ମହାନଦୀରେ ଆସିପାରେ ବନ୍ୟା; ବିପଦ ସଙ୍କେତ ଛୁଇଁଲା ବୈତରଣୀ

ଭୁବନେଶ୍ୱର: ମହାନଦୀରେ ଆସିପାରେ ବନ୍ୟା। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌। ସୋମବାର ଭୁବନେଶ୍ୱରରେ ଏସ୍‌ଆରସିଙ୍କ ପକ୍ଷରୁ ଜାରି ସୂଚନାରେ କୁହାଯାଇଛିି ଯେ ଗତ ଦୁଇ ଦିନର ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ରେକର୍ଡ ବର୍ଷା ହେତୁ ମହାନଦୀ ଫୁଲି ଉଠିଛି। ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ମହାନଦୀରେ କ୍ଷୁଦ୍ରରୁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖା ଦେଇଛି। ସୋମବାର ସଂଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ ବୋଲି ଆକଳନ କରାଯାଇଛି। ମହାନଦୀର ଜଳସ୍ତର ମୁଣ୍ଡଳି ଠାରେ ବୃଦ୍ଧି ପାଉଛି । ମହାନଦୀରେ  ଦିନ ୧୦ଟା ସୁଦ୍ଧା ସେକେଣ୍ଡକୁ ୭ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା, ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଛି। ତେଣୁ  ବନ୍ୟା ନିୟନ୍ତ୍ରଣ ଲାଗି ଏହି ଜଳ ନିଷ୍କାସିତ କରାଯିବ। ଏଥିଲାଗି କଟକ, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି।

ଏସ୍‌ଆରସି କହିଛନ୍ତି ଯେ, ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ଜରୁରୀକାଳୀନ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପରିସ୍ଥିତି ନିୟନ୍ତ୍ରାଣଧୀନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଛୁଇଁଛି। ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ରହିଛି ୧୭.୮୦ ମିଟର। ବୈତରଣୀର ଜଳ ପ୍ରବାହ ଯୋଗୁଁ ଭଣ୍ଡାରୀପୋଖରୀ ଅଞ୍ଚଳରେ ୮/୯ଟି ପଞ୍ଚାୟତ ପ୍ରଭାବିତ ହୋଇପାରେ ବୋଲି ଏସ୍‌ଆରସି କହିଛନ୍ତି।

ସମ୍ବନ୍ଧିତ ଖବର