳର ଦୁଇଟି ସ୍ଥାନରେ ଘାଇ ଓ ପାଣ୍ଡିଆବିଲିର ଦୁଇଟି ସ୍ଥାନରେ ସଡ଼କ ଓ ନଦୀ ବନ୍ଧରେ ଘାଇ ହୋଇଥିବା ନେଇ ପ୍ରଶାସନ ଅଗଷ୍ଟ ୨୮ ତାରିଖରେ ତଥ୍ୟ ଦେଇଥିଲା । ତେବେ ସେପ୍ଟମ୍ବର ୩ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ, ଜିଲ୍ଲାର ୫୫ଟି ସ୍ଥାନରେ ୫୯ କିମି ୫୮୦ ମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହି ରାସ୍ତାର ୨୫ଟି ସ୍ଥାନରେ ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି । କ୍ଷତିଗ୍ରସ୍ତ ରାସ୍ତାର ମରାମତି ପାଇଁ ବାସ୍ତବରେ ୫କୋଟି ୨୧ଲକ୍ଷ ଟଙ୍କାର ଆବଶ୍ୟକତା ହେଉଥିବା ବେଳେ ଏନଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ନିୟମାନୁସାରେ ସଡ଼କଗୁଡ଼ିକୁ ସଜାଡ଼ିବାକୁ ବର୍ତମାନ ୩କୋଟି ୨୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ଯଦିଓ ବର୍ତମାନ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ସଡ଼କର କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇଥିଲେ ମଧ୍ୟ କୃଷି, ପଶୁସମ୍ପଦ, ବିଦ୍ୟୁତ୍, ପାନୀୟ ଜଳ, ପୂର୍ତ ବିଭାଗ, ଶିକ୍ଷା ନିଜ ନିଜର ରିପୋର୍ଟ ପ୍ରଦାନ କରିପାରିନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର