ପଡ଼ୋଶୀ ରାଜ୍ୟ ଦେଲା ‘ବନ୍ୟା‌ ଭେଟି’: ଫୁଲୁଛି ମହାନଦୀ

ହୀରାକୁଦର ୩୪ଟି ଗେଟ୍‌ ଖୋଲିଲା, ଆଜି ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ

ଭୁବନେଶ୍ବର/ସମ୍ବଲପୁର : ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ଲାଗି ରହିଥିବା ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଥିବା କାରଣରୁ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ। ରିପୋର୍ଟ ଲେଖା ହେବା ବେଳକୁ ହୀରାକୁଦରୁ ପର୍ଯ୍ୟାୟକ୍ରମେ ୩୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଛି ଓ ଆଜି ସକାଳେ ମୁଣ୍ଡଳୀ ଦେଇ ଅତି କମରେ ୬ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ସୋମବାର ଏହା ୮ଲକ୍ଷ କ୍ୟୁସେକ୍‌କୁ ଛୁଇଁପାରେ। ଏଣୁ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ଅଧିକାରୀମାନେ କହିସାରିଲେଣି।

ଛତିଶଗଡରୁ ମିଳୁଥିବା ଖବର ଅନୁସାରେ, ମହାନଦୀର ଉପରମୁଣ୍ଡରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ରାଜ୍ୟର ୪ ଜିଲ୍ଲା ପାଇଁ ରେଡ୍ ଏବଂ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାୟଗଡ଼, ଜାଞ୍ଜଗୀର-ଚମ୍ପା, ବଲୋଦାବାଜାର, ମହାସମୁଦ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଛତିଶଗଡ଼ର ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଳାସପୁର, କୋରବା, ମୁଙ୍ଗେଲି, ଗାରିୟାବଦ, ରାୟପୁର, ଦୁର୍ଗ ଏବଂ ଧମତରୀ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ବସ୍ତର, ଦୁର୍ଗ ଏବଂ ରାୟପୁର ଡିଭିଜନର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଏଚ୍‌ପି ଚନ୍ଦ୍ରାଙ୍କ କହିବାନୁଯାୟୀ, ଟ୍ରଫଲାଇନ ଉତ୍ତର ପୂର୍ବ ଆରବ ସାଗର, ନଲିୟା, ଗୁନା, ସତନା, ରାଂଞ୍ଚଳ ଦୀଘା ସମେତ ଦକ୍ଷିଣ ପୂର୍ବ ଏବଂ ଉତ୍ତର ପଶ୍ଚିମ ବଙ୍ଗଳା ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ଦେଢ଼ କିଲୋମିଟର ଉଚ୍ଚା ପର୍ଯ୍ୟନ୍ତ ବ୍ୟାପିଛି। ଲଘୁଚାପ ଅଞ୍ଚଳ ଉତ୍ତର ବଙ୍ଗଳା ଅଞ୍ଚଳରେ ରହିଛି। ଏହା ଭୀଷଣ ରୂପ ନେବା ସମ୍ଭାବନା ରହିଛି।

ସୋମବାର ୮ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ଅତିକ୍ରମ କରିବ
ସତର୍କ ହେଲେ ସରକାର, ୬ଯନ୍ତ୍ରୀ ଜଗିବେ ୮ ଜିଲ୍ଲା

ଏପଟେ ଉପରସ୍ଥିତି ଗମ୍ଭୀର ରହିଥିବାରୁ ଓଡ଼ିଶା ଚାପରେ ରହିଲାଣି। ଶନିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୩ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ୩, ୪୮,୭୬୦ କ୍ୟୁସେକ ନିଷ୍କାସିତ ହେଉଥିଲା। ତେବେ, ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇବା ପରେ ସକାଳ ୯ଟାରେ ଆଉ ୪ଟା ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟାରେ ପୁଣି ୪ଟି ଏବଂ ଅପରାହ୍‌ଣ ୪ଟାରେ ଆହୁରି ୨ଟି ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା ୭ଟାରେ ପୁଣି ଆହୁରି ୪ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ସର୍ବ ମୋଟ ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳ ପ୍ରବେଶ ମାତ୍ରା ଆହୁରି ବଢ଼ିବା‌ ଆଶଙ୍କା ରହିଛି। ସ୍ଥିତି ଦେଖିବା ପରେ ଆହୁରି କେତୋଟି ଗେଟ୍‌ ଖୋଲାଯିବାର ଯୋଜନା ରହିଥିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।

ସନ୍ଧ୍ୟା ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬. ୮୭ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪,୩୯,୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରରୁ ସର୍ବମୋଟ ୫, ୬୩, ୮୦୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏହାର ପ୍ରଭାବରେ ହୀରାକୁଦ ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଏହି ସବୁ ଜିଲ୍ଲାର ନଦୀ କୂଳିଆ ଅଂଚଳ ଓ ତଳିଆ ଅଂଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି ଛତିଶଗଡ଼ ଏବଂ ଓଡ଼ିଶାରେ ଏହିଭଳି ବର୍ଷା ଜାରି ରୁହେ, ମହାନଦୀରେ ସ୍ବଳ୍ପ ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ରବିବାର ସକାଳ ୮ଟାବେଳେ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ୍ ପାଣି ଅତିକ୍ରମ କରିବ। ସୋମବାର ସକାଳ ୮ଟା ସୁଦ୍ଧା ୭ରୁ ୮ଲକ୍ଷ କ୍ୟୁସେକ୍ ଜଳ ଅତିକ୍ରମ କରିପାରେ। ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ସେଠାକାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଚାପ ପକାଉଛନ୍ତି। କିନ୍ତୁ ଆମେ ସ୍ଥିତି ଦେଖି ଗେଟ୍ ଖୋଲିବୁ ବୋଲି ଜଣାଇ ଦେଇଛୁ। ହୀରାକୁଦରେ ୨୮ରୁ ଅଧିକ ଗେଟ୍‌ ଖୋଲିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ଏହାଠାରୁ ଅଧିକ ଗେଟ୍‌ ଖୋଲା ହେବାକୁ ଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଏଡ଼ାଇ ହେବନି।

YouTube

ବିଭିନ୍ନ ନଦୀର ଜଳସ୍ତର ବଢ଼ିବାକୁ ଥିବାରୁ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛୁ। ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯିବା ସହ ଦୁର୍ବଳ ନଦୀ ବନ୍ଧ ଉପରେ କଡ଼ାକଡ଼ି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ଜଳସମ୍ପଦ ବିଭାଗ ୬ ଯନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ୱ ଦେଇଛି। ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଂଜନ ରାଉତ, ଜଗତସିଂହପୁର ପାଇଁ ବିଜୟ କୁମାର ସାମଲ, କଟକ ପାଇଁ ବାଲେଶ୍ୱର ନାଥ ସାହୁ, କେନ୍ଦ୍ରାପଡ଼ା ପାଇଁ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ପାଇଁ ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ପାଇ ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ବ ଦିଆଯାଇଛି। ୧୪ତାରିଖ ଅପରାହ୍ନରୁ ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବେ।

ସମ୍ବନ୍ଧିତ ଖବର