ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଦୁର୍ଦ୍ଦଶାରେ ହଜାର ହଜାର ଲୋକ

ବାଲେଶ୍ୱର : ଆଜି ସବୁ ନଦୀର ଜଳସ୍ତର କମି ବିପଦ ସଂକେତ ତଳେ ରହିଛି। ସୁବର୍ଣ୍ଣରେଖାର ଜଳସ୍ତର ୯.୫୫ ମିଟର ରହିଥିବା ବେଳେ ବୁଢାବଳଙ୍ଗ ନଦୀର ଜଳସ୍ତର ୬.୨୨ ମିଟର ରହିଛି। ସେହିପରି ଜଳକା ନଦୀର ଜଳସ୍ତର ୬.୩୩ ମିଟର ରହିଛି।

ବାଲିଆପାଳ, ଭୋଗରାଇ, ଜଳେଶ୍ବର, ରେମୁଣା, ବସ୍ତା ଆଦି ବ୍ଲକ୍‌ ଗୁଡ଼ିକର ତଳିଆ ଅଞ୍ଚଳରେ ବନ୍ୟା ପାଣି ଛାଡ଼ିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାର ୭ଟି ବ୍ଲକ୍‌ରେ ବନ୍ୟା ପାଣି ଛାଡ଼ିଥିଲେ ବି ଏବେ ସ୍ଥିତି ସଂପୂର୍ଣ୍ଣ ସୁଧୁରି ନାହିଁ। ପାଖାପାଖି ୩ ଶହରୁ ଅଧିକ ଗ୍ରାମ ବନ୍ୟା ପାଣିରେ ପ୍ରଭାବିତ ହୋଇଛି। ସେହିପରି ଏବେ ବି ୨୬ ହଜାର ୧୭୯ ହେକ୍ଟର ଚାଷ ଜମି ଜଳମଗ୍ନ ରହିଛି। ଧାନଗଛ ସବୁ ପାଣି ଭିତରେ ରହିଛି। ସକାଳ ଅପେକ୍ଷା ଅପରାହ୍ନ ଠାରୁ ପାଣି ଧୀରେ ଧୀରେ ଖସିବାରେ ଲାଗିଛି। ରାସ୍ତାଘାଟରେ ଅନେକ ଘାଇ ସୃଷ୍ଟି ହୋଇଥିବା ବେଳେ ବହୁ ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ କିଛି ସ୍ଥାନରେ ବିଚ୍ଛିନ୍ନ ରହିଛି। ସେହିପରି ଲୋକଙ୍କ ଘରେ ବନ୍ୟା ମାଟି ଜମି ରହିଥିବା ବେଳେ ଆଜି ବି ଅନେକ ଗାଁରେ ଚୁଲି ଜଳିନାହିଁ। ତେବେ ପାଣି ଛାଡ଼ିଥିଲେ ବି ଅନେକ ସ୍ଥାନରେ ପ୍ରଶାସନର ସହାୟତା ପହଞ୍ଚି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର