ବଲାଙ୍ଗୀର : ଲୋୟର ସୁକତେଲ ବୁଡ଼ି ଅଞ୍ଚଳର ବିସ୍ଥାପିତ ଲୋକ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଉପରମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟାଜଳ ସୁକତେଲ ନଦୀରେ ପ୍ରବେଶ କରିଥିବା ବେଳେ ବନ୍ୟାପାଣି ଗଡ଼ଶଙ୍କର ଡୁଙ୍ଗୁରିପାଲି ଓ ବନଛୋରପାଲି ଗାଁକୁ ଛୁଇଁଛି। ଗାଁର ବହୁ ବିସ୍ଥାପିତ ପରିବାର ଏବେ ଗାଁ ଛାଡ଼ିବେ ନା ରହିବେ ସେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଗୋଟିଏ ପଟେ ତାଙ୍କର ଆହୁରି କିଛି କ୍ଷତିପୂରଣ ଅର୍ଥ ପାଇବାକୁ ଥିବା ବେଳେ ଗାଁ ଛାଡ଼ିଲେ ତାହା ଆଉ ମିଳିବ କି ନାହିଁ ତାକୁ ନେଇ ସେମାନେ ସନ୍ଦିହାନ ରହିଛନ୍ତି। ପ୍ରଶାସନର କଥାକୁ ସେମାନେ ବିଶ୍ବାସକୁ ନେଇ ପାରୁ ନାହାନ୍ତି। ବିସ୍ଥାପନ କଲୋନିଗୁଡ଼ିକର ଅବସ୍ଥା ଯେଭଳି ଶୋଚନୀୟ ହୋଇଛି ସେଠାରେ ରହିବା ମଧ୍ୟ ଏମାନଙ୍କ ପାଇଁ ସମ୍ଭବ ନୁହେଁ।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଘର ଖାଲି କରିବା ପାଇଁ ବାରମ୍ବାର ତାଗିଦ କରାଯାଉଥିବା ବେଳେ ବହୁ ପରିବାର ଘରୁ ଜିନିଷପତ୍ର କାଢ଼ି ବାହାରେ ରଖିଛନ୍ତି। କିଛି ପରିବାର ପଳାୟନ କରୁଛନ୍ତି। ନଈ ପାଣି ଫୁଲୁଥିବା ଓ ଗାଁ ପାଖକୁ ମାଡ଼ି ମାଡ଼ି ଆସୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଯଦିଓ ଆଜି ବର୍ଷା ଉପରମୁଣ୍ଡରେ କମି ଯାଇଛି ତଥାପି ଆଶଙ୍କା ଲାଗିରହିଛି।