ବନ୍ୟା ଆଶ୍ରୟସ୍ଥଳୀ ଲୋକାର୍ପଣକୁ ଅପେକ୍ଷା

ସମ୍ବଲପୁର : ବର୍ଷାଦିନ ଆସିଲେ ସମ୍ବଲପୁରରେ କିଛି ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଏ। ବନ୍ୟା ଯୋଗୁଁ ସେମାନଙ୍କୁ ପାଣି ଘେରରେ ରହିବାକୁ ପଡ଼େ। ସେମାନଙ୍କ ସହାୟତା ପାଇଁ ଜିଲ୍ଲାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ୪ଟି ବହୁମୁଖୀ ବନ୍ୟା ଆଶ୍ରୟ କେନ୍ଦ୍ର ଧମା, ବିନାଖଣ୍ଡି, ସମଲେଶ୍ୱରୀ କଲେଜ ଏବଂ ଚାଉଁରପୁରରେ ନିର୍ମାଣ ଚାଲିଛି। ଏଥିସହ କୁଚିଣ୍ଡା ବ୍ଲକ ଲସାରେ ଆଉ ଏକ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଛି।

ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ, ପ୍ରାୟ ୨୦୦୦ ବର୍ଗଫୁଟର ଏହି ଆଶ୍ରୟ କେନ୍ଦ୍ରରେ ବନ୍ୟାବେଳେ ଲୋକଙ୍କ ରହିବା ଖାଇବା ପାଇଁ ବ୍ୟବସ୍ଥା ରହିଛି। ଏଥିରେ ଗର୍ଭବତୀ ମହିଳା, ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ପମ୍ପ ସେଟର ଇତ୍ୟାଦିର ବ୍ୟବସ୍ଥା ମଧ୍ୟ ରହିଛି। ଧମା ଏବଂ ଚାଉଁରପୁର ଆଶ୍ରୟ କେନ୍ଦ୍ର ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ନେଇଥିବା ବେଳେ ବିନାଖଣ୍ଡି ଏବଂ ସମଲେଶ୍ୱରୀ କଲେଜ ନିକଟ ଆଶ୍ରୟ କେନ୍ଦ୍ର ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ନେଇଛି। କେନ୍ଦ୍ରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ବିଜୁଳି ଓ ଆନୁଷଙ୍ଗିକ କାର୍ଯ୍ୟ ବାକି ରହିଛି। ତେବେ ଏହାର ଉଦ୍‌ଘାଟନକୁ ଅପେକ୍ଷା କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର