ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ୧୧ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ, ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ କୁମାର ସିଂହ ଆଭାସୀ ମାଧ୍ୟମରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ। ପରେ ମନ୍ତ୍ରୀ କହିଥିଲେ, ବାଲେଶ୍ବରର ଦୁଇଟି ବ୍ଲକ୍ ବ୍ୟତୀତ ଅନ୍ୟ ଅଞ୍ଚଳର ସ୍ଥିତି ଠିକ୍ ଅଛି। ମୟୂରଭଞ୍ଜ ଓ କେନ୍ଦୁଝର ପୂର୍ବରୁ ରେଡ୍ ଜୋନ୍ରେ ଥିଲା। ଏବେ ସୁରକ୍ଷିତ ଅଛି। ଆସନ୍ତାକାଲି ସୁଦ୍ଧା ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ସ୍ଥିତି ସ୍ବାଭାବିକ ହୋଇଯିବ। ବୈତରଣୀରେ ଜଳସ୍ତର କମୁଛି। ସମସ୍ତ ସିଏଚ୍ସି ଓ ପିଏଚ୍ସିରେ ପର୍ଯ୍ୟାପ୍ତ ଆଣ୍ଟିଭେନମ୍ ମହଜୁଦ୍ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏସ୍ଆର୍ସି କହିଛନ୍ତି ଯେ ଏବେ ସୁବର୍ଣ୍ଣରେଖା ନଦୀକୁ ଛାଡ଼ି ଅନ୍ୟ ସବୁ ନଦୀର ଜଳପତ୍ତନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅତିରିକ୍ତ ରିଲିଫ୍ କମିସନର ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ପଠାଯାଇଛି।
ଉଦ୍ଧାର, ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ନିର୍ଦ୍ଦେଶ
ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ବିଭିନ୍ନ ନଦୀବନ୍ଧରେ ଘାଇ, ପାଣି ଭିତରେ କୁମ୍ଭୀର ଭୟ
ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ବିଭିନ୍ନ ନଦୀବନ୍ଧରେ ଘାଇ, ପାଣି ଭିତରେ କୁମ୍ଭୀର ଭୟ
ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ବାଲେଶ୍ୱରରେ ୫ଟି ଓଡ୍ରାଫ୍ ଟିମ୍ ସହ ଗୋଟିଏ ଏନ୍ଡିଆର୍ଏଫ୍, ୨୬ଟି ଅଗ୍ନିଶମ ଓ ଜରୁରିକାଳୀନ ସେବା ବାହିନୀ ନିୟୋଜିତ ହୋଇଥିବାବେଳେ ମୟୂରଭଞ୍ଜରେ ଗୋଟିଏ ଓଡ୍ରାଫ୍ ଦଳ, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ଗୋଟିଏ ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁରରେ ଗୋଟିଏ ଓଡ୍ରାଫ୍ ଟିମ୍ ସହ ୧୪ଟି ଅଗ୍ନିଶମ ବାହିନୀ ସମେତ ଏହି ସବୁ ଜିଲ୍ଲାରେ ୧୦୬ଟି ବୋଟ୍ ମଧ୍ୟ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏସ୍ଆର୍ସିଙ୍କ ପକ୍ଷରୁ କୁହାଯାଇଛି ଯେ ଆଜି ଭଦ୍ରକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ବୈତରଣୀ ବାମ ତଟ ନଦୀବନ୍ଧ ସ୍ଥିତି ଅନୁଧ୍ୟାନ କରିଥିଲେ।
ମୟୂରଭଞ୍ଜରେ ବୋଧି ଅଞ୍ଚଳରେ ଥିବା ଜମ୍ଭିରା ନଦୀର ଦକ୍ଷିଣ ପାର୍ଶ୍ୱରେ ଏକ ଘାଇ ସୃଷ୍ଟି ହୋଇଥିଲା। ଯାହାକୁ ବାଲି ବସ୍ତା ପକାଇ ବନ୍ଦ କରାଯାଇଛି। ସୁବର୍ଣ୍ଣରେଖା ନଦୀରେ ଜଳ ପ୍ରବାହ ବୃଦ୍ଧି ପାଉଥିବାରୁ ସାରସକଣା ବ୍ଲକର ନେଡ଼ାକୁ ଯିବା ରାସ୍ତା ଉପରେ ପାଣି ଚାଲୁଛି। ବୈତରଣୀ ନଦୀରେ ବନ୍ୟା ଯୋଗୁ ଭଣ୍ଡାରିପୋଖରୀ ବ୍ଲକ୍ର ୭ଟି ପଞ୍ଚାୟତର ୨୫ ଗ୍ରାମ, ଧାମନଗର ବ୍ଲକ୍ର ୨୦ଟି ପଞ୍ଚାୟତର ୫୨ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଉତ୍ତର ବାଲେଶ୍ବରର ୪ଟି ବ୍ଲକ୍ ଅଧୀନ ପ୍ରାୟ ୪୦ଟି ପଞ୍ଚାୟତର ୧୫୦ ଗାଁରେ ପାଣି ପଶିଛି। ବନ୍ୟା ଯୋଗୁ ଅନେକ କଚ୍ଚାଘର ନଷ୍ଟ ହୋଇଛି ଏବଂ ଶତାଧିକ ଏକର ଜମିର ଚାଷ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସଂଧ୍ୟା ୭ଟା ସୁଦ୍ଧା ୧୧.୨୭ ମିଟରରେ ପାଣି ପ୍ରବାହିତ ହେଉଛି। ସକାଳ ବେଳକୁ ବନ୍ୟାପାଣି ଅଧିକ ଗାଁରେ ପଶିବ ବୋଲି ଆକଳନ କରାଯାଇଛି। ଝାଡ଼ଖଣ୍ତର ଗାଲୁଡିହି ବ୍ୟାରେଜ୍ର ୧୬ଟି ଗେଟ୍ ଖୋଲାଯାଇଛି। ବ୍ୟାରେଜ୍ରୁ ପ୍ରତି ସେକେଣ୍ଡ ୮୨୧୮.୭୬ କ୍ୟୁମେକ୍ ଅର୍ଥାତ୍ ୨ ଲକ୍ଷ ୮୭ ହଜାର ୬୩୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଯାଜପୁର ଓ ଦଶରଥପୁର ବ୍ଲକ୍ ଅଧୀନ ୧୩ଟି ପଞ୍ଚାୟତର ୨୪ଟି ଗାଁ ବିଶେଷ ପ୍ରଭାବିତ ହୋଇଛି। ଏଥିରେ ୬୫୯୪ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୬୪୪ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଦଶରଥପୁର ବ୍ଲକ୍ ଅର୍ଦାଉଳିଆ-ଦତ୍ତପୁର ମଝିରେ ବୈତରଣୀ ନଦୀରେ ବଡ଼ ଘାଇ ହୋଇଛି। ଶାଖାନଦୀ କାଣିରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। କସପା ପଞ୍ଚାୟତର ପଞ୍ଚପଡ଼ା ଓ ହାଜିସାହିଠାରେ ୪ଟି ସ୍ଥାନରେ ବନ୍ଧ ଧସିଯିବାରୁ ବିରାଟ ଘଳିଆ ସୃଷ୍ଟି ହୋଇଛି। ଦଶରଥପୁର ବ୍ଲକ୍ରେ ବୈତରଣୀ ପାଣିରେ ଭାସିଯାଇ ଜୟନ୍ତରା ପଞ୍ଚାୟତ ଚାନ୍ଦକୁଡ଼ା ଗ୍ରାମର ମକର ଜେନାଙ୍କ ପୁଅ ସନ୍ତୋଷ (୩୦)ଙ୍କ ମୃତ୍ୟୁ ଘଟିଛି।