ଭୁବନେଶ୍ବର: ଆଜି ବର୍ଷା ଯୋଗୁ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ଥିବା ବେଳେ, ୧୪ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡ଼ିଶା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ, ବର୍ଷାର ପ୍ରଭାବରେ କଟକ-ଭୁବନେଶ୍ବର‌ରେ ସହରୀ ବନ୍ୟାର ଆଶଙ୍କା ମଧ୍ୟ ଦେଖା ଦେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ଏହାଛଡ଼ା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ବି ଆଶଙ୍କା ରହିଛି। ଓଡ଼ିଶା ଉପକୂଳ ଏବଂ ତାର ଆଖ-ପାଖ ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବା ସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ। ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ୧୫ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ, ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି, ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ଶନିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ(୭୦ରୁ ୨୦୦ ମିମି) ବର୍ଷା ହେବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଓ ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଭୀଷଣରୁ ଅତିଭୀଷଣ(୨୦୦ ମିମିରୁ ଅଧିକ) ବର୍ଷା ହୋଇପାରେ। ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଅର୍ଥାତ ୭୦ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।