ବାଲେଶ୍ବର/ଭୁବନେଶ୍ବର: ଉପରୁ ମୁଣ୍ଡରୁ ବନ୍ୟା ପାଣି ପ୍ରଭାହିତ ହେଉଥିବାରୁ ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକରେ ଏହାର ଭୟଙ୍କର ପ୍ରଭାବ ପଡ଼ିଛି। ଆଜି ଅପରାହ୍ନରୁ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ ବୋଲି ଜଣାଯାଇଥିବା ବେଳେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ୪ଟି ବ୍ଲକ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି।
ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା ରବିବାର ସନ୍ଧ୍ୟାରେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟରରେ ଜଳ ପ୍ରବାହିତ ହେଉଛି, ଯାହାକି .୬୫ ମିଟରରୁ ଅଧିକ। ବାଲେଶ୍ବର ଜିଲ୍ଳାରେ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ୧ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୁକାବିଲା ପାଇଁ ୫ଟି ଓଡ୍ରାଫ ଟିମ୍, ୪ଟି ଏନଡିଆର ଟିମ୍, ୩୫ଟି ପାୱାର ବୋଟ ମୁତୟନ କରାଯାଇଛି। ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀ ବନ୍ୟା ସ୍ଥିତି ତଦାରଖ କରୁଛନ୍ତି। ସେହିପରି ଲୋକଙ୍କର ଜୀବନ ସୁରକ୍ଷା ପାଇଁ ଅତ୍ୟାଧୁନିକ ଜୀବନରକ୍ଷାକାରୀ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୭ ରିଲିଫ ଶିବିର, ୧୧ଟି ଡାକ୍ତରୀଦଳ, ରାସ୍ତାଘାଟ ଅବରୋଧ ହଟାଇବା ପାଇଁ ୮ଟି ଟିମ, ନଦୀ ବନ୍ଧ ସୁରକ୍ଷା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ରାଜ୍ୟର ୨୪ଟି ଜିଲ୍ଲା ୧୨୯ଟି ବ୍ଲକ ୩୨୩୨ ଗାଁ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ ୮ ଲକ୍ଷ ୫୩ ହଜାର ପ୍ରଭାବିତ ହୋଇଛନ୍ତି। ସେଥିରୁ ୧ ଲକ୍ଷ ୪୭ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ୪୦୯ ରିଲିଫ କେନ୍ଦ୍ରରେ ରଖାଯାଇଛି।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ସୁବର୍ଣ୍ଣରେଖା, ରାଜଘାଟରେ ବିପଦ ସଂକେତ ଉପର ପ୍ରବାହିତ ହେଉଛି। ଏବେ ୧୧.୩ମିଟର ଅଛି, ବିପଦ ସଂକେତ ଥିଲା ୧୦.୩୬। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି, ଯାହାର ବିପଦ ସଂକେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ ଆସିଲା ପରେ ଜଳ ସମ୍ପଦ ବିଭାଗ ସ୍ଥିତି ଅନୁଯାୟୀ ଗୁରୁତ୍ବ ଦେବ।
ସୁବର୍ଣ୍ଣରେଖାରେ ଆସନ୍ତାକାଲି ୧୨ଟା ବେଳକୁ ରାଜଘାଟରେ ପିକ୍ ଛୁଇଁବ। ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣକୁ ଗୁରୁତ୍ବ ଦେଉଛି। ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵରରେ ବନ୍ୟସ୍ଥିତୀ ଉପରେ ନଜର ରହିଛି। ୨୩ ତାରିଖରେ ଲଘୁଚାପ ପ୍ରଭାବରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ଠାରୁ ସଠିକ୍ ସୂଚନା ମିଳିବା ପରେ କେତେ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବ ସେଇ ଅନୁସାରେ କେତେ ଗେଟ୍ ଖୋଲିବାକୁ ପଡ଼ିବ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଛତିଶଗଡ ସହିତ ସମନ୍ୱୟ ନରଖିଲେ ମଧ୍ୟ ସିଡବ୍ଲ୍ୟସି ରିପୋର୍ଟ୍ ଅନୁସାରେ ଆମେ କାମ କରୁଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/0fb19025-1778-4308-85ff-cbb056a21d20.jpg)