ବାଲେଶ୍ବର : ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବାଲେଶ୍ବର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ବର୍ଷାପାଣି ଜମି ରହିଥିବା ଦେଖାଯାଇଛି। ବର୍ଷାକୁ ନେଇ ପ୍ରଶାସନ କିମ୍ବା ପୌରପାଳିକା ପକ୍ଷରୁ ଯେଉଁ ପ୍ରାକ୍ ପ୍ରସ୍ତୁତି କରାଯିବା କଥା ତାହା କରା ଯାଇନାହିଁ। ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳନିଷ୍କାସନ ସମସ୍ୟା ଉପୁଜିଛି। ୧୬ ନମ୍ବର ଜାତୀୟ ରାଜପଥର ବାମପଦା ରେଲୱେ ଗେଟ୍ ଏବଂ ରେମୁଣାଗୋଲେଇ ଓଭରବ୍ରିଜ୍ ତଳେ ବର୍ଷାପାଣି ଗଡ଼ୁ ନଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ବର୍ଷା ପରେ ଜିଲ୍ଲାରେ ଚାଷକାମ ଆରମ୍ଭ ହୋଇଯାଇଛି।
ମିଳିଥିବା ରିପୋର୍ଟ ଅନୁଯାୟୀ, ଶନିବାର ସକାଳ ୮ଟା ସୁଦ୍ଧା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ୧୭ ମିମି, ଜଳେଶ୍ବର ବ୍ଲକରେ ୧୩ ମିମି, ବାଲିଆପାଳ ବ୍ଲକରେ ୧୯ ମିମି, ବସ୍ତା ବ୍ଲକରେ ୨୪ ମିମି, ବାଲେଶ୍ବର ସଦରରେ ୩୯ ମିମି, ରେମୁଣା ବ୍ଲକରେ ୫୩ ମିମି, ନୀଳଗିରି ବ୍ଲକରେ ୧୯ ମିମି, ଔପଦା ବ୍ଲକରେ ୧୬ ମିମି, ବାହାନଗା ବ୍ଲକରେ ୩୩ ମିମି, ସୋର ବ୍ଲକରେ ୧୨ ମିମି, ସିମୁଳିଆ ବ୍ଲକରେ ୩ ମିମି ଓ ଖଇରା ବ୍ଲକରେ ୧୮ ମିମି ବର୍ଷା ରେକର୍ଡ ହୋଇଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୬ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଲଗାଣ ବର୍ଷା ଯୋଗୁ ବାଲେଶ୍ବର ଦେଇ ପ୍ରବାହିତ ୩ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ସାମାନ୍ୟ ବଢ଼ିଥିବା ଦେଖାଯାଇଛି। ଶନିବାର ସକାଳ ୬ଟାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୩.୯୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ ୩ ଘଣ୍ଟା ପରେ ଅର୍ଥାତ୍ ସକାଳ ୯ଟା ବେଳେ ୪.୯ ମିଟର ଉପରେ ଜଳସ୍ତର ରହିଥିଲା। ସେହିପରି ବୁଢ଼ାବଳଙ୍ଗରେ ସକାଳ ୬ଟାରେ ୪.୧୨ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ସକାଳ ୯ଟା ବେଳେ ୫.୨୨ ମିଟର ଓ ଜଳକା ନଦୀରେ ସକାଳ ୬ଟାରେ ୩.୯୯ ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ସକାଳ ୯ଟା ବେଳେ ୪.୧୭ ମିଟରରେ ପ୍ରବାହିତ ହେଉଥିଲା। ତେବେ ବନ୍ୟା ଆଶଙ୍କା ନଥିବା ଜିଲ୍ଲା ଜରୁରିକାଳୀନ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଆଉ ୪/୫ ଦିନ ଉପକୂଳ ଓଡ଼ିଶାରେ ଏପରି ବର୍ଷା ଲାଗିରହିବ ବୋଲି ସୂଚନା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/balasore-rain.jpg)