ବିପଦ ବଢ଼ାଉଛି ଛତିଶଗଡ଼ : ଟଳମଟଳ ସ୍ଥିତିରେ ପ୍ରମୁଖ ଡ୍ୟାମ୍‌

କାହାକୁ ବାଧୁନି, ସମସ୍ତେ ନିରବ, ଘୂର୍ଣ୍ଣିବଳୟ ଜାଣି ବି ଗେଟ୍‌ ବନ୍ଦ, କେନ୍ଦ୍ର ମାନିଲା ସ୍ଥିତି ଗମ୍ଭୀର

ଭୁବନେଶ୍ୱର : ସବୁ ଡ୍ୟାମ୍‌ ପୂର୍ଣ୍ଣ କରି ରଖିଥିଲେ। ଭୀଷଣ ବର୍ଷାର ପ୍ରଭାବକୁ ରୋକିନପାରି, ଦୁଇଦିନ ତଳେ ହଠାତ୍‌ ପାଣିଛାଡ଼ିଲେ ଛତିଶଗଡ଼ ସରକାର। ପରିଣାମ ହେଲା, ଓଡ଼ିଶାକୁ ହଠାତ୍‌ ମଧ୍ୟମ ଧରଣର ବନ୍ୟା ସାମ୍ନା କରିବାକୁ ପଡ଼ିଲା।

ଆଜି ପୁଣି ଏକ ବିପଜ୍ଜନକ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଜାଣି ବି ସବୁ ପ୍ରମୁଖ ଡ୍ୟାମ୍‌କୁ ଟଳମଟଳ ସ୍ଥିତିରେ ରଖିବା ଲାଗି ସ୍ଥିର କରିଛନ୍ତି ଛତିଶଗ଼ଡ ସରକାର। ରବିଶଙ୍କର ପ୍ରସାଦ ସାଗର ଠାରୁ ଆରମ୍ଭ କରି ସୀକାସାର, ତୋନ୍ଦୁର, ତାନ୍ଦୁଲା ଆଦିରେ ଜଳ ନିୟନ୍ତ୍ରଣ କରାଯାଇଛି। ଏସବୁ ଡ୍ୟାମ୍‌ରେ ପାଖାପାଖି ୯୯% ଓ ୧୦୦% ପାଣି ରଖି ପ୍ରାୟ ଅଧିକାଂଶ ଗେଟ୍‌ ବନ୍ଦ କରିଦିଆଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସବୁ ନିୟମ କାନୁନକୁ ଏଡାଇ ଯାଇ ମନଇଚ୍ଛା ନିଷ୍ପତ୍ତି ନେଉଥିଲେ ହେଁ, ଛତିଶଗ଼ଡ ସରକାରକୁ କେନ୍ଦ୍ରୀୟ ଜଳ ଆୟୋଗ କିମ୍ବା କେନ୍ଦ୍ର ସରକାର ତାଗିଦ୍‌ କରୁନାହାନ୍ତି। ଖୋଦ୍‌ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ଆଜି ଓଡ଼ିଶାରେ ସ୍ଥିତି ସମୀକ୍ଷା କରିବା ବେଳେ ଏହାର ଗମ୍ଭୀରତାକୁ ଉପଲବ୍ଧି କରିଛନ୍ତି।

ଏପଟେ ବିଜେଡି ଛତିଶଗଡ ବିରୋଧରେ ବିଷୋଦ୍‌ଗାର କରିଛି। କିନ୍ତୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଯେଭଳି ଉଦ୍‌ବେଗ ପ୍ରକାଶ କରିବା କଥା, ତାହା ପରିଦୃଷ୍ଟ ହୋଇନାହିଁ। ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଚିତ୍କାର କରୁଥିବା କଂଗ୍ରେସ ଓ ବିଜେପି ମଧ୍ୟ ଚୁପ୍‌।

ଛତିଶଗଡ ସରକାରଙ୍କ ତଥ୍ୟ କହୁଛି, ଆଜି ବି ରବିଶଙ୍କର ସାଗର ଡ୍ୟାମ୍‌ରେ ୯୭.୨୭ % ଜଳ ମହଜୁଦ ରହିଛି। ଗତକାଲି ସେକେଣ୍ଡ ପ୍ରତି ୧ଲକ୍ଷ ୪୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଥିଲା। ବର୍ଷା କମିଯିବା ପରେ ସରକାର ତାହାକୁ ୩୦ ହଜାର ଘନଫୁଟକୁ କମାଇ ଦେଇଛନ୍ତି। ତନ୍ଦୁଲା ଡ୍ୟାମ୍‌ରେ ଗତକାଲି ଅପେକ୍ଷା ଜଳସ୍ତର ବଢିଛି। ଡ୍ୟାମ୍‌ ଶତ ପ୍ରତିଶତ ପୂର୍ଣ୍ଣ। ଦୁଧଓ୍ଵା ୯୯.୯୫%, ସୀକାସାର ୯୪.୫%, ସୋନ୍ଦୁରର ୯୧.୮୨% ଜଳ ଭର୍ତି ହୋଇ ରହିଛି। ଗତକାଲି ସୀକାସାର ଓ ସୋନ୍ଦୁରରୁ ୬୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଥିଲା, ଆଜି ତାହା ୩ ହଜାର ଘନଫୁଟକୁ କମାଇ ଦିଆଯାଇଛି।

ପାଣିପାଗ ବିଜ୍ଞାନୀଙ୍କର କହିବା କଥା ହେଉଛି, ଆସନ୍ତା ୩୧ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବ ପଶ୍ଚିମ ଓଡ଼ିଶା ସମେତ ମହାନଦୀ ଉପରମୁଣ୍ଡ ଉପରେ ବି ରହିବ। କିଛି ସ୍ଥାନରେ ଭୀଷଣ ବର୍ଷା ହୋଇପାରେ। ଏହା ଜାଣିବା ସତ୍ତ୍ୱେ କର୍ତୃପକ୍ଷ କିଭଳି ଏଭଳି ସାହସ କଲେ, ତାହା ବୁଝାପଡୁନାହିଁ।

ଜଳସଂପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜଳଭଣ୍ଡାରରୁ ପାଣି ନିଷ୍କାସନ ସ୍ଥିତି ମୁଖ୍ୟତଃ ତିନିଟି ପ୍ରସଙ୍ଗ ଉପରେ ନିର୍ଭର କରିଥାଏ। ଆକାଶରେ ବାଦଲର ସାଟେଲାଇଟ୍‌ ଚିତ୍ର, ଭାରତର ପାଣିପାଗ ବିଭାଗର ଆକଳନ, ହାରାହାରି ବୃଷ୍ଟିପାତର ଗୁରୁତ୍ୱ ଅଧିକ। ଗତ ସପ୍ତାହରେ ବର୍ଷା ସଂପର୍କରେ କର୍ତୃପକ୍ଷଙ୍କୁ ଆଗୁଆ ଜଣାଥିଲା। ତା ସତ୍ତ୍ୱେ ସେମାନେ ଏ ସଂକ୍ରାନ୍ତ ନିୟମକୁ ଏଡାଇଗଲେ ଓ ଓଡ଼ିଶା ପାଇଁ ବିପଦ ସୃଷ୍ଟି କଲେ। ଆଜିର ନିଷ୍ପତ୍ତିରୁ ଜଣାପଡୁଛି ଯେ ସେମାନେ କିଛି ବି ଶିକ୍ଷା କରିନାହାନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ଏକ ସମୀକ୍ଷା ବୈଠକ କରୁଥିବା ବେଳେ ରାଜ୍ୟ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ତାଙ୍କୁ ଛତିଶଗଡର ମନମାନି ସଂପର୍କରେ ଅବଗତ କରିଛନ୍ତି। କେଉଁ ପରିସ୍ଥିତିରେ ଓଡ଼ିଶା ବର୍ତମାନ ବନ୍ୟାକୁ ସାମ୍ନା କଲା, ସେ ସଂପର୍କରେ ତାଙ୍କୁ କୁହାଯାଇଥିଲା। ଏହା ଗମ୍ଭୀର ପ୍ରସଙ୍ଗ ବୋଲି ଶ୍ରୀ ମେଘଓ୍ଵାଲ ହୃଦୟଙ୍ଗମ କରିଛନ୍ତି। ହେଲେ ଠୋସ୍‌ ନିଷ୍କର୍ଶ କିଛି ଛାଡିନାହାନ୍ତି। କେବଳ ଆଶ୍ୱାସନା ଦେଇଛନ୍ତି ଯେ ଛତିଶଗଡ ସରକାର ସହିତ ଆଲୋଚନା କରିବେ।

ମହାନଦୀରେ ବନ୍ୟା ପରିସ୍ଥିତିକୁ ନେଇ ସିଧାସଳଖ ଛତିଶଗଡକୁ ଦାୟୀ କରିଛି ବିଜେଡି। ଛତିଶଗଡର ମନମୁଖୀ କାର୍ଯ୍ୟ ପାଇଁ ବନ୍ୟା ଆଶଙ୍କା ଉପୁଜିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ର। ବର୍ଷା ସମୟରେ ଛତିଶଗଡ ଅବିଚାରିତ ଭାବେ ବନ୍ୟା ଜଳ ଛାଡୁଛି। ଓଡ଼ିଶାକୁ ପ୍ରାକ୍‌ ସୂଚନା ନଦେଇ ଛତିଶଗଡ ପାଣି ଛାଡୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଥାଉକି, ଖରାଦିନେ ଛତିଶଗଡ ପାଣି ଅଟକାଇ ରଖିବା ଦ୍ୱାରା ମହାନଦୀ ସମେତ ସବୁ ନଦୀ ଶୁଖିଲା ପଡିଥିଲା। ଏବେ ପାଣି ଅଟକାଇ ରଖି ଓଡ଼ିଶାରେ ବନ୍ୟା ପାଇଁ ବାଟ ଖୋଲି ଦେଇଛି।

ସମ୍ବନ୍ଧିତ ଖବର