ବର୍ଷାରେ ବୁଡ଼ିଲା କଟକ : ୪ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ

କଟକ : ଦୁଇ ଘଣ୍ଟାର କଚ୍ଚା ବର୍ଷାରେ କଟକ ସହର ଉବଟୁବ ହେଉଛି। ସହରର ୪ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାଧାରଣ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ବର୍ଷା ବିତ୍ପାତରୁ ବିଚାରପତି, ବିଧାୟକ, ଜିଲ୍ଲାପାଳ, ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଘର ବି ବାଦ୍‌ ପଡ଼ିନି। ସିଏମସି କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ଗୁରୁତର ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ଅନ୍ୟପଟେ ପିଠାପୁରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ସହରର ଚାରିଟି ସ୍ଥାନରେ କାନ୍ଥ ପଡି ଥିବା ସୂଚନା ମିଳିଛି।

ସରକାରୀ ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କଟକ ସହରରେ ୨୧୧ ମି.ମି. ବର୍ଷା ହୋଇଛି। ବର୍ଷାରେ ରାଜାବଗିଚା ପୁଲିସ କଲୋନି, ରକ୍ସିଲେନ, ବାଦାମବାଡି, କେଶରପୁର, ଦେଓ୍ଵାନ ବଜାର, ଯୋବ୍ରା, ଗହ୍ମାଡିଆ, ସୂତାହାଟ, ବିଡାନାସୀ, ପଟ୍ଟାପୋଲ, ତିନି କୋଣିଆ ବଗିଚା, ମକରବାଗ ସାହି, ମେରିଆ ବଜାର, ପେନସନ ଲେନ, ଧୋବି ଲେନ, ତୁଳସୀପୁର, କନିକା ଛକ, ମଠ ସାହି, ପ୍ରଫେସର ପଡା, ପିଠାପୁର, ଶ୍ରୀ ବିହାର କଲୋନୀ, କାଫଲା ବଜାର, ସିଦ୍ଧେଶ୍ୱର ସାହି, ଓଡିଆ ବଜାର, ବକ୍ସି ବଜାର, କଳାବିକାଶ କେନ୍ଦ୍ର ରୋଡ, ମହାନଦୀବିହାର, ଚାଉଳିଆଗଂଜ ଅପର୍ଣ୍ଣାନଗର, ବିଦ୍ୟାଧରପୁର, ସାର୍ତ୍ତୋଳ, ନୂଆପଡା ଆଦି ଅଞ୍ଚଳରେ ପାଣି ଜମି ରହିଛି। ବିଡାନାସୀ ଥାନା ଭିତରେ ପାଣି ଜମି ରହିଥିବା ବେଳେ ସିଡିଏ ଅଫିସ ଭିତରେ ପଶିବା ଅସମ୍ଭବ ହୋଇପଡିଛି। ଘରେ ପାଣି ପଶି ଥିବାରୁ ପିଠାପୁର ଅଞ୍ଚଳର ଯୁବକ ସୁନୀଲ ନାୟକ (୨୩) ଜିନିଷ ବାହାର କରୁଥିବାବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ଯୋବ୍ରା ତିନି ପଟିଆ ସାହି, ସୂତାହାଟ, ପଟ୍ଟାପୋଲ ଆଦି ଅଞ୍ଚଳରେ ଚାରିଜଣ ବ୍ୟକ୍ତିଙ୍କର କାନ୍ଥ ପଡିଯାଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ କନିକାଛକ ସ୍ଥିତ ବାସଭବନ, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ତୁଳସୀପୁରସ୍ଥିତ ଆବାସିକ କାର୍ଯ୍ୟାଳୟ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ବାସଭବନରେ ପାଣି ପଶିଛି। ବର୍ଷା ବିତ୍ପାତର ମୁକାବିଲା ପାଇଁ ସିଏମସି ପକ୍ଷରୁ ୨ଶହଟି ପମ୍ପ ବନ୍ଦୋବସ୍ତ କରାଯାଇଛି। ମାତୃଭବନ, ଖାନନଗର, ବଜ୍ରକବଟି ରୋଡ ଆଦି ସ୍ଥାନରେ ତିନୋଟି ଜେସିପି ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ଆସନ୍ତା ସୋମବାର ପର୍ଯ୍ୟନ୍ତ ସିଏମସି କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଟି ସ୍ଥାନରେ ୮ହଜାର ୨୫୦ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର