ବର୍ଷା ହେଲେ ବିଗୁଡୁଛି ମାଲକାନଗିରିର ସ୍ଥିତି : ରାଜପଥରେ ଉଚ୍ଚମାନର ପୋଲ ନିର୍ମାଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କୁ ଚିଠି ଲେଖିଲେ ନବରଙ୍ଗପୁର ସାଂସଦ ରମେଶ ମାଝି

ମାଲକାନାଗିରି : ପ୍ରତି ବର୍ଷ ବନ୍ୟା ଦେଖୁଛି ମାଲକାନଗିରି । କେଇ ଘଂଟାର ବର୍ଷା ପରେ ଉବୁଡୁବୁ ପୁରା ଜିଲ୍ଲା । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗାଁ ଗଣ୍ଡା, ସବୁଠି ପାଣି, ପାଣି ଆଉ ପାଣି । ବର୍ଷ ବର୍ଷ ଧରି ତିନୋଟି ପୋଲ ନିର୍ମାଣ କାମ ଜାରି ରହି ଥିବା ବେଳେ ଜାତୀୟ ରାଜପଥରେ ପ୍ରସ୍ତାବିତ ୪ଟି ପୋଲ ନିର୍ମାଣ କାମ ହୋଇପାରି ନାହିଁ । ତେବେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ତ୍ରୀ ଓ ଏସଆରସି ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏବଂ ସେହି ପୁରୁଣା ଢଙ୍ଗରେ ପୋଲ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଛନ୍ତି ମନ୍ତ୍ରୀ ଆଉ ସଚିବ ।

ସେପଟେ ଶ୍ରାବଣର ପହିଲି ବର୍ଷାରେ ମାଲକାନଗିରିରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତି ପ୍ରସଙ୍ଗ ଲୋକସଭାରେ ଉଠିଛି । ନବରଙ୍ଗପୁର ସାଂସଦ ରମେଶ ମାଝି ଏହି ପ୍ରସଙ୍ଗ ଉଠାଇ ଜାତୀୟ ରାଜପଥରେ ଉଚ୍ଚମାନର ପୋଲ ନିର୍ମାଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କୁ ନିବେଦନ କରିଛନ୍ତି । ଏମିତି ଏକ ଚିଠି ମଧ୍ୟ ଲେଖିଛନ୍ତି ।

ବର୍ଷା ହେଲେ ବିଗିଡେ ମାଲକାନଗିରିର ସ୍ଥିତି । ଜଳବନ୍ଦୀ ହୋଇଯାଏ ଜୀବନ । ଅସରାଏ ବର୍ଷା ଆଉ ଜଳାର୍ଣ୍ଣବ ମାଲକାନଗିରି । ପ୍ରତି ବର୍ଷ ବର୍ଷା ଦିନେ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି ମାଲକାନଗିରି । ଏ ବର୍ଷ ବି ଶ୍ରାବଣର ପ୍ରଥମ ବର୍ଷାରେ ଉବୁଡୁବୁ ହୋଇଛି ମାଲକାନଗିରି–ମୋଟୁ, ମାଲକାନଗିରି-ଚିତ୍ରକୋଣ୍ଡା ଓ ମାଲକାନଗିର-ସୁକୁମା ରାସ୍ତା । ଲଗାଣ ବର୍ଷା ହେଲେ ଜିଲ୍ଲାର ସମସ୍ତ ପ୍ରମୁଖ ରାଜରାସ୍ତାରେ ବହେ ୫ରୁ ୮ ଫୁଟ ଉଚ୍ଚର ବନ୍ୟା ଜଳ ।

ଆଉ ବର୍ଷାର ପରିମାଣ ବଢିଲେ କଥା ସରିଲା । ବାହ୍ୟଜଗତରୁ ବିଚ୍ଛିନ ହୋଇଯାଏ ପୁରା ମାଲକାନଗିରି । ମୋଟୁ, ପୋଟେରୁ, କୋରୁକୋଣ୍ଡା, ମାଥିଲିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ପୋଲାଭରମ ଓ ଗୋଦବରୀର ପଛୁଆ ପାଣି ମୋଟୁବାସୀଙ୍କୁ ଆତଙ୍କିତ କରୁଥିବା ବେଳେ କୋରୁକୋଣ୍ଡା, ଏମ.ଭି.୧୧ ଓ ତାରଲାକୋଟା ଠାରେ ନିର୍ମାଣଧୀନ ପୋଲ କାମ ଦେଖି ଦେଖି ବନ୍ୟା ଯନ୍ତ୍ରଣା ସହିବାର ଶକ୍ତି ଯୋଗାଡ କରିସାରିଛନ୍ତି ମାଲକାନଗିରିବାସୀ ।

ମାଲକାନଗିରିରେ ବନ୍ୟା ସମୀକ୍ଷା । ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ଓ ଏସଆରସି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଏସଆରସି ବିଷ୍ଣୁପଦ ସେଠୀ । ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ମାଲକାନଗିରି ବନ୍ୟା ପରର ସ୍ଥିତି ଦେଖିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ଏସଆରସି । ଏହାସହ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ସେହି ଚିରାଚରିତ ଢଙ୍ଗରେ ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

ଖୁବଶୀଘ୍ର କୋରୁକୋଣ୍ଡା, ଏମ.ଭି ୧୧ ଓ ତାରଲାକୋଟା ପୋଲ କାମ ସାରିବା ସହ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ.ପି.ଭି ୯୬ ଓ ଏମ.ଭି ୭୨ରେ ୯ଟି ହାଇଲେଭଲ ପୋଲ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସ.ଆର.ସି । ଏଥର ମାଲକାନଗିରି ବନ୍ୟା ପାଣିର ଶବ୍ଦ ଲୋକସଭାରେ ମଧ୍ୟ ଗୁଜରିତ ହୋଇଛି । ସ୍ଥାନୀୟ ସାଂସଦ ରମେଶ ମାଝୀ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ହାଇଲେଭେଲ ପୋଲ ପାଇଁ ପ୍ରସ୍ତାବ ରଖିଛନ୍ତି ।

ସମ୍ବନ୍ଧିତ ଖବର