ରାଉରକେଲା: ଉପରମୁଣ୍ଡରେ ବର୍ଷା ସାମାନ୍ୟ କମିଛି। ଏହାସହ ସୋମବାର ରାଉରକେଲାରେ ଅପେକ୍ଷାକୃତ ଅଳ୍ପ ବର୍ଷା ହେବାସହ ନଦୀରେ ଜଳନିସ୍କାସନ ପ୍ରକ୍ରିୟାରେ ବି‌ଶେଷ ଅସୁବିଧା ଉପୁଜିନଥିଲା। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଯଦ୍ବାରା ଗତ ଦୁଇ ରାତି ଅନିଦ୍ରା ହୋଇ ଉଜାଗର ହୋଇଥିବା ବାଲୁଘାଟ ନୂଆ ବସ୍ତିବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଅପରପକ୍ଷରେ ଆଜି ସ୍ଥାନୀୟ ଲୋକ ଜଳବନ୍ଦୀରୁ ମୁକ୍ତି ହେବାପରେ ଆଶ୍ରୟ ସ୍ଥଳରୁ ନିଜ ନିଜ ଘରକୁ ଫେରିଯାଇଛନ୍ତି। ତେବେ ବର୍ଷା ପାଣି ଯୋଗୁଁ ବହୁ ଘରର ଆସବାବପତ୍ର, ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।

Advertisment

ରବିବାର ସନ୍ଧ୍ୟା ୭ଟା ଯାଏଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଚାଲିଥିଲା। ସେତେବେଳେ ଜଳସ୍ତର ୧୭୫.୮୮୦ ମିଟର ରହିଥିଲା। ଏହା ପରଠାରୁ, ଅର୍ଥାତ୍‌ ରାତି ୮ଟାରୁ ଜଳସ୍ତର କମିବା ଆରମ୍ଭ ହୋଇଥିଲା। ତେବେ ବିଳମ୍ବିତ ରାତି ୨ଟାରେ ପୁନର୍ବାର ଜଳସ୍ତର ବୃଦ୍ଧି ପାଇଥିଲା। ରାତି ୧ଟାରେ ଜଳସ୍ତର ୧୭୫.୫୫ ମିଟର ଥିବାବେଳେ ୨ଟାରେ ଏହା ୧୭୭.୬୫ ମିଟରରେ ପହଞ୍ଚିଥିଲା। ସୌଭାଗ୍ୟବଶତଃ ଭୋର୍‌ ୩ଟାରୁ ଏହା କମିବାରେ ଲାଗିଛି; ଯାହାକି ଏବେ ମଧ୍ୟ ବଳବତ୍ତର ରହିଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୫.୫୦୦ ମିଟର ଥିବା ଜଣାପଡ଼ିଛି। ଅପରପକ୍ଷରେ କୋଏଲ ନଦୀ ଓ ଶଙ୍ଖ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଅପରାହ୍ନ ୩ଟାରେ ଶଙ୍ଖ ନଦୀର ଜଳସ୍ତର ୩୭୫.୪୩୦ ମିଟର ଥିବାବେଳେ ୪ଟାରେ ୩୭୫.୪୦୦ ମିଟର, ୫ଟାରେ ୩୭୫.୩୪୦ ମିଟର ଓ ୬ଟାରେ ୩୭୫.୨୯୦ ମିଟର ରହିଛି। ସେହିଭଳି କୋଏଲ ନଦୀର ଜଳସ୍ତର ମଧ୍ୟ ଆଶାନୁରୂପ କମିବାରେ ଲାଗିଛି। କୋଏଲ ନଦୀରେ ଦିନ ୧୨ଟାରେ ୧୯୦.୩୮୦ ମିଟର ଥିବା ରେକର୍ଡ କରାଯାଇଛି। ଗତକାଲି ଉଭୟ କୋଏଲ ଓ ଶଙ୍ଖ ନଦୀର ଜଳସ୍ତର ଢ଼େର୍‌ ଅଧିକ ରହିଥିଲା। ବର୍ତ୍ତମାନ ଉଭୟ ନଦୀର ଉପରମୁଣ୍ଡ, ଅର୍ଥାତ୍‌ ଝାଡ଼ଖଣ୍ଡରେ ବର୍ଷା କମିଛି। ଏଣୁ ବର୍ତ୍ତମାନ ପାଇଁ ଅନ୍ତତଃ ବ୍ରାହ୍ମଣୀ ନଦୀ ପାଇଁ କୌଣସି ଆଶଙ୍କା ନାହିଁ। କିନ୍ତୁ ବିଳମ୍ବିତ ସନ୍ଧ୍ୟା ଓ ରାତିରେ ବର୍ଷା ହେଲେ, ପୁନର୍ବାର ବ୍ରାହ୍ମଣୀ ନଦୀ ଫୁଲିବା ସହ ଲୋକେ ଜଳବନ୍ଦୀ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ଆଶ୍ରୟସ୍ଥଳୀରୁ ଘରକୁ ଫେରିଲେ ନୂଆ ବସ୍ତିବାସୀ

ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ସହ ଘରେ ପାଣି ପଶିବାରୁ ବାଲୁଘାଟର ନୂାବସ୍ତିର ପ୍ରାୟ ୪୦/୫୦ ପରିବାର ଆଶ୍ରୟସ୍ଥଳୀରେ ରହିଥିଲେ। ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ, ଯଥା-ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିଦ୍ୟୁତ କଲୋନି ଉଚ୍ଚ ବିଦ୍ୟାଳୟରେସେମାନେ ଗତ ଶନିବାର ଓ ରବିବାର ରାତି କାଟିଥିଲେ। ତେବେ ଆଶ୍ରୟ କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ ପହଞ୍ଚୁନଥିବାରୁ ସେମାନଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅପରାହ୍ନ ୪ଟାରେ ମଧ୍ୟାହ୍ନ ଭୋଜନ ଓ ରାତି ସାଢ଼େ ୧୦ଟାରେ ରାତ୍ରୀଭୋଜନ ପରସା ଯାଉଥିବାରୁ ସେମାନେ ସମ୍ପର୍କୀୟଙ୍କଠାରୁ ମାଗି ଖାଦ୍ୟ ଗ୍ରହଣ କରିଥିବା କ୍ଷୋଭର ସହ କହିଛନ୍ତି। ବିଳମ୍ବିତ ରାତିରେ ଜଳସ୍ତର କମିବା ସହ ପାଣି ଘେରରୁ ମୁକ୍ତି ପାଇବାପରେ ଆଜି ସକାଳୁ ସେମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି। ତେବେ ବନ୍ୟା ଜଳ ଘରେ ପଶିବାରୁ ସେମାନଙ୍କ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ଆଦି ନଷ୍ଟ ହୋଇଥିବା ଜଣାପଡ଼ିଛି। ବିଶେଷକରି ପ୍ରାୟ ୮/୧୦ ପରିବାର ଏହାଦ୍ବାରା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏମିତିକି ପିଲାମାନଙ୍କ ପାଠ୍ୟ ପୁସ୍ତକ ନଷ୍ଟ ହୋଇଥିବା କହିଛନ୍ତି।

ମନ୍ଦିରା ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ କମିଲା

ଗତକାଲି ମନ୍ଦିରା ଡ୍ୟାମ୍‌କୁ ଯେଉଁ ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଥିଲା, ସେଥିରେ ଆଜି ହ୍ରାସ ପାଇଛି। ଗତକାଲି ପ୍ରବେଶ କରୁଥିବା ପାଣିର ମାତ୍ରା ଢ଼େର୍‌ ଅଧିକ ରହିବା, ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧିର ଅନ୍ୟତମ କାରଣ ପାଲଟିଥିଲା। ତେବେ ଆଜି ଏଥିରୁ ବହୁମାତ୍ରାରେ ଆଶ୍ବସ୍ତି ମିଳିଛି। ଆଜି ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମନ୍ଦିରା ଡ୍ୟାମ୍‌କୁ ‌ପ୍ରତି‌ ସେକେଣ୍ଡ୍‌ରେ ୪୪,୯୭୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି। ତେବେ ଡ୍ୟାମ୍‌ରୁ ସେକେଣ୍ଡ୍‌ ପ୍ରତି ୪୮,୪୧୩ କ୍ୟୁସେକ୍‌ ପାଣି ଛଡ଼ାଯାଉଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୮୨.୭୦ ଫୁଟ୍‌ ରହିଛି। ପ୍ରକାଶଥାଉକି, ଗତକାଲି ଏହି ସମୟରେ ଡ୍ୟାମ୍‌ରେ ଜଳସ୍ତର ୬୮୬.୮ ଫୁଟ ରହିଥିଲା। ବିପଦ ସଙ୍କେତ ଏଡ଼ାଇବାକୁ ଗତକାଲି ଡ୍ୟାମ୍‌ର ୧୧ଟି ସ୍ପିଲ୍‌ୱେ ଗେଟ୍‌କୁ ୫ ଫୁଟ ଲେଖାଏଁ ଖୋଲାଯାଇଥିଲା। ଆଜି ମଧ୍ୟ ଏହା ଖୋଲା ରହିଛି।

ପଲିଥିନ ବାଣ୍ଟି ଦେଇ ଦାୟିତ୍ବ ଶେଷ

publive-image

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବର୍ଷା ଯୋଗୁଁ ଘର ହରାଇଥିବା ହିତାଧିକାରୀଙ୍କୁ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ମାତ୍ର ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଥିବା ତଥା ଆର୍‌ଏସ୍‌ପି ଅଞ୍ଚଳର ବିଭିନ୍ନ ବସ୍ତିବାସୀ। ବିଶେଷକରି ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳର ହମିରପୁର କୁମ୍ଭାରପଡ଼ା ବସ୍ତିରେ ୫ଟି ଘର ଓ ସେକ୍ଟର-୬ ଜି’ ବ୍ଲକ ବୀର୍ସା ନଗରରେ ଥିବା ୪ଟି ଘର ଭାଙ୍ଗିଥିଲା। ବୀର୍ସା ନଗର ବସ୍ତିରେ ରହୁଥିବା ବିଧବା ବୃଦ୍ଧା ବାସନ୍ତୀ ବଡ଼ାଇକଙ୍କ ମଧ୍ୟ ଘର ଭାଙ୍ଗିଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବାପରେ ତା’ପରଦିନ ତହସିଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଏକ ପଲିଥିନ ଦେଇ ଦାୟିତ୍ବ ସମ୍ପାଦନ କରିଥିଲେ। ଉକ୍ତ ଅଞ୍ଚଳ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅନ୍ତର୍ଭୁକ୍ତ ହୋଇନଥିବାରୁ ଅନ୍ୟାନ୍ୟ ସହାୟତା ମିଳିପାରିବନିବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଫଳରେ ଭାଗ୍ୟକୁ ଆଦରି ୭୫ ବର୍ଷୀୟା ବାସନ୍ତୀ ଏବେ ଦୁଶ୍ଚିନ୍ତାରେ ପର ଘରେ ଆଶ୍ରୟ ନେଇଛନ୍ତି। ଏହି ବସ୍ତିର ଫୁଲମତୀ ପ୍ରସାଦଙ୍କ ଘର ମଧ୍ୟ ଭାଙ୍ଗିଯାଇଛି। ତଦନ୍ତ ପାଇଁ ଗତ ଶନିବାର ଦିନ ରାଜସ୍ବ ନିରୀକ୍ଷକ ସେଠାରେ ପହଞ୍ଚି ଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ନିଜ ଘର ଦୁର୍ବଳ ହୋଇପଡ଼ିଥିବା ଓ ଯେ କୌଣସି ସମୟରେ ଭାଙ୍ଗିଯିବାର ଆଶଙ୍କା ଥିବାରୁ ସରକାରୀ ସହାୟତା ମାଗିଥିଲେ ଫୁଲମତୀ। କିନ୍ତୁ ତଦନ୍ତକାରୀ ଅଧିକାରୀ କିଛି ଶୁଣିନଥିଲେ। ଉକ୍ତ ରାତିରେ ହିଁ ଫୁଲମତୀଙ୍କ ଘର ଭାଙ୍ଗିଯିବାରୁ ସେ ମଧ୍ୟ ଏବେ ଅନିଶ୍ଚିତତାରେ ଦିନ କାଟୁଛନ୍ତି। ଆର୍‌ଏସ୍‌ପି ଅଞ୍ଚଳରେ ଗଢ଼ିଉଠିଥିବା ବସ୍ତିବାସୀଙ୍କୁ ଏବେ କିଏ ସାହା ହେବ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ପରିମାଣ କେତେ ହେବ ତାହା ଏଯାଏଁ ଅସ୍ପଷ୍ଟ ଥିବାବେଳେ ବହୁସଂଖ୍ୟକ ଘର ଭାଙ୍ଗିଥିବା ଜଣାପଡ଼ିଛି। ଜିଲ୍ଲାର କ୍ଷୟକ୍ଷତି ଆକଳନ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଏହି କ୍ରମେରେ ଆଜି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆପାତକାଳୀନ ବିଭାଗ ସମେତ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ସମ୍ପଦ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସମସ୍ତ ମହାନଗର ନିଗମ, ପୌରପାଳିକାର ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍‌ ବିଭାଗ କର୍ମଚାରୀ ସାମିଲ ଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କ୍ଷୟକ୍ଷତିର ଆକଳନ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୂଡ଼ାନ୍ତ ରିପୋର୍ଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ।