ଫୁଲୁଛି ‘ଡ଼ହ’ ଜଳଭଣ୍ଡାର, ବଡ ବର୍ଷା ହେଲେ ଛଡାଯିବ ପାଣି  

ଭଞ୍ଜନଗର: ଫୁଲିବାରେ ଲାଗିଛି ଗଂଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ଡହ ଜଳଭଣ୍ଡାର। ଗତ କିଛି ଦିନ ତଳେ ନିଅଣ୍ଟିଆ ବର୍ଷା ପାଇଁ ସଂପୂର୍ଣ୍ଣ ଶୁଖିଲା ପଡିଥିବା ଜଳଭଣ୍ଡାର ବର୍ତ୍ତମାନ ପାଣି ଦୃତବେଗରେ ଭର୍ତ୍ତି ହେବାରେ ଲାଗିଛି। ଏଭଳିକି ଆଉ କିଛି ସମୟ ଲଗାତାର ବର୍ଷା ହେଲେ ଜଳଭଣ୍ଡାର ଶତପ୍ରତିଶତ ପୂର୍ଣ୍ଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଗକୁ ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସର୍ତ୍ତକ କରିଛି। ଏଭଳି ସ୍ଥିତିରେ ଜଳଭଣ୍ଡାରର ସୁରକ୍ଷା ପାଇଁ ଯେକୌଣସି ମୁହୂର୍ତ୍ତରେ ଡହ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ପାଣି ଛଡାଯାଇପାରେ। ତେଣୁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ସହ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ସର୍ତ୍ତକତା ଅବଲମ୍ବନ କରିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରାମରେ ସଚେତନ କରାଯାଇଛି।

ଡହ ଜଳଭଣ୍ଡାରରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ନଦୀ ମଧ୍ୟକୁ ପାଣି ଛଡାଯିବା ନେଇ ନିଷ୍ପତ୍ତି  କରାଯାଇଥିବା ବେଳେ ନଦୀରେ ଗାଧୋଇବା ପାର ହେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁ ଓ ଛୋଟ ପିଲାମାନଙ୍କୁ ନଦୀକୁ ଯିବାକୁ ସଂପୂର୍ଣ୍ଣ ବାରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଗତମାସରେ ଜଳଭଣ୍ଡାର ସଂପୂର୍ଣ୍ଣ ଶୁଷ୍କ ପଡିବା ସହ ଟାଙ୍ଗରା ଭୂଇଁ ପାଲଟିଥିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିବା ବରିଷ୍ଠ ବ୍ୟକ୍ତି ମାନେ ପ୍ରକାଶ କରିଥିଲେ। ଡହ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋ ମିଟର ରହିଥିବା ବେଳେ ଗତ ଅଗଷ୍ଟ ମାସରେ ଏହା ୨୦୦ ହେକ୍ଟୋ ମିଟର ତଳକୁ ଖସି ଆସିଥିଲା। ଆଜି ଏହି ଜଳଭଣ୍ଡାରରେ ସର୍ବାଧିକ ୭୪.୪୯ ପ୍ରତିଶତ ଅର୍ଥାତ୍ ୧୬୩୫.୦୦ ହେକ୍ଟୋ ମିଟର ପାଣି ରହିଥିବା ଜଳସେଚନ ବିଭାଗର ରେର୍କଡରୁ ଜଣାପଡିଛି।

ସେହିପରି ଭଞ୍ଜନଗର ଜଳସେଚନ ବିଭାଜନ ଅଧିନରେ ଥିବା ଭଞ୍ଜନଗର, ସୋରଡ଼ା ଓ ବୁଗୁଡା ବ୍ଲକର ବାଘୁଆ ଜଳଭଣ୍ଡାର ଗୁଡ଼ିକ ମଧ୍ୟ ଭର୍ତ୍ତି ହେବାରେ ଲାଗିଛି। ଭଞ୍ଜନଗର ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୭୬୬.୦୦ ହେକ୍ଟୋ ମିଟର ରହିଥିବା ବେଳେ ଏବେ ୨୯୪୭.୦୪ ହେକ୍ଟୋ ମିଟର ଜଳ ରହିଥିବା ରେର୍କଡ କରାଯାଇଛି। ସୋରଡା ଜଳଭଣ୍ଡାରର ଜଳଧାରଣ କ୍ଷମତା ୪୯୭୫.୦୦ ହେକ୍ଟୋ୍ ମିଟର ରହିଥିବା ଏହି ଜଳ ଭଣ୍ଡାରରେ ୨୦୩୩.୬୩ ହେକ୍ଟୋମିଟର ପାଣି ରହିଛି। ସେହିପରି ବାଘୁଆ ଜଳଭଣ୍ଡାର କ୍ଷମତା ୩୧୦୦ ହେକ୍ଟ ମିଟର ରହିଥିବା ବେଳେ ୯୧୩.୧୮ ହେକ୍ଟୋ ମିଟର ଜଳ ବର୍ଷା ଫଳରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର