ନବରଙ୍ଗପୁର/କୋଷାଗୁମୁଡା : ଲଘୁଚାପ ଜନିତ ଲଗାଣ ବର୍ଷ ଯୋଗୁ ବେହାଲ ହୋଇଛି ନବରଙ୍ଗପୁର ଜିଲ୍ଲା। ଗତକାଲି ପାପଡ଼ାହାଣ୍ଡି ବ୍ଲକ୍ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି କୋଷାଗୁମୁଡ଼ା ବ୍ଲକ୍ରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଅନେକ ତଳିଆ ଅଞ୍ଚଳ ବୁଡ଼ି ଯାଇଛି। ବର୍ଷା ଲାଗି ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ଜିଲ୍ଲା ପାଇଁ ୟେଲୋ ଜୋନ୍ ସତର୍କ ସୂଚନା ଦିଆଯାଇଥିବା ବେଳେ ଆସନ୍ତାକାଲି ପାଇଁ ଅରେଞ୍ଜ୍ ଜୋନ୍ ଘୋଷଣା କରାଯାଇଛି। ଯାହାଫଳରେ ଆସନ୍ତାକାଲି ବର୍ଷା ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।
ଜିଲ୍ଲାରେ ଗତ ୬ତାରିଖ ଠାରୁ ବର୍ଷା ଲାଗି ରହିଛି। ଯାହାଫଳରେ ଜିଲ୍ଲାର ସମସ୍ତ ନଦୀ ଓ ନାଳ ଅହେତୁକ ଭାବେ ଫୁଲି ଯାଇଛି। ସ୍ଥିତି ଏମିତି ହୋଇଛି ଯେ, ନଦୀରେ ଜଳସ୍ତର ଯେତିକି ବଢ଼ୁଛି, ସେହି ପରିମାଣରେ ବିପଦ କୋଷାଗୁମୁଡ଼ା ବ୍ଲକ୍ ପାଇଁ ବଢ଼ୁଛି। ଜିଲ୍ଲାର ୨ପ୍ରମୁଖ ନଦୀ ଇନ୍ଦ୍ରାବତୀ ଓ ଭାସ୍କେଲ କୋଷାଗୁମୁଡା ବ୍ଲକ୍ର ଘାଟବାସୁଲି ଠାରେ ମିଶୁଛି। ତେବେ ୨ନଦୀର ବନ୍ୟାଜଳ ତଳମୁଣ୍ଡକୁ ନିଷ୍କାସନ ହୋଇନପାରି ସଂଗମସ୍ଥଳର ଉପରମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ନବରଙ୍ଗପୁର ଜିଲ୍ଲାରେ ୧୦୫୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କୋଷାଗୁମୁଡା ବ୍ଲକ୍ରେ ୧୪୫ମିମି, ଉପରମୁଣ୍ଡରେ ଥିବା ପାପଡାହାଣ୍ଡି ବ୍ଲକ୍ରେ ୧୯୦ ମିମି, ଡାବୁଗାଁ ବ୍ଲକ୍ରେ ୨୨୫ମିମି, ନବରଙ୍ଗପୁର ବ୍ଲକ୍ରେ ୧୦୪ମିମି ଓ ନନ୍ଦାହାଣ୍ଡି ବ୍ଲକ୍ରେ ୯୩ମିମି ବର୍ଷା ରେକର୍ଡ ହୋଇଛି। ଉକିଆପଲ୍ଲି ପଞ୍ଚାୟତର ଘାଟବାସୁଲି ଗାଁ ଚାରିପଟେ ବନ୍ୟାଜଳ ଜମି ରହିଥିବାରୁ ଗାଁକୁ ବନ୍ୟା ପାଣି ପଶିବା ଆଶଙ୍କାରେ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇଛି। ବୋରଗାଁ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିଞ୍ଜିଲି ପଞ୍ଚାୟତର ଘାଟଚୁରା ଗାଁ ନିକଟରେ ପହଞ୍ଚି ସାରିଛି ବନ୍ୟାଜଳ। ଉକିଆପଲ୍ଲୀ ପଞ୍ଚାୟତର ହରଦୁଲି ଗାଁର ଗୋଟିଏ ଚେକ୍ ଡ୍ୟାମ୍ ଭାଙ୍ଗିଯିବାରୁ ଗାଁ ଭିତରେ ପାଣି ପଶିଥିଲା। ଯାହା ଫଳରେ ଗାଁର ୫୦ଘରେ ବନ୍ୟାଜଳ ପଶିଥିଲା।
/sambad/media/post_attachments/wp-content/uploads/2022/08/kosamaguda-639x430.jpg)
ଗତକାଲି ରାତିରେ ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢ଼ିବାରୁ ବଡ଼ ବିପଦର ଆଶଙ୍କା ସୃଷ୍ଟି କରିଥିଲା। ଚିରମା ଠାରେ ଇନ୍ଦ୍ରାବତୀ ନଦୀରେ ନିର୍ମାଣାଧୀନ ପୋଲ ନିକଟରେ ଥିବା ଅସ୍ଥାୟୀ କ୍ୟାମ୍ପରେ ୧୨ଜଣ ଶ୍ରମିକ ଫସି ଯାଇଥିଲେ। ଖବର ପାଇ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ, ବିଡିଓ ଏବଂ ତହସିଲଦାର ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନବରଙ୍ଗପୁର ଓ କୋଷାଗୁମୁଡା ଦମକଳ ବାହିନୀ ପହଞ୍ଚି ଫସି ରହିଥିବା ୧୨ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ବିଗତ ବର୍ଷ ବି ସେହି ଅସ୍ଥାୟୀ କ୍ୟାମ୍ପରେ ଶ୍ରମିକ ଫସି ରହିଥିଲେ ଏବଂ ସମସ୍ତଙ୍କୁ ପ୍ରଶାସନ ଉଦ୍ଧାର କରିଥିଲା। ବିଧାୟକ ଶ୍ରୀ ପ୍ରଧାନୀ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା କରିଛନ୍ତି। ଉଭୟ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରେ ଯେଉଁ ଭଳି ଭାବେ ଜଳସ୍ତର ବଢ଼ିଛି ତାହାକୁ ଦୃଷ୍ଟିରେ ରଖି କୋଷାଗୁମୁଡା ବ୍ଲକ୍ର ବିଞ୍ଜିଲି, ସାନଆମ୍ବଡା, ବାମୁଣି, କେ.ସେମଲା ଓ ଚିରମା ପଞ୍ଚାୟତର ୧୫ଟି ଗାଁକୁ ଫୋକସ୍ରେ ରଖିଛି ପ୍ରଶାସନ। ଯଦି ଆଜି ରାତିରେ ବର୍ଷା ପରିମାଣ ବଢ଼େ ତେବେ ଏହି ୫ଟି ପଞ୍ଚାୟତର ୧୫ଟି ଗାଁରୁ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ସମିତି ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁ କହିଛନ୍ତି।
ସେହିପରି କୋଷାଗୁମୁଡା ସଦର ମହକୁମାରେ ପ୍ରବଳ ବର୍ଷା ହୋଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପାଣି ପଶି ଯାଇଥିଲା। ଏପରିକି କାର୍ଯ୍ୟାଳୟ ଭିତରେ ପ୍ରାୟ ୧ଫୁଟ ଉଚ୍ଚରେ ପାଣି ଜମି ରହିଥିଲା। ବ୍ଲକ କାର୍ଯ୍ୟାଳୟ ପରିସରରେ ବି ପ୍ରାୟ ୨ଫୁଟ୍ ଉଚ୍ଚରେ ପାଣି ଜମିଥିଲା। ଏଠାରେ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ନବରଙ୍ଗପୁର ଅଗ୍ନିଶମ ବିଭାଗର ମୋହନ ବେହେରା, ବିକାଶ ମାଝୀ, ମିଥୁନ ନାହାକ, ସାରଥି ପଟେଲ, ଗିରିଧର ଗୌଡ଼, କୋଷାଗୁମୁଡ଼ା ଅଗ୍ନିଶମ ବିଭାଗର ଜଗଦୀଶ ମାଝୀ, ଋଷିମନି ଧାରୁଆ, ଗଙ୍ଗାରାଜୁ କାର୍ତ୍ତୃକା, ଉମାକାନ୍ତ ବାଘ ପ୍ରମୁଖ ସାମିଲ ଥିଲେ। ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ, ପୁଲିସ, ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ସଜାଗ ହୋଇ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ତଥା ବ୍ଲକ୍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/kosaguda-1.jpg)