ଖୋର୍ଦ୍ଧା: ୨୨ ଗାଁରୁ ପାଣି ଖସିଲା, ସର୍ବନିମ୍ନ ସୁବିଧା ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ଗତ ୮ ଦିନ ଧରି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଜଟଣୀ ସମେତ ୫ଟି ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଆଜି ଅନେକ ସୁଧାର ଆସିଛି । ପାଣିଘେରରେ ଥିବା ୬୯ଟି ଗାଁ ମଧ୍ୟରୁ ୨୨ଟି ଗାଁରୁ ପାଣି ଖସିଛି । ଯେଉଁ ଯେଉଁ ଗାଁରେ ବଢ଼ି ପାଣି ହ୍ରାସ ପାଇଛି ସେହି ସେହି ଗାଁଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ସର୍ବନିମ୍ନ ସୁବିଧାଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକର ସ୍ଥିତିର ସମୀକ୍ଷା କରିବା ପରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ବନ୍ୟା ପ୍ରଭାବିତ ଅଂଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥାକୁ ସୁଧାର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟାଂଚଳ ଛାଡ଼ିଥିବା ଗାଁଗୁଡ଼ିକ ଓ ଆଗାମୀ ଦିନରେ ବନ୍ୟା ପ୍ରଭାବିତ ଅଂଚଳର ପାନୀୟ ଜଳଉତ୍ସ ଯେପରି ନଳକୂପ, କୂପ, ପୋଖରୀ ଆଦିର ଜଳକୁ ବିଶୋଧନ କରିବା ସହ ଏହାର ଗୁଣବତ୍ତା ଯାଂଚ କରି ତଦନୁଯାୟୀ ପଦକ୍ଷେପ ନେବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି କେତେକ ଗାଁରେ ଜଳବାହିତ ରୋଗର ସୂଚନା ଆସିଥିବାରୁ ଏଥିପ୍ରତି ସତର୍କ ରହିବା ସହ ସ୍ୱାସ୍ଥ୍ୟ ଟିମ୍ ଗଠନ କରି ସ୍ୱାସ୍ଥ୍ୟମେଳା ଆୟୋଜନ କରିବା, ଔଷଧ, ସାନିଟାରୀ କିଟ୍ ଓ ପ୍ୟାଡ୍ ଆଦି ପ୍ରଦାନ କରିବାକୁ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପାଢ଼ୀ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।

ବନ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାରେ ବର୍ତମାନ କରାଯାଇଥିବା ଆକଳନରେ ୧୩ଟି ପଂଚାୟତର ୪୭ଟି ଗାଁର ୨୨ ହଜାର ୮୪୫ଜଣ ପ୍ରଭାବିତ ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୧୨ଟି ସ୍ଥାନରେ ରନ୍ଧନ ଖାଦ୍ୟ ବଂଟନ କରାଯାଇଥିବାବେଳେ ଆଜି ୧୭ଟି ସ୍ଥାନରେ ରନ୍ଧନ ଖାଦ୍ୟ ବଂଟନ କରାଯାଇଛି । ସେହିଭଳି ୧୮ଟି ଆଶ୍ରୟସ୍ଥଳରେ ୭୦୯୮ ଲୋକ ବର୍ତମାନ ଆଶ୍ର୍ରୟ ନେଇଛନ୍ତି । ଅନେକ ସ୍ଥାନରେ ବନ୍ୟାାପାଣି ହ୍ରାସ ପାଇଥିବାରୁ ଲୋକମାନେ ନିଜ ଘରକୁ ପ୍ରତ୍ୟାବର୍ତନ କରିଥିବା ବେଳେ ଆଜି ମଧ୍ୟ କେତେକ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରନ୍ଧନ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁର ସୂଚନା ମିଳିନାହିଁ । ତେବେ ବର୍ତମାନ ସୁଦ୍ଧା ୧୫୦୪ଟି ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର