ପଦ୍ମପୁର : ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ନଦୀନାଳ ଗୁଡ଼ିକ ଫୁଲି ଉଠିଛି। କେନ୍ଦୁଝର ସଦର ବ୍ଲକ୍‌ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳଲାଇନ୍‌ ନିକଟ ଘୋସରା ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ‌ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଠାରେ ଏକ ଉଚ୍ଚପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀ ଦାବି କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଗତକାଲିଠାରୁ ତୁହାକୁ ତୁହା ବର୍ଷା ଯୋଗୁଁ ପୋଲ ଉପରେ ପାଣି ପ୍ରବାହିତ ହୋଇଥିଲା। ଫଳରେ ପଦ୍ମପୁର-ମହାଦେଈଯୋଡ଼ା ରାସ୍ତାକୁ ଯିବାପାଇଁ ଲୋକେ ହରାଇଣ ହୋଇଥିଲେ। ପଦ୍ମପୁର ସ୍କୁଲ, କଲେଜକୁ ଛାତ୍ରଛାତ୍ରୀ ପୋଲ ଉପର ଦେଇ ଯାଇପାରି ନଥିଲେ। ସେହିପରି ବର୍ଷାପାଣି ପ୍ରବାହିତ ହେବା ଯୋଗୁଁ ମାଟି ହୋଇ ଆସି ରାସ୍ତାରେ ଜମିଛି। ଫଳରେ ରାସ୍ତା ଶୋଚନୀୟ ହୋଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାଦଗଡ଼ ନିକଟରେ ଏକ ଉଚ୍ଚପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।