ବୀରମହାରାଜପୁର: ଲଘୁଚାପ ଜନିତ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସମସ୍ତ ପନ୍ଦର ଗୋଟି ଗ୍ରାମପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ବର୍ଷା ଛାଡ଼ିଯାଇଛି ସତ। କିନ୍ତୁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିଛି। କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ଯୋଡ଼ୁଥିବା ବୀରମହାରାଜପୁର-ଯୁଯୁମୁରା ରାସ୍ତାର ମୁର୍ଷୁଣ୍ଢି ନିକଟରେ ହରିହର ଯୋରର ପୁରୁଣା ପୋଲ ଓ ରାସ୍ତା ଭାଙ୍ଗିଯିବା ଫଳରେ ଲକ୍ଷାଧିକ ଲୋକ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି।

Advertisment

publive-image

ସୋମବାର ଠାରୁ ଲଗାତାର ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ ଠେଙ୍ଗୋ ‌ଡ୍ୟାମ୍‌ରୁ ୬ଟି ଗେଟ୍‌ ଖୋଲି ଦିଆଯିବା ଫଳରେ ବୀରମହାରାଜପୁର ବ୍ଲକରେ ବନ୍ୟାଜଳ ଆସିଥିଲା। ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗିଯାଇଥିବା ବେଳେ ଅନେକ ସ୍ଥାନରେ ଘରର କାନ୍ଥ ପଡିଯାଇଥିବାର ଦେଖିବାକୁ ମିଳିଥିଲା। ଗୁରୁବାର ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ। ବିଧାୟକଙ୍କ ସହିତ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବିଡ଼ିଓ ମୋତିଲାଲ ସୁଲିଆ, ପୂର୍ବତନ ବ୍ଲକ ଚ୍ୟାରମେନ ରଂଜିତ କୁମାର ରଥ, ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ, ଆତ୍ମା ପୂର୍ବତନ ଅଧ୍ୟକ୍ଷ ଆଲୋକ ଦେହୁରୀ, ମଧୁସୂଦନ ପଣ୍ଡା, ଭଗବାନ କର୍ଣ୍ଣ, ଚିତ୍ତ ରଞ୍ଜନ ଦାଶ, ଶ୍ରୀକାନ୍ତ କର୍ମୀ ପ୍ରମୁଖ ସାମିଲ ଥିଲେ। ବନ୍ୟାରେ ଘର ଭାଙ୍ଗି ଥିବା ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ସହିତ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ତରଫରୁ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିବାର ଜଣାଯାଇଛି। ଅନେକ ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇ ବର୍ତ୍ତମାନ ସୁଦ୍ଧା ବର୍ଷା ପାଣି ଜମିରହିଛି।

publive-image

ଅନ୍ୟପଟରେ କୌଣସି ଘୋଷଣା ନକରି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ଗେଟ୍‌ ଖୋଲିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମୁର୍ଷୁଣ୍ଢି ଠାରେ ହରିହର ଯୋର ଉପରେ ପୁରୁଣା ପୋଲ ବାଡ଼ା ଭାଙ୍ଗିବା ସହିତ ଉଭୟ ପଟରେ ୧୫ ଫୁଟର ପ୍ରାୟ ପାଞ୍ଚୋଟି ଘାଇ ସୃଷ୍ଟି ହୋଇଛି। ବୀରମହାରାଜପୁରର ଠାରୁ ମୁର୍ଷୁଣ୍ଢି ପଞ୍ଜାୟତ ଓ ଘୁଙ୍ଗିଯୋର ବନ୍ୟା ସହିତ ଘାଇ ହେବାରୁ ଅମରପାଲି ଦେଇ ମୋଚିବାହାରକୁ ଯୋଡ଼ୁଥିବା ଏହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଏହି ଅଞ୍ଚଳରେ ‌ଯଦି କୌଣସି ବ୍ୟକ୍ତି ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଚାହିଁବେ ସେ ବୀରମହାରାଜପୁରକୁ ଆସିପାରିବେ ନାହିଁ। ଏହାସହିତ ଫୁଲଚରା ଗ୍ରାମ୍ୟ ଉନ୍ନୟନ ରାସ୍ତା, ଦୁହୁଲପାଲି ବ୍ଲକ ରାସ୍ତା, ପିତା ମହୁଲ, ଡୁଳେଶ୍ୱର ରାସ୍ତା ଅନେକ ସ୍ଥାନରେ ଘାଇ ହୋଇ ଥିବାର ଜଣାଯାଇଛି।

publive-image

ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକମାନଙ୍କ ସର୍ବନିମ୍ନ ସୁବିଧା କିପରି ଭାବରେ ପାଇ ପାରିବେ ଲାଗି ପଡ଼ିଛନ୍ତି। ବୀରମହାରାଜପୁର ଜିଲ୍ଲା ପରିଷଦ ଜୋନ୍‌-୧ ସଦସ୍ୟ ଲବ କୁମାର ସାହୁ ଅଭିଯୋଗ ଆଣିଛନ୍ତି ଯେ, ଜଳସେଚନ ବିଭାଗର ତ୍ରୁଟି ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ସେ କହିଛନ୍ତି, ଜଳସେଚନ ବିଭାଗର ଆଗରୁ ହରିହର ଯୋର୍ ଠେଙ୍ଗେ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଆସ୍ତେ ଆସ୍ତେ ବନ୍ୟାଜଳ ଛାଡ଼ି ଥିଲେ ଏଭଳି ବନ୍ୟା ସୃଷ୍ଟି ହୋଇନଥାନ୍ତା। ବିନା ସୂଚନାରେ ବିଳମ୍ବିତ ରାତିରେ ୬ଟି ଗେଟ୍ ଖୋଲିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଏଥିପାଇଁ ସମ୍ପୂର୍ଣ ଭାବରେ ଜଳସେଚନ ବିଭାଗ ଦାୟୀ।

ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ହରିହର ଯୋର୍ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ବନ୍ୟାଜଳ ଛାଡ଼ିବା ପାଇଁ ଆଗରୁ ନୋଟିସ ଦିଆଯାଇଥିଲା। ୧ ତାରିଖରେ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୪୭. ୫୦୦ ମିଟର ପାଖାପାଖି ହୋଇଯାଇଥିଲା। ତେଣୁ ସେହିଦିନ ଆମେ ପ୍ରଥମ ଗେଟ୍ ରାତି ୮.୩୦ରେ ଖୋଲିଥିଲୁ। ଏହାପରେ ପର୍ଯ୍ୟାୟ କ୍ରମେ ରାତିରେ ୫ଟି ଗେଟ୍‌ ଖୋଲିଥିଲୁ। ରାତି ୧୨ଟାରେ ୬ ନମ୍ବର ଗେଟ ଖୋଲିଥିଲୁ । ଏଥିପାଇଁ ଆମ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ, ମୁଁ ଓ ଆମ କନିଷ୍ଠ ଯନ୍ତ୍ରୀ ସମିର କାନ୍ତ ସିଂ ଓ ଅନ୍ୟାନ୍ୟ କର୍ମଚାରୀ ସାରାରାତି ଜଗି ରହି କାର୍ଯ୍ୟ କରିଛୁ।