ବନ୍ତଳା : ହୀରାକୁଦ ଡ୍ୟାମ୍ ପାଣି ଛାଡ଼ିବା ପରେ ତଳମୁଣ୍ଡରେ ଫୁଲି ଉଠିଛି ମହାନଦୀ। ଗତକାଲିଠାରୁ ହୀରାକୁଦ ଜଳଭଣ୍ଡାରରୁ ବହୁସଂଖ୍ୟାରେ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଥିବାରୁ ଅନୁଗୁଳ ବ୍ଲକ୍ ଟିକରପଡା ପଞ୍ଚାୟତ ପାଣିରେ ବୁଡ଼ିଯାଇଛି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବେହେରାସାହି, ମଝିପଡା, ଗଇଁଦି, ଅଣାଖଣି, ଟିକରପଡା ଗାଁ ଜଳବନ୍ଦୀ ହୋଇ ରହିଥିବାରୁ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି।
ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ପ୍ରାୟ ୮୨ଟି ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଟିକରପଡା ହାଇସ୍କୁଲ୍ ଓ ଉ.ପ୍ରା ସ୍କୁଲ୍ରେ ରଖାଯାଇଛି। କିଛି ଲୋକ ଘରୁ ଡଙ୍ଗାରେ ଆଶ୍ରୟସ୍ଥଳକୁ ଆସବାବପତ୍ର ବୋହୁଥିବା ଦେଖାଯାଇଛି। ଅନେକ ଲୋକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଣିପାରି ନ ଥିବାରୁ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଚୁଡ଼ା,ଗୁଡ଼ ଆଦି ଯୋଗାଇ ଦିଆଯାଇଛି। ଏଥିସହ ସେମାନଙ୍କୁ ଦିନକୁ ଥରେ ରନ୍ଧାଖାଦ୍ୟ ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଦୟ ନାଥ ପ୍ରଧାନ ପ୍ରକାଶ କରିଛନ୍ତି। ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ଔଷଧ ବଣ୍ଟନ କରିଛନ୍ତି। ଗତକାଲି ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ସମେତ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ବନ୍ୟା ଦୁର୍ଗତ ଅଂଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ଥଇଥାନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଆଜି ମଧ୍ୟାହ୍ନରେ ବିଡିଓ ଅଂଶୁମାନ ଶତପଥୀ ମଧ୍ୟ ଉକ୍ତ ଅଂଚଳରେ ପହଂଚି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/anugul-ff.jpg)