ଗଣିଆ : ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଗତ ୪ ଦିନ ଧରି ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ହୀରାକୁଦରୁ ଅଧିକ ସଂଖ୍ୟକ ଗେଟ୍‌ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ନୟାଗଡ଼ ଜିଲ୍ଲା ସାତକୋଶିଆ ଅଞ୍ଚଳ ଦେଇ ପ୍ରବାହିତ ମହାନଦୀ ଉଗ୍ର ରୂପ ଧାରଣ କରିଛି।

Advertisment

ମହାନଦୀର ଜଳସ୍ତର ବଢିବା ଫଳରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ଅବସ୍ଥିତ ଗ୍ରାମ ଗୁଡ଼ିକ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବିଶେଷକରି ଗଣିଆ–ଛାମୁଣ୍ତିଆ ରାସ୍ତାରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାସଙ୍ଗ, ଛାମୁଣ୍ତିଆ ଓ ବଡସିଲିଙ୍ଗାକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି। ବସ୍‌ ସମେତ ଅନ୍ୟାନ୍ୟ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବେ ଆଣ୍ଠୁଏ ପାଣିରେ ପଶି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ବର୍ଷା ଲାଗି ରହିଲେ ଗଣିଆରେ ସ୍ଥିତି ଉଦ୍‌ବେଗଜନକ ହେବାର ଆଶଙ୍କା ରହିଛି। ୩ ଦିନ ଧରି ଗଣିଆ,ରାସଙ୍ଗ, ଛାମୁଣ୍ତିଆ, ପତୁରିଆ ଗ୍ରାମ ଗୁଡିକରେ ଗହିରରେ ଥିବା ଧାନ ବିଲ ଗୁଡିକ ବୁଡି ରହିଛି।