ବଢୁଛି ମହାନଦୀର ଜଳସ୍ତର: ୬ ଜିଲ୍ଲାରେ ମଧ୍ୟମଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ଓ ଏହାର ଶାଖାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମହାନଦୀରେ ବନ୍ୟା ଜଳ ଆସିଲେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ପ୍ରଭାବିତ ପ୍ରଭାବିତ ହୋଇପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଲିସୁଦ୍ଧା ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ। ଏଠାରେ ୭.୫ରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇପାରେ।

ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବୁର୍ଲାସ୍ଥିତ ହୀରାକୁଦର ମାଷ୍ଟର୍ସ କଣ୍ଟ୍ରୋଲ ରୁମରେ ରବିବାର ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ୨୬ ବର୍ଷର ରେକର୍ଡ। ପୂର୍ବରୁ ୧୯୯୨ ଅଗଷ୍ଟ ୧୯ରେ ୫୮୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

ଆଜି ସନ୍ଧ୍ୟା ୫ର ବୁଲେଟିନ୍‌ ଅନୁସାରେ ହୀରାକୁଦ ଡ୍ୟାମକୁ ପ୍ରତି ସେକେଣ୍ଟରେ ୧ ଲକ୍ଷ ୬୪ ହଜାର କୁସେଜ ବର୍ଷା ଜଳ ପ୍ରବେଶ କରୁଥିବା ବେଳେ ପାଓ୍ଵାର ଚେନାଲ ଓ କେନନ ଗୁଡ଼ିକ(ବରଗଡ଼, ଶାସନ ଓ ସମ୍ବଲପୁର)ରେ ୫୩୦୦ କ୍ୟୁସେଜ ଜଳ ନିଷ୍କାସିତ ହେଉଛି। ଆଜି ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୩.୫୦ ଫୁଟ୍‌ ଥିଲା। ଏହା ଆହୁରୀ ବଢ଼ିବ ବୋଲି ହୀରାକୁଦ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ସେ କହିଛନ୍ତି, ଜୁଲାଇ ୨୪ରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଡ୍ୟାମ୍‌ରେ ବର୍ଷା ଜଳ ସ୍ଥିତି ନେଇ କେତୋଟି ଗେଟ୍‌ ଖୋଲିବ ପୂର୍ବରୁ ନଦୀ କୂଳରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯିବ।

ମହାନଦୀ ବ୍ୟତୀତ ବ୍ରାହ୍ମଣୀ, ବୈତରଣୀ, ରୁଷିକୁଲ୍ୟା ଆଦି ନଦୀଗୁଡ଼ିକରେ ମଧ୍ୟ ପୂର୍ବ ଦିନଗୁଡ଼ିକ ଅପେକ୍ଷା ଜଳସ୍ତର ବଢ଼ିଛି।

 

ସମ୍ବନ୍ଧିତ ଖବର