କମୁଛି ପାଣି, ବଢ଼ୁଛି ଦୁର୍ଦ୍ଦଶା; ଉପକୂଳବର୍ତ୍ତୀ ୬ଜିଲ୍ଲାରେ ଭୀଷଣ ପରିସ୍ଥିତି

ଘାଇ ଦେଇ ଗାଁକୁ ଗାଁ ଡେଉଁଛି ବନ୍ୟା ଜଳ, ବୁଡ଼ିଲାଣି କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ତଳିଆ ଅଞ୍ଚଳ

ଭୁବନେଶ୍ବର : ଲଗାଣ ବର୍ଷା କମିଛି। ଦୁଇ ଦିନ ହେଲା ପାଗ ମୁଖ୍ୟତଃ ଶୁଖିଲା। ମାତ୍ର ଉଛୁଳା ମହାନଦୀ ଏବେ ଉପକୂଳବାସୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ମହାନଦୀର ଶାଖା ନଦୀ ଓ ଉପ ନଦୀ କେଉଁଠି ବନ୍ଧ ଭାଙ୍ଗି ଗାଁକୁ ପାଣି ପଶୁଛି ତ ଆଉ କେ‌ଉଁଠି ଲେଉଟାଣି ପାଣି ଜନବସତିରେ ପ୍ରବେଶ କରି ଲୋକଙ୍କୁ ବେଘର କରିସାରିଲେଣି। ଏମିତି ଢଙ୍ଗରେ ୪୮ ଘଣ୍ଟା ହେଲା ମହାନଦୀର ବନ୍ୟାଜଳ କଟକ ସମେତ ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ ଜିଲ୍ଲାବାସୀଙ୍କ ନିଦ ହଜାଇ ଦେଇଛି। ତଳିଆ ଅଞ୍ଚଳର ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଢେଉ ଖେଳୁଛି। ଯୁଆଡ଼େ ଚାହିଁଲେ କେବଳ ପାଣି ଆଉ ପାଣି। ଜମି ଓ ରାସ୍ତା ଏକାକାର ହୋଇଯାଇଛି। କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି। ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି। ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର ସବୁଠି ସଫଳତା ମିଳୁନି। ଏପଟେ ଜଳସଂପଦ ବିଭାଗ ଆଉ ତିନି ଚାରିଦିନ ନଦୀ ଫୁଲିକି ରହିବ ବୋଲି କହିଛନ୍ତି। ସେଣେ ‌ଆଜିଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୧୨ଟା ସୁଦ୍ଧା ହୀରାକୁଦର ୪୦ଟି ଗେଟ୍‌ ଖୋଲାରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୨୫ ହଜାର ୪୧୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି ଏବଂ ୪୦ଟି ଗେଟ୍‌ରେ ୬ ଲକ୍ଷ ୭୭ ହଜାର ୮୯୧ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। ଖଇରମାଳଠାରେ ୯ ଲକ୍ଷ ୧୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୧୦ ଲକ୍ଷ ୪୧ ହଜାର ୯୧୧ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମାତ୍ର ବରମୂଳଠାରେ ୯ ଲକ୍ଷ ୪୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଏବେ ହୀରାକୁଦର ଜଳସ୍ତର ୬୨୫.୭୧ ଫୁଟ ରହିଛି। ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ରାଜ୍ୟ ସରକାର ପରିସ୍ଥିତିର ଗମ୍ଭୀରତା ଦେଖି ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଓ ଆଇଏଏସ୍ ଅଫିସର ଜି ରେଘୁଙ୍କୁ କେନ୍ଦ୍ରାପଡ଼ା ପଠାଇ ସ୍ଥିତି ଅନୁଧ୍ୟାନ ଲାଗି ନିର୍ଦେଶ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲା ପାଇକା ନଦୀର କାଠକୋଟ ଗାଁ ନିକଟରେ ୫୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିବାରୁ ଗାଁକୁ ପାଣି ପଶିଛି। ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କଟକ ଜିଲ୍ଲା ବାଙ୍କୀ ନିକଟ ସୁବର୍ଣ୍ଣପୁର ବନ୍ୟା ପାଣିରେ ଏବେ ଉବୁଟୁବୁ ହେଉଛି। ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରୁଛି। ଘରର ଆସବାବପତ୍ର ପାଣିରେ ଭାସୁଛି। ଭୁବନେଶ୍ୱର ସହର ଆଜି ବନ୍ୟାଜଳରୁ ମୁକୁଳିପାରି ନାହିଁ। ଦୟା ନଦୀର ଜଳସ୍ତର ବଢ଼ିବା ପରେ ସହର ଭିତରକୁ ପଛୁଆ ପାଣି ମାଡ଼ି ଆସିଛି। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଉପାୟ ନପାଇ ଘର ଭିତରେ ଶହ ଶହ ଲୋକ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ତିନି ଦିନ ହେଲା ପାଣିରେ ରହିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବୋଟ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରୁଛନ୍ତି। ଆଜି ସାତ ଦିନର ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକର ବାଲିପାଟଣା ଗାଁରେ ଲୋକଙ୍କ ଘରେ ପାଣି ପଶିଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ଏବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ପ୍ୟାକେଟ ଖାଦ୍ୟ ବଣ୍ଟନ କରାଯାଉଛି। କୋଣାର୍କ ଗୋପ ଅଞ୍ଚଳରେ କୁଶଭଦ୍ରା ନଦୀ ବନ୍ଧରେ ୨୫ ଫୁଟର ଘାଇ ସୃଷ୍ଟି ହୋଇଥିବାରୁ ବନ୍ୟା ଜଳ ବିଭିନ୍ନ ଗାଁକୁ ପ୍ରବେଶ କରୁଛି। କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲାଣି।

