ବୈତରଣୀ ଫୁଲୁଛି, ଯାଜପୁରରେ ବନ୍ୟା ସତର୍କତା

ଯାଜପୁର/ସଦର/ଟାଉନ୍ : ବୈତରଣୀରେ ଆସୁଛି ବଡ଼ବନ୍ୟା। ପ୍ରବଳ ବର୍ଷା ‌ଲାଗି ରହିଥିବାରୁ ବୈତରଣୀ ଫୁଲୁଛି। ଛୋଟବଡ଼ ନଦୀନାଳ ସବୁ ଉଛୁଳି ବୈତରଣୀକୁ ଆହୁରି ବଳ ଯୋଗାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ଅପରାହ୍‌ଣ ୫ ଟାରେ ଆନନ୍ଦପୁରର ରାଜଘାଟରେ ବିପଦ ସଂକେତର ଢେର୍‌ ଉପରେ ଅର୍ଥାତ୍‌ ୪୦.୧୬ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟରକୁ ଟପି ରାତି ୧୦ଟା ସୁଦ୍ଧା ୧୯.୦୩ ମିଟରରେ ପହଞ୍ଚିଛି। ‌ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଦ୍ରୁତ ଗତିରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି।

ବନ୍ୟା ପୂର୍ବରୁ ଲଗାଣ ବର୍ଷା ‌ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଦଶରଥପୁର ବ୍ଲକ କସପା ପଞ୍ଚାୟତ ପଲାସାହିଠାରେ ବୈତରଣୀ ନଦୀବନ୍ଧର ପ୍ରାୟ ୧୦୦ ଫୁଟ ନଦୀ ଗର୍ଭକୁ ଧସି ଯାଇଛି। ଏହାକୁ ପ୍ରଶାସନ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ବନ୍ଧ ତଳେ ରହୁଥିବା ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଜି ସନ୍ଧ୍ୟାରେ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପି ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛିନ୍ତି। ବିଂଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଘରେ ବର୍ଷାଜଳ ପଶି ଯାଇଥିବାବେଳେ କୋ‌ରେଇ ବ୍ଲକର ଚାଷଜମି ଓ ଗାଁରେ ପାଣି ଜମି ରହିଛି। କେତେକ ସ୍ଥାନରେ ଘରକାନ୍ଥ ଭାଙ୍ଗିଯାଇଛି। ଅନ୍ୟପଟେ ଏବ ବଡ଼ବନ୍ୟାର ଆଶଙ୍କା କରିଛି ପ୍ରଶାସନ। କେନ୍ଦୁଝରରେ ୧୨୦ ମିଲିମିଟର ବର୍ଷା ହେଲେ ବୈତରଣୀରେ  ବଡ଼ବନ୍ୟା ହୁଏ। ଏଥର ଏହି ବର୍ଷା ପରିମାଣ ବହୁ ଅଧିକ ଥିବାରୁ ଏକ ବଡ଼ବନ୍ୟାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପ୍ରଶାସନ କହିଛି।  ଆଜି ସକାଳ ସୁଦ୍ଧା ଯାଜପୁରରେ ହାରାହାରି ୧୧୫ ମିମି ବର୍ଷା ହୋଇଥିଲା ବେଳେ ଦିନ ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଆଜି ସକାଳ ସୁଦ୍ଧା କେନ୍ଦୁଝରରେ ୧୫୮.୪ ମିମି, ଆନନ୍ଦପୁର ୧୦୮, ସ୍ବାମ୍‌ପାଟଣା ୧୭୬.୪, ଚମ୍ପୁଆ ୨୦୧, ଠାକୁରମୁଣ୍ଡା ୧୬୦, ଆଖୁଆପଦାରେ ୮୧.୬ ମିମି ବର୍ଷା ରେକର୍ଡ ହୋଇଥିଲା।

ବନ୍ୟା ମୁକାବିଲା ପାଇଁ ସମସ୍ତ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବା ବେଳେ କୋରେଇରେ ୫ଟି, ଯାଜପୁରରେ ୨ଟି, ଦଶରଥପୁରରେ ୪ ଟି ଓ ବିଂଝାରପୁରରେ ୨ ଟି ବୋଟ୍ ପ୍ରସ୍ତୁତ ରହିଛି। କଳିଙ୍ଗନଗରରୁ ଆସିଥିବା ଓଡ୍ରାଫ୍ ଟିମ୍‌କୁ ଦଶରଥପୁର ବ୍ଲକକୁ ପଠାଇ ଦିଆଯାଇଛି। ପାଣିକୋଇଲିରେ ଥିବା ଏନ୍‌ଡିଆର୍‌ଏଫ୍ କୋରେଇ ବ୍ଲକର ସ୍ଥିତି ଉପରେ ନଜର ରଖିବେ।

ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ସବୁ ଦିଗ ପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଭିଡିଓ କନ୍‌ଫ‌ରେନ୍‌ସ ଜରିଆରେ ଏସ୍‌ପି, ପ୍ରକଳ୍ପ ନିର୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଡିଏମ୍‌ଓ, ସମସ୍ତ ବିଡିଓ, ତହସିଲଦାର, ଲାଇନ ବିଭାଗର ଅଧିକାରୀ, ସିଏସଓ, ସିଡିଭିଓଙ୍କ ସହ ବନ୍ୟା ମୁକାବିଲା ଉପରେ ଆଲୋଚନା କରି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। କୌଣସି ଅଧିକାରୀ କିମ୍ବା କର୍ମଚାରୀ ସଦର ମହକୁମା ନଛାଡିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର