ବୈତରଣୀ ବନ୍ୟା: ଧାମନଗରର ୪୦ରୁ ଅଧିକ ଗାଁରେ ବନ୍ୟାପାଣି

ଭଦ୍ରକ: ବୈତରଣୀ ଏବଂ ତାର ଶାଖା ନଦୀରେ ବନ୍ୟା ଆସି ଭଣ୍ଡାରିପୋଖରୀ ବ୍ଲକର ୭ ପଞ୍ଚାୟତର ୩୦ ଗାଁ ଓ ଧାମନଗର ବ୍ଲକର ୨୬ପଞ୍ଚାୟତର ୪୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ବୈତରଣୀର ଜଳସ୍ତର କମିବା ପରେ ଆଜି ଭଣ୍ଡାରିପୋଖରୀର ବିଭିନ୍ନ ଗାଁରୁ ବନ୍ୟାପାଣି ଛାଡିଥିବା ବେଳେ ଧାମନଗର ବ୍ଲକର ଅନେକ ଗାଁ ଓ ଚାଷଜମିରେ ବନ୍ୟା ପାଣି ମାଡ଼ିଛି। ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର ଏବଂ ପଧାନୀ ପଞ୍ଚାୟତର ବିଭିନ୍ନ ଗାଁ ଗଣ୍ଡା ବନ୍ୟା ପ୍ଳାବିତ ହୋଇ ଲୋକେ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ହସନାବାଦ, ଅର୍ଜୁନପୁର, ପଧାନୀ ପଞ୍ଚାୟତର ବାଲିପାଟଣା, ବ୍ରହ୍ମଚାରୀ ପାଟଣା, ମୁକ୍ତାନଗର, ମଠସାହି ତରେଇସାହି, ମମଦୁଲା ଅର୍ଜୁନପୁର, ଅସ୍ତକ, ତଳଅସ୍ତକ, ଅନଳଡିହ, ହସନାବାଦ, ପଙ୍ଗଟା ଶାସନ ପ୍ରଭୃତି ଗାଁ ଜଳମଗ୍ନ ହୋଇଛି। ଅନଳଡିହ, ହସନାବାଦ, ପଙ୍ଗଟା, ନୂଆସାହି ଗ୍ରାମ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏହିସବୁ ଗାଁର ପ୍ରାୟ ୬ହଜାର ହେକ୍ଟରରୁ ଅଧିକ ଚାଷଜମି ପାଣିରେ ବୁଡ଼ି ରହିଛି।

ଗାଁ ଦାଣ୍ଡରେ ବନ୍ୟାପାଣିର ସୁଅ ଚାଲିଥିବାରୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଭଣ୍ଡାରିପୋଖରୀରୁ ବନ୍ୟାପାଣି ଛାଡ଼ି ଧାମନଗର ବ୍ଲକରେ ମାଡି ସ୍ଥିତି ବେହାଲ କରିଛି। ଆଜି ଧାମନଗର ବନ୍ୟା ଅଞ୍ଚଳକୁ ଯାଇ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ବନ୍ୟା ବିପନ୍ନଙ୍କୁ ଭେଟିଥିଲେ। ସବୁ ବିପନ୍ନଙ୍କ ପାଖରେ ଠିକ୍ ଭାବେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରୁ ନ ଥିବା ବିପନ୍ନ ଅଭିଯୋଗ କରିଛନ୍ତି। ଦୁର୍ବଳ ନଦୀବନ୍ଧ ଓ ଭଦ୍ରକ ସୀମାରେ ଥିବା ତଳିଆ ଏସ୍‌କେପ୍ ପାଇଁ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ବନ୍ୟା ପରିସ୍ଥିତିରୁ ଲୋକଙ୍କୁ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଲୋକମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି।

ସେମାନଙ୍କର ଗୃହପାଳିତ ପଶୁଙ୍କୁ ଗୋଖାଦ୍ୟ ଠିକ୍ ଭାବେ ଯୋଗାଣ କରାଯାଇ ପାରୁ ନଥିବା ବେଳେ ଅସହାୟ ଅବସ୍ଥାରେ ରହିଥିବା ଲୋକଙ୍କୁ ମଧ୍ୟ ଉପଯୁକ୍ତ ସହାୟତା ପ୍ରଦାନ କରାଯାଇ ପାରିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବ୍ଲକର ୨୬ପଞ୍ଚାୟତର ୬ହଜାର ୨୦୨ହେକ୍ଟର ଚାଷଜମିରେ ବନ୍ୟା ପାଣି ମାଡିଥିବା ବେଳେ ବନ୍ୟା ଛାଡିବା ପରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବିପନ୍ନଙ୍କୁ ଦିଆଯାଉଛି।

ସମ୍ବନ୍ଧିତ ଖବର