୫୭ ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ‌ଜୀବନଯାତ୍ରା ପ୍ରବାହିତ ହୋଇଛି। ବାଘମାରୀ-ସାରୁଅ ନିକଟ ପୋଲ ଉପରେ ସାଢେ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ପ୍ରଶାସନ ବାଧ୍ୟ ହୋଇ ଉକ୍ତ ରାସ୍ତାରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛି। ମହାନଦୀର ପାଣି କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳକୁ ବୁଡାଇ ଦେଇଛି। ଘରେ ପାଣି ପଶି ଯାଇଥିବାରୁ ଲୋକେ ଏବେ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ପାଇକା ନଦୀର ବନ୍ୟା ପାଣି ତିଖିରି ଗାଁରେ ପ୍ରବେଶ କରିଛି। ଜିଲ୍ଲାର ନାନକାରା ମେଡିକାଲରେ ପାଣି ପଶିଛି। ହସ୍ପିଟାଲର ତଳ ମହଲରେ ବନ୍ୟାପାଣି ପଶିବାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇ ରହିଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିର ସାମ୍ନା କରିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲରେ ରଖାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲ୍ଲାରେ ଦୁଇ ଦିନ ଅର୍ଥାତ୍‌ ବୁଧବାର ଓ ଗୁରୁବାର ସ୍କୁଲ ଛୁଟି ଘୋଷଣା ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ମହାନଦୀରେ ବନ୍ୟାଜଳ ସାମାନ୍ୟ କମିଛି। ହେଲେ ବିପଦ ଟଳି ନାହିଁ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡୁଳିରେ ମହାନଦୀର ଜଳସ୍ତର କମିଥିବା ବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଞ୍ଚିଛି। ଆସନ୍ତାକାଲି ସକାଳେ ଅର୍ଥାତ୍‌ ଗୁରୁବାର ଏହା ମୁଣ୍ଡଳୀରେ ପହଁଚିବ। ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ହେବ। ଗତକାଲି ସେଠାରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ତାହା କମିଛି। ହୀରାକୁଦରେ ଅଧିକ ଗେଟ୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଏବେ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବନ୍ୟାର ସ୍ଥିତି ତିନି ଦିନ ଲାଗି ରହିବ। ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହେଇଛି। ବର୍ତ୍ତମାନ ପାଣି ସ୍ରୋତ ଅଧିକ ଥିବାରୁ ଘାଇ ମରାମତି ହୋଇପାରୁନି। ପାଣି କମିଲେ ମରାମତି କରାଯିବ ବୋଲି ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର