ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ

ଉପକୂଳକୁ ବୁଡ଼ାଇଲା, ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ

ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ବି ବଢ଼ୁଛି
ବିପଦସଂକେତ ଉପରେ ଜଳକା ନଦୀ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦୁଇ ଦିନ ହେଲା ଉପକୂଳ ଓ ଆ‌ଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମଙ୍ଗଳବାର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦୁଇ ଦିନ‌ର ବର୍ଷାରେ ରାଜ୍ୟର ପ୍ରାୟ ସବୁ ବଡ଼ ନଦୀ ଏବେ ଫୁଲୁଥିବାରୁ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଏପଟେ ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୧୭ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୮ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହା ପ୍ରଭାବରେ ୧୭ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ।

ଯଦି ପାଣିପାଗ ବିଭାଗର ଏହି ଆକଳନ ସତ ହୁଏ ତେବେ ରାଜ୍ୟରେ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି। ଏପଟେ ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ବର, କଟକ, ପୁରୀ ସମେତ ସମସ୍ତ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆଜି ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ,ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି।

କେଉଁଠି ବି ଏବେ ସୁଦ୍ଧା ଜଳ ସ୍ତର ବିପଦସଙ୍କୁଳ ନିକଟତର ହୋଇନଥିଲେ ବି ମହାନଦୀର ଉପରମୁଣ୍ଡରେ ବର୍ଷା ହେଲେ ସ୍ଥିତି ଅଣାୟତ୍ତ ହୋଇପାରେ।

ଆଜିର ବର୍ଷା ପରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ସୋମବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାର‌େର ୬୨୪.୩୧ଫୁଟ ପାଣି ଥିବା ବେଳେ ସଂଧ୍ୟା ୬ଟା ବେଳକୁ ଏହା ବଢ଼ି ୬୨୫.୧୦ଫୁଟରେ ପହଞ୍ଚିଛି। ହୀରାକୁଦରେ ଏବେ ଘଣ୍ଟା ପିଛା ୧,୬୭,୮୮୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨୧,୫୦୨କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ହୀରାକୁଦରେ ପାଣି ବଢ଼ୁଥିବାବେଳେ ମହାନଦୀର ତଳମୁଣ୍ଡରେ ବି ପାଣି ବଢ଼ିବାରେ ଲାଗିଛି। ମୁଣ୍ଡୁଳିରେ ୭୮,୫୦୦ କ୍ୟୁ‌ସେକ୍ ଜଳ ନିଷ୍କାସନ ହେଉଛି।

Biznext India

ଅପରପକ୍ଷେ ସୋମବାର ସଂଧ୍ୟା ସୁଦ୍ଧା ବ୍ରାହ୍ମଣୀ ନଦୀରେ ପାନପୋଷ ଠାରେ ଜଳସ୍ତର ୧୭୩.୧୦ ମିଟର ଥିବାବେଳେ ଏଠାରେ ବିପଦ ସଂକେତ ୧୭୮.୪୨ମିଟର ରହିଛି। ସୁନ୍ଦରଗଡ଼ରେ ଇବ୍‌ ନଦୀର ବିପଦ ସଂକେତ ୨୨୨ମିଟର ଥିବାବେଳେ ଏଠାରେ ଜଳ ପ୍ରବାହ ୨୧୭.୨୮ମିଟର, ଇନ୍ଦୁପୁର‌େର ବ୍ରାହ୍ମଣୀର ବିପଦ ସଂକେତ ୩୧୧.୧୦ମିଟର ଥିବାବେଳେ ଏବେ ୩୦୬.୪୧ମିଟରରେ, ଆନନ୍ଦପୁରରେ ବୈତରଣୀର ବିପଦସଂକେତ ୩୮.୩୬ମିଟର ଥିବାବେଳେ ଜଳ ପ୍ରବାହ ୩୪.୫୯ ମିଟର, ସ୍ବମପାଟଣାରେ ବୈତରଣୀର ବିପଦସଂକେତ ୩୧୧.୧୦ମିଟର ଥିବାବେଳେ ୩୦୬.୪୦ମିଟରରେ ଜଳ ପ୍ରବାହ ହେଉଛି।

ସେହିପରି ଏନ୍‌ଏଚ୍‌-୫ରେ ବୁଢ଼ାବଳଙ୍ଗର ବିପଦସଂକେତ ୮.୧୩ମିଟର ଥିବାବେଳେ ଏଠାରେ ଏବେ ଜଳପ୍ରବାହ ୫.୧୨ମିଟର ରହିଛି। ଜାମଶୋଲାଘାଟରେ ସୁବର୍ଣ୍ଣରେଖାର ବିପଦସଂକେତ ୪୯.୧୫ମିଟର ଥିବାବେଳେ ଜଳପ୍ରବାହ ୪୬.୪୪ମିଟର ରହିଛି, ଗୁଣୁପୁରରେ ବଂଶଧାରାର ବିପଦସଂକେତ ୮୪ମିଟର ଥିବାବେଳେ ଜଳପ୍ରବାହ ୮୧.୭୦ ମିଟର, ସୋରଡାରେ ଋଷିକୂଲ୍ୟାର ବିପଦସଂକେତ ୮୪ମିଟର ଥିବାବେଳେ ୭୮.୩୫ମିଟରରେ ଜଳପ୍ରବାହ, ପୁରୁଷୋତ୍ତମପୁରରେ ବିପଦସଂକେତ ୧୬.୮୩ମିଟର ଥିବାବେଳେ ୧୩.୫୦ମିଟରରେ ଜଳପ୍ରବାହ, ମଥାନିରେ ଜଳକା ନଦୀର ବିପଦ ସଂକେତ ୫.୫୦ମିଟର ଥିବାବେଳେ ଏଠାରେ ବିପଦସଂକେତ ଉପରେ ୫.୭୦ମିଟରରେ ଜଳ ପ୍ରବାହ ହେଉଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଥିବାରୁ ଆଗକୁ ସ୍ଥିତି ସଙ୍ଗିନ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି।

୧୨ ଜିଲ୍ଲାରେ ସ୍କୁଲ, ଯୁକ୍ତ୨ କଲେଜ ବନ୍ଦ
ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍କୁଲ ପାଠପଢ଼ା ବନ୍ଦ ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୨ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜକୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ ସ୍ବତନ୍ତ୍ର ରିଲିଫ କମିସନର ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧୩ ଓ ୧୪ ତାରିଖ ପାଇଁ ରେର୍ଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲ୍ଲାରେ ପ୍ରବଳରୁ ଅତିବପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ବିଦ୍ୟାଳୟ ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ସୋନପୁର, ବରଗଡ଼।

ସମ୍ବନ୍ଧିତ ଖବର