କଟକ : ତିନି ଦିନ ହେଲା ଛାତ ଉପରେ ବିତୁଛି ଜୀବନ, ୧୫ ହଜାର ପରିବାର ଜଳବନ୍ଦୀ

କଟକ (ସୀମନ୍ତିକା ନନ୍ଦ) : ତିନି ଦିନ ହେଲା ଛାତ ଉପରେ ବିତୁଛି ଜୀବନ। ଘର ଭିତରେ ଆଣ୍ଠୁଏ ପାଣି। ସରୀସୃପଙ୍କ ଭୟ। ତଳକୁ ଆସିବାକୁ ଡର। ସେହି ଛାତ ଉପରେ ତମ୍ବୁ ଟାଣି ରୋଷେଇ, ଖାଇବା, ପିଇବା, ସବୁ କିଛି। କେବଳ ପାଣି ପାଇଁ ତଳକୁ ଓହ୍ଲାଇ ଯିବାକୁ ପଡୁଛି ଅଧ କିଲୋମିଟର। ଲାଇନରେ ଛିଡା ହୋଇ ପାଣି ଆଣିବାକୁ ପଡୁଛି। କଟକ ଜିଲ୍ଲା ବାଙ୍କୀ-ଡମପଡା ବ୍ଲକ୍‌ର ବିଲିପଡା, ଶୁଖୁଆଖେଳା, ଶିମିଳିପୁର, କରବର ଆଦି ଗାଁରେ ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୨ଶହରୁ ଅଧିକ ପରିବାର। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଉଚ୍ଚା ସ୍ଥାନ, ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ଲୋକ। ମୋଟାମୋଟି ଭାବେ ଅଞ୍ଚଳର ୩୧ଟି ଗ୍ରାମର ୧୫ ହଜାର ଲୋକ ଏବେ ତିନି ଦିନ ହେଲା ଜଳବନ୍ଦୀ। ଏବେ ପୁଣି ଆକାଶରେ ବାଦଲ ମାଡି ଆସି ଥିବାରୁ ଲୋକଙ୍କ ଆଶଙ୍କା ବଢିବାରେ ଲାଗିଛି।

ବାଙ୍କୀ ବ୍ଲକ୍‌ର କରବର ଗାଁର ସଦାଶିବ ନନ୍ଦଙ୍କ ପରିବାର କହିଲେ ସ୍ତ୍ରୀ, ତିନି ପୁଅ, ବୋହୂ ଓ ନାତି, ନାତୁଣୀ। ଶନିବାରଠାରୁ ଛାତ ଉପରେ ଦିନ କାଟୁଛନ୍ତି ୧୨ପ୍ରାଣୀ କୁଟୁମ୍ବ। ଶନିବାର ଦିନ ଅପରାହ୍ନରୁ ଘର ତାଜା ପର୍ଯ୍ୟନ୍ତ ବନ୍ୟାଜଳରେ ବୁଡିଗଲା। ପାଣି ମାଡି ଆସୁଥିବା ଖବର ପାଇ ତରବରରେ ପଲଙ୍କ, ରୋଷେଇ ସରଞ୍ଜାମ, ଚାଉଳ, ଯାହା କିଛି ପାରିଥିଲେ ତାକୁ ନେଇ ଯାଇଥିଲେ ଛାତ ଉପରକୁ। ପାଣି କମି ଥିଲେ ବି ଆଜି ଘର ଦୁଆର ସାମ୍ନାରେ ଆଣ୍ଠୁଏ ପାଣି। ଗାଁରେ ଏଭଳି ୨ଶହ ପରିବାରର ସମାନ ଦୁର୍ଦ୍ଦଶା। କୂଅ ବୁଡିଯାଇଥିବାରୁ ପାଣି ମୁନ୍ଦାଏ ପାଇଁ ନଳକୂଅକୁ ଯିବାକୁ ପଡୁଛି ଅଧ କିଲୋମିଟର ଦୂର। ବ୍ଲକ୍‌ର ୫ଟି ପଯଂଚାୟତର ପାଖାପାଖି ୧୮ଟି ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ। ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ନଦୀକୂଳିଆ ଗାଁ ବିଲିପଡା ପଂଚାୟତ। ତିଗିରିଆରେ ବି ସମାନ ଅବସ୍ଥା। ମହାନଦୀ ବନ୍ୟା ପାଣିରେ ବାଙ୍କୀ, ଡମପଡା, ତିଗିରିଆ, ନରସିଂପୁର, ବଡ଼ମ୍ବା ଅଞ୍ଚଳରେ ଏଭଳି ଦୁର୍ଦ୍ଦଶାର ଚିତ୍ର ସାମନାକୁ ଆସିଛି। ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ପାଉଚ୍ ପାଣି, ଶୁଖିଲା ଖାଦ୍ୟ ଇତ୍ୟାଦି ଦିଆଯାଇଛି। କିନ୍ତୁ ସେ ସବୁ ସମୁଦ୍ରକୁ ଶଙ୍ଖେ। କଟକ ଜିଲ୍ଲାର ୮ଟି ବ୍ଲକର ୫୧ଟି ଗ୍ରାମ ପଂଚାୟତ ଓ ୧୦୦ ଗ୍ରାମରେ ପାଣି ମାଡିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସମଗ୍ର ଜିଲ୍ଲାରେ ସମୁଦାୟ ୬୮ ହଜ଼ାର ୬୨୬ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବାବେଳେ ୫୮୩୭ ଜଣଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର