ସମ୍ବଲପୁର ଜଳାର୍ଣ୍ଣବ, ରାସ୍ତା ପାଲଟିଲା ନଦୀ, ଜନଜୀବନ ଅସ୍ତବ୍ୟସ୍ତ 

ସମ୍ବଲପୁର: ସମ୍ବଲପୁର ସହର ଜଳାର୍ଣ୍ଣବ ହୋଇଯାଇଛି। ଶନିବାର ଭୋରରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ପୂରା ସହର ପାଣିରେ ବୁଡ଼ି ଯାଇଛି। ରାସ୍ତା ଗୁଡ଼ିକ ନଦୀର ଭ୍ରମ ସୃଷ୍ଟି କରିଥିବା ବେଳେ ଘର ମାନଙ୍କରେ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ସହରର ଅନେକ ରାସ୍ତା ବୁଡ଼ି ଯିବାରୁ ଯାତାୟାତରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଥିଲା। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ପକ୍ଷରୁ ବାଲିବନ୍ଧା ଓ ବିନାଖଣ୍ଡିର ସ୍ଲୁଇସ୍‌ ଗେଟ୍‌ ଶନିବାର ସକାଳେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆ ଯାଇଥିଲା। ମହାନଦୀର ଜଳସ୍ତର ଅଧିକ ରହିଥିବାରୁ ସହର ଭିତରକୁ ପାଣି ପଶିବାରୁ ରୋକିବା ପାଇଁ ଏସ୍‌ଏମ୍‌ସି ପକ୍ଷରୁ ବାଲିବନ୍ଧା ଓ ବିନାଖଣ୍ଡିର ସ୍ଲୁଇସ୍‌ ଗେଟ୍‌ ବନ୍ଦ କରା ଯାଇଥିବା କହା ଯାଇଥିଲା।

ଯେଉଁ କାରଣରୁ ହୀରାକୁଦ କଲୋନିର ବସ୍ତି ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିଲା। ଅନେକଙ୍କୁ ଯଦିଓ ଥଇଥାନ କରାଯାଇଛି, ତେବେ ବର୍ଷା ବଢ଼ିଲେ ସହରକୁ ବନ୍ୟା ବିପଦ ବଢ଼ିବାର ଆଶଙ୍କା ରହିଥିବା କହାଯାଇଛି। ଅନ୍ୟପଟେ ଏସ୍‌ଏମ୍‌ସି ପକ୍ଷରୁ ମୋଟ ଉପରେ ୧୩ ଶହ ଲୋକଙ୍କୁ ଥଇଥାନା କରାଯିବା ସହ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ କୁମାର ସାହୁ କହିଛନ୍ତି। ହୀରାକୁଦ କଲୋନି କମ୍ୟୁନିଟି ସେଣ୍ଟର, ହୀରାକୁଦ କଲୋନି କଲ୍ୟାଣ ମଣ୍ଡପ, ଖଣ୍ଡୁଆଳ ହାଇସ୍କୁଲ୍‌, ବିନାଖଣ୍ଡି ବନ୍ୟା ଆଶ୍ରୟସ୍ଥଳି ଓ ସମ୍ବଲେଶ୍ବରୀ ବନ୍ୟା ଆଶ୍ରୟ ସ୍ଥଳ, ମୁଦିପଡ଼ା ଆଦି ସ୍ଥାନରେ ଲୋକଙ୍କୁ ଥଇଥାନ କରାଯାଇଛି। ଆଗକୁ ବର୍ଷା ହେଲେ ସ୍ଥିତି ସଙ୍କଟାପନ୍ନ ହେବାର ଆଶଙ୍କା ରହିଥିବାରୁ ଭତରା ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ତେବେ ଆବଶ୍ୟକ ସ୍ଥଳେ ସ୍ଥିତି ଦେଖି ପମ୍ପ ହାଉସ୍‌ ନିକଟରେ ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଉଥିବା ସେ କହିଥିଲେ।

ଜାତୀୟ ରାଜପଥ ହେଲା ଜଳପଥ

ଅଇଁଠାପାଲିରୁ ବରେଇପାଲି ମଧ୍ୟରେ ଜାତୀୟ ରାଜପଥଟି ଜଳପଥ ପାଲଟି ଯାଇଥିଲା। ରାସ୍ତାରେ କାର୍‌ ଗୁଡ଼ିକ ଅଧା ବୁଡି ଯାଉଥିଲା। ରାସ୍ତା କଡ଼ରେ ଥିବା ସର୍ଭିସ୍‌ ରୋଡ୍‌ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇଥିବାରୁ ଗାଡ଼ି ଗୁଡ଼ିକ ଧିମା ଗତିରେ ଗଡ଼ୁଥିଲା। ତେଣୁ ଟ୍ରକ୍‌ ଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିଲା।

ବୁଡିଲା ହୀରାକୁଦ କଲୋନି

ବିନାଖଣ୍ଡି ପମ୍ପ ହାଉସ୍‌ ନିକଟରେ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିଦିଆ ଯିବା କାରଣରୁ ଧୋବିଯୋର ନାଳ ଦେଇ ମହାନଦୀକୁ ଯାଉଥିବା ପାଣି ବନ୍ଦ ହୋଇ ଯାଇଥିଲା। କେବଳ ସେତିକି ନୁହେଁ ଗେଟ୍‌ ବନ୍ଦ ହେବାରୁ ପଛୁଆ ପାଣି ସହର ଭିତରକୁ ପଶିଥିଲା। ଯେଉଁ କାରଣୁ ପ୍ରଥମେ ହୀରାକୁଦ କଲୋନିକୁ ଏହି ପାଣି ବୁଡ଼ାଇ ଥିଲା। ହୀରାକୁଦ କଲୋନିରେ ଘର ଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ ଲୋକଙ୍କୁ ଏସ୍‌ଏମ୍‌ସି ପକ୍ଷରୁ ଆଶ୍ରୟସ୍ଥଳ ଗୁଡ଼ିକରେ ଥଇଥାନ କରା ଯାଇଥିଲା।  ଲୋକ କିଛି ଜରୁରୀ ସାମଗ୍ରୀ ‌ସାଥୀରେ ନେଇ ଯାଇଥିବାବେଳେ ଅଧିକାଂଶ ଆସବାବପତ୍ର ଘରେ ରହି ବୁଡ଼ି ଯାଇଥିଲା।

ଏସ୍‌ଆର୍‌ଆଇଟି ରାସ୍ତାରେ ପ୍ରଖର ସୂଅ

ପ୍ରବଳ ବର୍ଷା ସାଙ୍ଗକୁ ଏସ୍‌ଏମ୍‌ସିର ନିମ୍ନମାନର ଡ୍ରେନେଜ୍‌ ବ୍ୟବସ୍ଥା ଏସ୍‌ଆର୍‌ଆଇଟି କଲୋନିର ରାସ୍ତାକୁ ନଦୀରେ ପରିଣତ କରି ଦେଇଥିଲା। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ବୋହୁଥିବା ବେଳେ ସ୍ରୋତ ପ୍ରଖର ଥିଲା। ଲୋକଙ୍କ ଘରେ ହଠାତ୍‌ ପାଣି ପଶି ଆସିବାରୁ ସେମାନେ ଜରୁରୀ ଜିନିଷପତ୍ର କାଢ଼ି ପାରି ନଥିଲେ। ଅଧିକାଂଶ ଲୋକ ନିଜ ଘର ଉପର ମହଲାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ।

ପାଣିରେ ବୁଡ଼ିଲା ଗୋପାଳମାଲ, ଦାନୀପାଲି

ଗୋପାଳମାଲ ଓ ଦାନୀପାଲି ଅଞ୍ଚଳ ବର୍ଷା ପାଣିରେ ଅଧା ବୁଡ଼ି ଯାଇଥିଲା। ବର୍ଷା ପାଣି ଅନେକଙ୍କ ଘରେ ପଶିଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ରହିଥିଲା। ରାସ୍ତା ଉପରେ ପାଣି ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରେ ଥିବା ଖାଲରେ କିଛି ବାଇକ୍‌ ଆରୋହୀ ପଡ଼ିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ଲକ୍ଷ୍ମୀ ଟକିଜ୍‌ ରାସ୍ତାରେ ଢେଉ

ଉତ୍ତରାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟରୁ ଲକ୍ଷ୍ମୀ ଟକିଜ୍‌ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଥିଲା। ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ବେଳେ ରାସ୍ତା ଉପରେ ପାଣିର ଢେଉ ଖେଳିଥିଲା। ଫ୍ଲାଇଓଭର୍‌ ତଳେ ବସୁଥିବା ଉଠା ଦୋକାନୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ବ୍ୟବସାୟ ଠପ୍‌ ହୋଇ ଯାଇଥିଲା।

ରେଳ ଅଣ୍ଡର୍‌ପାସ୍‌ ଜଳମଗ୍ନ

ସାକ୍ଷୀପଡ଼ା-ଜଗନ୍ନାଥ କଲୋନିକୁ ଯୋଡ଼ୁଥିବା ରେଳ ଅଣ୍ଡରପାସ୍‌ ବର୍ଷା ପାଣିରେ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା। ଖରା ଦିନେ ବି ଏହି ଅଣ୍ଡରପାସ୍‌ରେ ପାଣି ଜମି ରହୁଥିବା ବେଳେ ବର୍ଷା ଓ ବନ୍ୟା ସମୟରେ ଏହି ଅଣ୍ଡର୍‌ ପାସ୍‌ର ଛାତ ପର୍ଯ୍ୟନ୍ତ ପାଣି ଭରି ଯାଇଥିଲା। କାଳେ କିଏ ଭିତରେ ପଶିଯିବ ସେଥି ପାଇଁ ବାହାରେ ଫିତା ବାନ୍ଧି ତାକୁ ବନ୍ଦ କରା ଯାଇଥିଲା।

ଲାଗିଲା ପାଣି ପମ୍ପ୍‌

ବର୍ଷା ପାଣି ଜମି ରହିବା କାରଣରୁ ଚାରଭାଟି ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ ଘରେ ପାଣି ପଶିବା ସହ ରାସ୍ତାଘାଟ ବୁଡ଼ି ଯାଇଥିଲା। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଚାରଭାଟି ଠାରେ ପାଣି ପମ୍ପ ଲଗାଯାଇ ଜଳ ନିଷ୍କାସନ କରା ଯାଇଥିଲା। ବଡ଼ବଜାର ଧୋବାପଡ଼ାଠାରେ ବଡ଼ ମୋଟର ଲଗାଇ ରିଂ ରୋଡ୍‌ ଉପରୁ ମହାନଦୀକୁ ଜଳ ନିଷ୍କାସନ କରା ଯାଇଥିଲା। ସେହିପରି ଧନୁପାଲି ଶିଶୁ ମନ୍ଦିର ନିକଟରେ ମଧ୍ୟ ପମ୍ପ ଲଗାଇ ଜଳ ନିଷ୍କାସନ କରା ଯାଇଥିଲା।

ବର୍ଷାରେ ପୋଡ଼ା ମକାର ଚାହିଦା

ବର୍ଷା ପ୍ରବଳ ଲାଗି ରହିଥିବା ବେଳେ ଅନେକ ଲୋକ ଫ୍ଲାଇଓଭର ତଳେ ଛିଡ଼ା ହୋଇଥିଲେ। ଏହି ସମୟରେ ସେଠାରେ ଥିବା ଏକ ଠେଲାରୁ ମକା ପୋଡ଼ାର ମଜା ନେଇଥିଲେ। ମକା ଗୋଟା ୨୦ରୁ ୩୦ ଟଙ୍କା ବିକ୍ରି ହେଉଥିଲା।

ସମ୍ବନ୍ଧିତ ଖବର