ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମହାନଦୀରେ ବିପଦ ସଂକେତ ୮୭.୭୦ ମିଟର ରହିଥିବା ବେଳେ ମହାନଦୀରେ ଶୁକ୍ରବାର ଅପରାହ୍‌ଣ ୪ଟା ସୁଦ୍ଧା ୮୭. ୯୧ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଥିବା ଜଣାଯାଇଛି। ଅପରପକ୍ଷେ ହୀରକୁଦ ଜଳଭଣ୍ଡାରରରୁ ୪୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ଶୁକ୍ରବାର ରାତି ସୁଦ୍ଧା ମହାନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ନଦୀରେ ଯାତାୟତ ବିପଦଜନକ ଥିବାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ସହରର ତଳି ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିବିଶେଷ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କୁ ଏହି ସମୟରେ ନଦୀକୂଳକୁ ଯିବା ପାଇଁ ବାରଣ କରାଯାଇଛି। ବିଶେଷ କରି ମହାନଦୀ ଭିତରେ ଥିବା ଏନଏସିର ଦୁଇ ୱାର୍ଡ ମର୍ଜାକୁଦ ଦ୍ବୀପରେ ବସବାସ କରୁଥିବା ଜନସାଧାରଣଙ୍କୁ ମହାନଦୀରେ ଯାତାୟତ ଉପରେ ଅଙ୍କୁଶ ଲଗାଯାଇଛି। ଅପରପକ୍ଷେ ମହାନଦୀ ତଳମୁଣ୍ଡ ଅଂଚଳ ଅନ୍ତର୍ଭୁକ୍ତ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ନଦୀକୂଳିଆ ଗାଁଗୁଡିକୁ ସତର୍କ କରାଯାଇଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ହରଭଙ୍ଗା, କୁଡାଶିଙ୍ଗା, ଅତଲସରା, କୁମାରୀ, ମାରଡ଼ା, ଧଳପୁର ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପାଣି ଘେରରେ ଥିବା ବିପନ୍ନମାନଙ୍କୁ ହରଭଙ୍ଗା ବନ୍ୟା ଆଶ୍ରୟସ୍ଥଳୀଠାରେ ରଖିବା ସହ ସେମାନଙ୍କ ପାଇଁ ୭ ଦିନ ଯାଏ ରିଲିଫ ଘୋଷଣା କରିଛନ୍ତି। ବନ୍ୟା ଅପସରି ଯିବା ପରେ ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇ ଅଂଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପରଣ ଦିଆଯିବ ବୋଲି କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡେପୁଟି କଲେକ୍ଟର ଅବିନାଶ ପଣ୍ଡିଆ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ମହାନଦୀରେ ଜଳପତ୍ତନ ବୃଦ୍ଧି ହେବା ପରେ ଐତିହାସିକ ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ବୌଦ୍ଧର ସ୍ଥାନୀୟ ଗାଈଗୋଠ ପଡିଆ ଭିତରକୁ ମହାନଦୀ ପାଣି ପଶିବା ଯୋଗୁଁ ସେଠାରେ ରହୁଥିବା ପ୍ରାୟ ୧୫ଟି ପରିବାର ଓ ପୁରୁଣା ଫେରି ଘାଟ ନିକଟରେ ରହୁଥିବା ୭ଟି ପରିବାର ଘର ଛାଡ଼ି ମାଳିସାହିର ଯାତ୍ରୀ ବିଶ୍ରାମକକ୍ଷରେ ଆଶ୍ରୟ ନେଇଛନ୍ତି।