ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ; ଦେବୀଙ୍କ ବିଗ୍ରହକୁ ମନ୍ଦିରରୁୁ ପାହାଡ ଉପରକୁ ଅଣାଗଲା

ଆଠଗଡ:   ମହାନଦୀରେ ବନ୍ୟା ଜଳ ଆସି ବଡମ୍ବାର ପ୍ରସିଦ୍ଧ ଶକ୍ତିପୀଠ  ଭଟ୍ଟାରିକା ମନ୍ଦିର ବୁଡିଯାଇଛି । ମନ୍ଦିରରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରର ଅଧିକାଂଶ ଅଂଶ ବୁଡିଯାଇଛି । ବନ୍ୟା ପାଣି ପଶିବା ଫଳରେ ମା’ଙ୍କ ବିଗ୍ରହକୁ ପାହାଡ ଉପରକୁ ଆଣି ପୂଜାର୍ଚ୍ଚନା କରାଯାଉଛି । ହୁଳୁହୁଳା ବ୍ରିଜ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତିଗିରିଆ ସୁବର୍ଣ୍ଣପୁର ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି । ଶହ ଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟା ପାଣି ମାଡିଯାଇଛି ।

ସେପଟେ, ବୌଦ୍ଧରେ ବିପଦ ସଂକେତ ଛୁଇଁଛି ମହାନଦୀ । ସହର ଭିତରେ ପାଣି ପଶିଛି । ବୌଦ୍ଧ ସହର ନିକଟରେ ମହାନଦୀ ଉପକୂଳରେ ପ୍ରାୟ ୨୦ ଟି ଗାଁରେ ମହାନଦୀର ପାଣି ପଶିଥିବା ସୂଚନା ମିଳିଛି । ହୀରାକୁଦ ଗେଟ୍ ଖୋଲିଲେ ବୌଦ୍ଧରେ ମହାନଦୀର ଜଳସ୍ତର ବଢିବ । ଫଳରେ ଏଠାରେ ସ୍ଥିତି ଆହୁରି ସଂଗୀନ ହେବ । ସେପଟେ ୨ ଦିନ ଧରି ଲଗାଣ ବର୍ଷା ଫଳରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଲ ଓ ଖଡଙ୍ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି ।

କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ ଫୁଟର ପାଣି ଚାଲିଥିବା ବେଳେ କଣ୍ଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଣ୍ଡିଆଜୋର ପୋଲ ଉପରେ ୬ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଛି । କଣ୍ଟାମାଳ ବ୍ଲକର ୮ ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଖମାନମୁଣ୍ଡା ପଞ୍ଚାୟତର ଦେଓଗାଁ ଏବଂ ଗମ୍ଭାରୀପଦର ଗାଁ ପାଣିଘେରରେ ରହିଛି । ବହୁ ଚାଷଜମି ଏବେ ଜଳମଗ୍ନ ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକମାନେ ସହାୟତା ଅପେକ୍ଷାରେ ରହିଛନ୍ତି ।

ସମ୍ବନ୍ଧିତ ଖବର