ମାଙ୍କଡ଼ା ନଦୀରେ ବନ୍ୟା ଜଳ: ୮ ଗାଁ ଯୋଗାଯୋଗ ବିଚ୍ଛିନ୍ନ

ଜଗମୋହନପୁର: କେନ୍ଦୁଝର ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ତେଲକୋଇ ବ୍ଲକ୍‌ ସରୁଆଳି ଗ୍ରାମ ଦେଇ ବହି ଯାଇଥିବା ମାଙ୍କଡ଼ା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ନଦୀ ଆରପଟେ ଥିବା ୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସରୁଆଳି ଗ୍ରାମଟି କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ସୀମାରେ ରହିଛି। ମାଙ୍କଡ଼ା ନଦୀ ଉଭୟ ଜିଲ୍ଲାର ସୀମାରେଖା ସାଜିଛି। ନଦୀରେ ପୋଲ ନଥିବାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ ଯୋକପାଣି, ପେଚାମୁଣ୍ଡି, ଶ୍ୟାମସୁନ୍ଦରପୁର, ସଇଡ଼ା, ଶିମିଳିପାଳ, ଲକ୍ଷ୍ମୀପ୍ରିୟାପୁର, ଡୁଇପାଣି ଓ ଅସନପାଣି ଗ୍ରାମର ଲୋକେ ନଦୀ ଭିତରେ ପଶି ଜଗମୋହନପୁର ବଜାରକୁ ଆସିଥାନ୍ତି।

ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏସବୁ ଗ୍ରାମର ଲୋକେ ଜଗମୋହନପୁର ଆସିପାରୁ ନାହାନ୍ତି। ଅତି ଜରୁରୀ କାମ ପଡ଼ିଲେ ୧୭ କିମି ରାସ୍ତା ଅତିକ୍ରମ କରି ଆସିବାକୁ ପଡ଼ୁଛି। ଏଠରେ ଏକ ପୋଲ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ବାଂଶପାଳ ବ୍ଲକ୍‌ ସମେତ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ର ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର