ଚାନ୍ଦବାଲିରେ ମାଡ଼ିଲା ସାଳନ୍ଦୀ ବନ୍ୟାପାଣି

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ୍‌ରେ ଆଜି ସାଳନ୍ଦୀ ନଦୀର ପ୍ରଥମ ବନ୍ୟାଜଳ ମାଡ଼ିଛି। ବନ୍ୟା ପାଣି ପଶି ୫ ପଞ୍ଚାୟତ ଜଳବନ୍ଦୀ ହୋଇଯାଇଥିବାବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଯାଇଛି। ମତୋ-ଆରଡ଼ି ରାସ୍ତା ଉପରେ ୨ ଫୁଟ୍‌ର ପାଣି ଚାଲୁଥିବା ବେଳେ ମାଧପୁର-ଘଟପୁର ମୁଖ୍ୟ ରାସ୍ତାରେ ୩ ଫୁଟ୍‌ ଉଚ୍ଚତାରେ ପାଣି ଚାଲୁଛି। ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ସଂପୂର୍ଣ ବିଚ୍ଛିନ୍ନ ହୋଇଯାଇଛି।

ବୈତରଣୀ ବନ୍ୟାରେ ଭଦ୍ରକବାସୀ ହନ୍ତସନ୍ତ ହେବା ପରେ ଏବେ ସାଳନ୍ଦୀ ନଦୀ ଲୋକଙ୍କୁ କଲବଲ କରିବା ଆରମ୍ଭ କରିଛି। ଚାନ୍ଦବାଲି ବ୍ଲକ୍‌ର ମାଧପୁର, ଘଟପୁର, ଭୂଇଁବୃତି, ତେନ୍ତୁଳିଡିହ ଏବଂ ତିହିଡ଼ି ବ୍ଲକ୍‌ର ଗୋବିନ୍ଦପୁର ପଞ୍ଚାୟତ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହିସବୁ ଇଲାକାରେ ବନ୍ୟା ପାଣି ମାଡ଼ି ଯାଇଥିବାରୁ ସ୍ଥାନୀୟ ଲୋକେ ହୁଲିଡଙ୍ଗା ଉପରେ ଭରସା କରିଛନ୍ତି। ଲଘୁଚାପଜନିତ ବର୍ଷାରେ ସ୍ଥାନୀୟ ଅଂଚଳରେ ହଜାର ହଜାର ହେକ୍ଟର ଚାଷଜମିରେ ୪ ଫୁଟ୍‌ରୁ ଊର୍ଦ୍ଧ୍ୱ ବର୍ଷାଜଳ ଭର୍ତି ହୋଇ ରହିଥିବା ବେଳେ ସାଳନ୍ଦୀର ବନ୍ୟାଜଳ ପରିସ୍ଥିତିକୁ ଆହୁରି ସଙ୍ଗିନ କରିଛି। ମତୋ-ଆରଡ଼ିି ରାସ୍ତା ଉପରେ ୨ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି। ଧାନଖଣିଆ, ଗରିପୁର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଥିବାବେଳେ ଭୂଇଁବୃତି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମାଧପୁର ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇଥିବା ଗ୍ରାମ୍ୟ ରାସ୍ତାଗୁଡ଼ିକ ଉପରେ ୨ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଚାନ୍ଦବାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚିି ସ୍ଥିତି ଆକଳନ କରଛନ୍ତି। ଜିଲ୍ଲା ପ୍ରଶାସନ ସଜାଗ ଥିବାବେଳେ ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ବୋଟ୍‌ ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର